Posted inଖେଳ

ମିଡଲଅର୍ଡର ସମସ୍ୟା ସୁଧାରିବା ଲକ୍ଷ୍ୟରେ ଭାରତ

ଲିଡ୍ସ, ୬।୭(ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍‌ରେ ଭାରତ ବିଜୟଧାରା ବଜାୟ ରଖିବାରେ ସକ୍ଷମ ହୋଇଛି। ତେବେ ଏହା ସତ୍ତ୍ୱେ ଦଳର ମିଡଲଅର୍ଡର ସମସ୍ୟା ତଥା ଦୁର୍ବଳତା ପଦାରେ ପଡିଛି। ସେମିଫାଇନାଲରେ ପ୍ରବେଶ କରିସାରିଥିବା ଭାରତ ସ୍ଥାନୀୟ ହେଡିଂଲେ ଗ୍ରାଉଣ୍ଡରେ ଶନିବାର ତା’ର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ଭେଟିବ। ତେଣୁ ହାଇଭୋଲ୍‌ଟେଜ ସେମିଫାଇନାଲ ଖେଳିବା ପୂର୍ବରୁ ଭାରତ ଏହି ସମସ୍ୟାର ସମାଧାନ କରିବାକୁ ପ୍ରୟାସ କରିବ। ଅଭିଜ୍ଞ ମହେନ୍ଦ୍ର ସିଂ ଧୋନୀ ଏହି ମ୍ୟାଚ୍‌ରେ ନିଜର ପୁରୁଣା ଫର୍ମ ଫେରିପାଇବାକୁ ଚେଷ୍ଟା କରିବେ। ଶ୍ରୀଲଙ୍କାକୁ ଭାରତ ହରାଇଲେ ଓ ଅନ୍ୟପଟେ ଶନିବାର ଖେଳାଯିବାକୁ ଥିବା ଦ୍ୱିତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାଠାରୁ ପରାସ୍ତ ହେଲେ ଭାରତ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିବ। ଏହା ହେଲେ ଭାରତ ସେମିଫାଇନାଲରେ ପଏଣ୍ଟ ତାଲିକାର ଚତୁର୍ଥ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡକୁ ଭେଟିବ। ଇଂଲଣ୍ଡକୁ ସେମିଫାଇନାଲରେ ଭେଟିବା ଅପେକ୍ଷା ଭାରତ ସେମିରେ ନ୍ୟୁଜିଲାଣ୍ଡକୁ ଭେଟିଲେ ଅପେକ୍ଷାକୃତ ସୁବିଧାଜନକ ସ୍ଥିତିରେ ରହିବ। ଭାରତ ଏପର୍ଯ୍ୟନ୍ତ ୮ଟି ମ୍ୟାଚ୍‌ ଖେଳି ୬ଟି ବିଜୟ, ଗୋଟିଏ ପରାଜୟ ଓ ଗୋଟିଏ ବିନା ଫଳାଫଳ ସହ ୧୩ ପଏଣ୍ଟ ପାଇଁ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ସେମିଫାଇନାଲ ଦୌଡ଼ରୁ ବାଦ୍‌ ପଡିସାରିଥିବା ଶ୍ରୀଲଙ୍କା ୮ଟି ମ୍ୟାଚ୍‌ ଖେଳି ୩ଟି ଲେଖାଏ ବିଜୟ ଓ ପରାଜୟ ଏବଂ ଦୁଇଟି ବିନା ଫଳାଫଳ ସହ ୮ ପଏଣ୍ଟ ପାଇ ଟେବୁଲର ଷଷ୍ଠ ସ୍ଥାନରେ ରହିଛି।
ଭାରତର ମିଡଲଅର୍ଡର ସମସ୍ୟା ଏବେ ବି ଜାରି ରହିଥିବା ବେଳେ ଟିମ୍‌ ମ୍ୟାନେଜମେଣ୍ଟ ଏ ନେଇ ଚିନ୍ତିତ ରହିଛି। ଟପ୍‌ ଅର୍ଡର ଭଲ ପ୍ରଦର୍ଶନ ଉପରେ ଦଳ ନିର୍ଭରଶୀଳ ହୋଇଛି। ଉପଅଧିନାୟକ ତଥା ଓପନର ରୋହିତ ଶର୍ମାଙ୍କ ଉପରେ ଦଳ ଅଧିକ ନିର୍ଭର କରୁଛି। ରୋହିତ ଏପର୍ଯନ୍ତ ୫୪୪ ରନ କରି ସର୍ବାଧିକ ରନ୍‌ ସଂଗ୍ରହ ତାଲିକାର ଶୀର୍ଷରେ ରହିଛନ୍ତି। ସେ ବିଶ୍ୱକପ୍‌ରେ ଏପର୍ଯ୍ୟନ୍ତ ୪ଟି ଶତକ ହାସଲ କରି ଶ୍ରୀଲଙ୍କାର କୁମାର ସାଙ୍ଗକାରାଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ଆଉ ଗୋଟିଏ ଶତକ ହାସଲ କଲେ ରୋହିତ ବିଶ୍ୱକପ୍‌ ଇତିହାସରେ ନୂଆ ରେକର୍ଡ ସୃଷ୍ଟି କରିବେ। ସେହିପରି ଅଧିନାୟକ ବିରାଟ କୋହଲି କ୍ରମାଗତ ୫ଟି ଅର୍ଦ୍ଧଶତକ ହାସଲ କରି ୪୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିସାରିଛନ୍ତି। ତେବେ ସେ ଏପର୍ଯ୍ୟନ୍ତ ତାଙ୍କ ଦକ୍ଷତା ଅନୁରୂପ ପ୍ରଦର୍ଶନ କରିପାରିନାହାନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ଧୋନୀଙ୍କୁ ଡେଥ୍‌ ଓଭରରେ କମାଲ କରିବାକୁ ପଡିବ। ଲସିଥ ମାଲିଙ୍ଗାଙ୍କ ୟର୍କର ଓ ଭେରିଏସନ ସହ ମନ୍ଥର ବୋଲିଂକୁ ସେ କିପରି ସାମ୍ନା କରୁଛନ୍ତି ତାହା ଏହି ମ୍ୟାଚ୍‌ରେ ଜଣାପଡିବ।
ଶ୍ରୀଲଙ୍କା ସ୍ପିନର ଧନଞ୍ଜୟ ଡି ସିଲ୍‌ଭା ବେଶ୍‌ ଏପର୍ଯ୍ୟନ୍ତ ବେଶ୍‌ କଞ୍ଜୁସ୍‌ ବୋଲିଂ କରିଛନ୍ତି। ମିଡଲ ଓଭରରେ ଧୋନୀ ତାଙ୍କୁ ଉଚିତ ମୁକାବିଲା କରି ରନ୍‌ ସଂଗ୍ରହ କରି ଆତ୍ମବିଶ୍ୱାସ ଫେରିପାଇବେ ବୋଲି ଆଶା କରାଯାଉଛି। ସବୁ ମ୍ୟାଚ୍‌ରେ ଧୋନୀ ସ୍ପିନରଙ୍କ ବିପକ୍ଷରେ ୮୧ଟି ବଲ ଖେଳି ମାତ୍ର ୪୭ ରନ ସଂଗ୍ରହ କରିଛନ୍ତି। ମିଡଲ ଓଭରରେ ସ୍ଲୋ ବୋଲରଙ୍କ ବିପକ୍ଷରେ ସେ ତାଙ୍କର ଦୁର୍ବଳତା ଏବେ ପଦାରେ ପଡିଛି। ଏଥିପାଇଁ ଶ୍ରୀଲଙ୍କା ଅଧିନାୟକ ଦିମୁଥ କରୁଣାରତ୍ନେ ଧୋନୀଙ୍କ ବିପକ୍ଷରେ ବାମହାତୀ ସ୍ପିନର ମିଲିନ୍ଦା ସିରିବର୍ଦ୍ଧନାଙ୍କୁ ବ୍ୟବହାର କରିବେ ବୋଲି ଆଶା କରାଯାଉଛି। ଅଧିନାୟକ କୋହଲି ଭାରତ ପାଇଁ ପ୍ରେରଣା ଉତ୍ସ ହୋଇ ରହିବେ ଓ ସେ ଭାରତକୁ ଫାଇନାଲରେ ପହଞ୍ଚାଇବାରେ ସବୁ ପ୍ରକାର ପ୍ରୟାସ କରିବେ।
ସେମିରେ ପହଞ୍ଚିସାରିଥିବାରୁ ଶ୍ରୀଲଙ୍କା ବିପକ୍ଷରେ ଭାରତ କୋତୋଟି ପରୀକ୍ଷା ନିରୀକ୍ଷା କରିବ ବୋଲି ଆଶା କରାଯାଉଛି। ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ଏହି ମ୍ୟାଚ୍‌ରେ ସୁଯୋଗ ମିଳିପାରେ। ନୂଆକରି ଦଳରେ ସାମିଲ ହୋଇଥିବା ମୟଙ୍କ ଅଗ୍ରଓ୍ବାଲଙ୍କ ସମେତ ଜାଡେଜା ଏପର୍ଯ୍ୟନ୍ତ ବିଶ୍ୱକପ୍‌ରେ କୌଣସି ମ୍ୟାଚ୍‌ ଖେଳିନାହାନ୍ତି। ଶ୍ରୀଲଙ୍କା ଦଳରେ ଏକାଧିକ ବାମହାତୀ ବ୍ୟାଟ୍ସମ୍ୟାନ ଥିବାରୁ ଜାଡେଜା ଖେଳିବାର ସମ୍ଭାବନା କମ୍‌ ରହିଛି। ଫଳରେ ଭଲ ଅଫ୍‌ ବ୍ରେକ୍‌ ବୋଲିଂ କରୁଥିବାରୁ କେଦାର ଯାଦବଙ୍କୁ ଖେଳାଇବାର ଯଥେଷ୍ଟ ସମ୍ଭାବନା ରହିଛି। ଗତ ବାଂଲାଦେଶ ବିପକ୍ଷରେ ବେଶି ବଲ୍‌ ଖେଳି ନ ଥିବା ଦୀନେଶ କାର୍ତ୍ତିକ ଏହି ମ୍ୟାଚ୍‌ରେ ନ ଖେଳିଲେ ଅନ୍ୟାୟ ହେବ। ଧୋନୀଙ୍କୁ ୪ ନମ୍ବରରେ ଖେଳାଇବା ନେଇ କୋହଲି ସେତେଟା ଉତ୍ସାହ ଦେଖାଇନାହାନ୍ତି। ଏହା ହେଲେ ପାଓ୍ବାର ହିଟର ରିଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟା ନିମ୍ନ କ୍ରମରେ ସ୍ବାଭାବିକ ଖେଳ ପ୍ରଦର୍ଶନ କରନ୍ତେ। କେତୋଟି ଅର୍ଦ୍ଧ ଶତକ ହାସଲ କରିଥିବା ଲୋକେଶ ରାହୁଲ ରୋହିତଙ୍କ ସହ ଇନିଂସ ଓପନ କରିବେ। ପୂର୍ବରୁ ରୋହିତ ଶ୍ରୀଲଙ୍କା ବିପକ୍ଷରେ ଦୁଇଟି ଦ୍ୱିଶତକ ଅର୍ଜନ କରିଛନ୍ତି। ତେବେ ସେ ମୁମ୍ବାଇ ଇଣ୍ଡିଆନ୍ସ ସାଥୀ ମାଲିଙ୍ଗାଙ୍କ ତରଫରୁ କଡ଼ା ଚ୍ୟାଲେଞ୍ଜ୍‌ର ସମ୍ମୁଖୀନ ହେବେ।
୧୪ଟି ଲେଖାଏ ଉଇକେଟ ଅକ୍ତିଆର କରିଥିବା ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଓ ମହମ୍ମଦ ସାମିଙ୍କୁ ସେମିଫାଇନାଲ ପୁର୍ବରୁ ବିଶ୍ରାମର ଆବଶ୍ୟକତା ରହିଛି। ତେବେ ଭାରତ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଅଧିକାର କରିବା ଲକ୍ଷ୍ୟରେ ଥିବାରୁ ଅତିକମ୍‌ରେ ଏହି ଦୁଇଜଣଙ୍କ ମଧ୍ୟରୁ ଜଣକୁ ବିଶ୍ରାମ ଦେବ ବୋଲି ଆଶା କରାଯାଉଛି।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହତ ଶର୍ମା, ଲୋକେଶ ରାହୁଲ, ରିଷଭ ପନ୍ତ, ହାର୍ଦ୍ଧିକ ପାଣ୍ଡ୍ୟା, ମହେନ୍ଦ୍ର ସିଂ ଧୋନୀ, ଦୀନେଶ କାର୍ତ୍ତିକ, ୟୁଜବେନ୍ଦ୍ର ଚହଲ, ମହମ୍ମଦ ସାମୀ, ଯଶପ୍ରୀତ ବୁମ୍‌ରା, ଭୁବନେଶ୍ୱର କୁମାର, କୁଲଦୀପ ଯାଦବ, ମୟଙ୍କ ଅଗ୍ରଓ୍ବାଲ, ରବୀନ୍ଦ୍ର ଜାଡେଜା ଓ କେଦାର ଯାଦବ।
ଶ୍ରୀଲଙ୍କା ଦଳ: ଦିମୁଥ କରୁଣାରତ୍ନେ (ଅଧିନାୟକ), କୁଶଲ ମେଣ୍ଡିସ୍‌, କୁଶାଲ ପେରେରା, ଲାହିରୁ ଥିରିମାନେ, ଆଞ୍ଜେଲୋ ମାଥ୍ୟୁସ, ଲସିଥ ମାଲିଙ୍ଗା, ଜୀବନ ମେଣ୍ଡିସ୍‌, ଧନଞ୍ଜୟ ଡି ସିଲଭା, କସୁନ ରଜିଥା, ଇସୁରୁ ଉଡ଼ାନା, ସୁରଙ୍ଗା ଲାକମଲ, ମିଲିନ୍ଦା ସିରିବର୍ଦ୍ଧନା, ଜେଫ୍ରି ଭାଣ୍ଡରସେ, ଥିସାରା ପେରେରା ଓ ଅଭିଷ୍କା ଫର୍ନାଣ୍ଡୋ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ ଗସ୍ତ ପାଇଁ ଇଂଲଣ୍ଡ ଦଳ ଘୋଷଣା

ଲଣ୍ଡନ,୨୨।୧୨: ଜାନୁଆରୀ ୨୨ରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି-୨୦ ଏବଂ ଦିନିକିଆ ସିରିଜ ଖେଳାଯିବ। ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ ଏଥିପାଇଁ ଦଳ...

ବକ୍ସିଂ ଡେ ଟେଷ୍ଟ ପୂର୍ବରୁ ଭାରତକୁ ବଡ଼ ଝଟ୍‌କା

ସିଡନୀ,୨୨।୧୨: ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ ଟେଷ୍ଟ ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ଆହତ ହୋଇଛନ୍ତି। ରବିବାର ଅଭ୍ୟାସ ସମୟରେ ରୋହିତଙ୍କ ଆଣ୍ଠୁରେ ଆଘାତ...

Asia Cup 2024: ବାଂଲାଦେଶକୁ ହରାଇ ପ୍ରତିଶୋଧ ନେଲା ଭାରତ

ନୂଆଦିଲ୍ଲୀ,୨୨।୧୨: ଅଣ୍ଡର -୧୯ ମହିଳା ଏସିଆ କପ ୨୦୨୪ରେ ଭାରତୀୟ କ୍ରିକେଟ ଦଳ ବାଂଲାଦେଶକୁ ପରାସ୍ତ କରି ଟାଇଟଲ ଜିତିଛି। ଚଳିତ ବର୍ଷ ଭାରତର ଯୁବ...

କେ ଏଲ୍‌ ରାହୁଲଙ୍କ ପରେ ରୋହିତ ଶର୍ମା ଆହତ, ଟିମ୍‌ ଇଣ୍ଡିଆର ବଢ଼ିଲା ଚିନ୍ତା…

ନୂଆଦିଲ୍ଲୀ,୨୨।୧୨: ବର୍ଡର-ଗାଭାସ୍କର ଟ୍ରଫିରେ ଆଉ ୨ ମୁକାବିଳା ଖେଲାଯିବ। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଲାଗି ଟୁର୍ନାମେଣ୍ଟ ଗୁରୁତ୍ୱ ରଖୁଥିବାରୁ ଉଭୟ ଟିମ୍‌ ଲାଗି ବିଜୟ ଗୁରୁତ୍ୱ...

ଆପଣ କେରମ ବଲରେ ବୋଲ୍ଡ କରିଦେଲେ, ଆର ଅଶ୍ୱିନଙ୍କ ପାଇଁ ଏମିତି ଲେଖିଲେ ମୋଦି

ନୂଆଦିଲ୍ଲୀ,୨୨।୧୨: ବ୍ରିସବେନରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚ ପରେ ଭାରତୀୟ ଦଳର ଭେଟେରାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନିକଟରେ ଅବସର ନେଇଛନ୍ତି। ମ୍ୟାଚ...

୨୩ ଫେବୃଆରୀରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ!, ମାର୍ଚ୍ଚରେ ଫାଇନାଲ

ନୂଆଦିଲ୍ଲୀ,୨୨।୧୨: ୨୦୨୫ ଚାମ୍ପିଅନ୍ସ ଟ୍ରଫି ବିଷୟରେ ବର୍ତ୍ତମାନ ବିଶ୍ୱ କ୍ରିକେଟ ରେ ଏକ ଆଲୋଚନା ହେଉଛି । ଏହି ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟ ଆରମ୍ଭ ହେବାକୁ ଦୁଇ...

ଅଶ୍ୱିନଙ୍କ ସନ୍ନ୍ୟାସକୁ ନେଇ ଆସିଲା ପତ୍ନୀଙ୍କ ପ୍ରଥମ ପ୍ରତିକ୍ରିୟା, ଲେଖିଲେ ପ୍ରେମ ଚିଠି…

ନୂଆଦିଲ୍ଲୀ,୨୧।୧୨: ନିକଟରେ ଟିମ ଇଣ୍ଡିଆର ମହାନ ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱିନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଅଶ୍ୱିନଙ୍କ ହଠାତ ଅବସର ନିଷ୍ପତ୍ତି ଅନେକଙ୍କୁ ଚକିତ...

ପୁଣି ବିବାଦରେ ବିରାଟଙ୍କ ଲୋକପ୍ରିୟ ରେଷ୍ଟୁରାଣ୍ଟ ‘ଓ୍ବାନ୍‌ 8 କମ୍ୟୁନ୍‌’, ବଡ଼ ଅବହେଳା ଯୋଗୁ ମିଳିଲା ନୋଟିସ୍‌

ବେଙ୍ଗାଲୁରୁ,୨୧।୧୨: ଅଷ୍ଟ୍ରେଲିଆ ଖବରଦାତାଙ୍କ ସହ କଥା କଟାକଟିକୁ ନେଇ ଚର୍ଚ୍ଚାରେ ଥିବା ଭାରତୀୟ କ୍ରିକେଟର ବିରାଟ କୋହଲି ବିବାଦ ଘେରକୁ ଆସିଛନ୍ତି। ବେଙ୍ଗାଲୁରୁରେ ଥିବା ତାଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri