ମୁମ୍ବାଇ: ମାଲାୟାଲମ ଫିଲ୍ମ ନିର୍ଦ୍ଦେଶକ ଓମାର ଲୁଲୁଙ୍କୁ ବରିଷ୍ଠ ଅଭିନେତା ମୁକେଶ ଖାନ୍ନାଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଛି। ନିର୍ଦ୍ଦେଶକ ଓମାର ଲୁଲୁ ନିଜର ଅପ୍ କମିଂ ଫିଲ୍ମ ‘ଧମାକା’ର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ସେଥିମଧ୍ୟରୁ ଗୋଟିଏ ଫଟୋରେ ମାଲାୟାଲମ ଅଭିନେତା ମୁକେଶଙ୍କ ଶକ୍ତିମାନ କଷ୍ଟ୍ୟୁମରେ ଥିବା ଦେଖିବାକୁ ମିଳିଛି। ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାର ବହୁ ମିମ୍ସ ତିଆରି ମଧ୍ୟ ହୋଇଛି। ଯାହାକୁ ନେଇ ମୁକେଶ ଖାନ୍ନା କ୍ରୋଧିତ ହୋଇପଡ଼ିଛନ୍ତି। ଏନେଇ ସେ ଫିଲ୍ମ ଏମ୍ପ୍ଲଇଜ୍ ଫେଡେରେଶନ ଅଫ କେରଳ(ଏଫଇଏଫକେଏ)ରେ ନିର୍ଦ୍ଦେଶକଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଏଥିସହ ଉକ୍ତ ଫିଲ୍ମରେ ଶକ୍ତିମାନର ଚରିତ୍ରକୁ ବ୍ୟବହାର ବନ୍ଦ କରାଯାଉ ନଚେତ୍ ସେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଏଫଇଏଫକେଏକୁ ଆବେଦନ କରିଛନ୍ତି। କାରଣ ଶକ୍ତିମାନର ଚରିତ୍ର, ବେଶଭୂଷା ଉପରେ ମୁକେଶଙ୍କ କପି ରାଇଟ୍ସ ରହିଛି। ଫଳରେ ତାଙ୍କର ବିନା ଅନୁମତିରେ ଏହାକୁ ନିଜ ଫିଲ୍ମରେ ବ୍ୟବହାର କରିପାରିବେ ନାହିଁ ବୋଲି ମୁକେଶ କହିଛନ୍ତି। ଅପରପକ୍ଷରେ ଓମାର ଲୁଲୁ ଏନେଇ ଇନ୍ଷ୍ଟାଗ୍ରାମରେ ମୁକେଶ ଖାନ୍ନାଙ୍କୁ କ୍ଷମା ମାଗିଛନ୍ତି। ସେ ଲେଖିଛନ୍ତି, ଫିଲ୍ମର ଟାଇଟଲ କେଡ୍ରିଟରେ ତାଙ୍କୁ ହିଁ କ୍ରେଡିଟ ଦିଆଯିବ। ଏଥିସହ ଧମାକା ଫିଲ୍ମରେ ଅଭିନେତା ମୁକେଶ ଶକ୍ତିମାନର ଚରିତ୍ର କରୁନାହାନ୍ତି। ଏହା କେବଳ ୧୦ ସେକେଣ୍ଡର ଏକ ସିକ୍ୟୁଏନ୍ସ। ଯେଉଁଠାରେ ଉକ୍ତ ଚରିତ୍ର ମୁକେଶଙ୍କ ଶକ୍ତିମାନର ଅଭିନୟକୁ କଳ୍ପନା କରୁଥିବା ବେଳେ ଏଥିରେ ତାଙ୍କୁ ସୁପରହିରୋ ଭାବେ ଦର୍ଶାଯାଇଛି ବୋଲି ନିର୍ଦ୍ଦେଶକ ସ୍ପଷ୍ଟ କରିଛନ୍ତି।
Posted inମନୋରଞ୍ଜନ