ଲକ୍ଷ୍ନୌ, ୨୬।୧୧ (ପି.ଟି.)- ଭାରତୀୟ ମହିଳା ଶଟ୍ଲର ତନଭୀ ଲାଡ୍ ଓ ଋତୁପର୍ଣ୍ଣା ଦାସ ଏଠାରେ ଅନୁଷ୍ଠିତ ସୟଦ ମୋଦି ଇଣ୍ଟରନ୍ୟାଶନାଲ ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟର ମୁଖ୍ୟ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। ଯୋଗ୍ୟତା ପର୍ଯ୍ୟାୟର ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ତନଭୀ ୧୯-୨୧, ୨୧-୧୮, ୨୧-୮ ଗେମ୍ରେ ସାଥୀ ଖେଳାଳି ପ୍ରଶି ଜୋଶୀଙ୍କୁ ପରାସ୍ତ କରିଥିଲେ। ସେହିଭଳି ଋତୁପର୍ଣ୍ଣା ୨୧-୧୦, ୨୧-୧୨ ସିଧାସଳଖ ଗେମ୍ରେ ଶିଖା ଗୌତମଙ୍କୁ ହରାଇଛନ୍ତି। ମୁଖ୍ୟ ପର୍ଯ୍ୟାୟର ପ୍ରଥମ ରାଉଣ୍ଡରେ ତନଭୀ ରୁଷିଆର ନାଟାଲିଆ ପେର୍ମିନୋଭାଙ୍କୁ ଭେଟିବେ। ସେହିଭଳି ଋତୁପର୍ଣ୍ଣା ହଂକଂର ୟିପ୍ ପୁଇ ୟିନଙ୍କ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବେ।