ଖୋର୍ଦ୍ଧା ଅଫିସ,୨୭ା୯: ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ବେଆଇନ ଭାବେ କାର୍ଯ୍ୟ କରୁଥିବା ମଧ୍ୟସ୍ଥ ଓ ଦଲାଲଙ୍କୁ ହଟାଇବାକୁ ଏସ୍ପିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି। ତେବେ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍ଏଚ୍)ରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କାଟୁ କରୁନି। ବିଭିନ୍ନ ଘରୋଇ ମେଡିକାଲ ପକ୍ଷରୁ ନିୟୋଜିତ ଦଲାଲ ଓ ମଧ୍ୟସ୍ଥମାନେ କେତେଜଣ ଡାକ୍ତରଙ୍କ ସହ ହାତ ମିଳାଇ ରୋଗୀଙ୍କୁ ଲୁଟିବାରେ ଲାଗିଛନ୍ତି। ବେଶି ହଇରାଣ ହେଉଛନ୍ତି ଗର୍ଭବତୀମାନେ। ବିନା ହାତଗୁଞ୍ଜାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ସେବା ମିଳୁ ନ ଥିବା ଅଭିଯୋଗ ହେଉଛି। ଏ ନେଇ ଜିଲା ପରିଷଦ ବୈଠକରେ ବିଭିନ୍ନ ସମୟରେ ଉଦ୍ବେଗ ପ୍ରକାଶ ପାଇଥିଲେ ମଧ୍ୟ ପ୍ରମାଣ ନ ଥିବା ଦର୍ଶାଇ ସ୍ବାସ୍ଥ୍ୟ ବିଭାଗ ପଦକ୍ଷେପ ନେଉନାହିଁ। ଫଳରେ ହାତଗୁଞ୍ଜା ଦେଇ ପାରୁ ନ ଥିବା ଅଧିକାଂଶ ଗର୍ଭ ଯନ୍ତ୍ରଣା ପାଉଥିବା ମହିଳାମାନଙ୍କୁ ରେଫର କରି ଦିଆଯାଉଛି। କିନ୍ତୁ ଦଲାଲମାନେ ଏମାନଙ୍କୁ ଭଲ ସ୍ବାସ୍ଥ୍ୟସେବା ଓ କମଖର୍ଚ୍ଚ ହେବାର ପ୍ରଲୋଭନ ଦେଖାଇ ବେସରକାରୀ କ୍ଲିନ୍ିକକୁ ନେଇ ଯାଉଛନ୍ତି। ଯେଉଁ ଡାକ୍ତର ଗୁରୁତର କହି ରେଫର କରିଥିଲେ ସେ କାର୍ଯ୍ୟ ଦିବସରେ ମଧ୍ୟ ବେସରକାରୀ କ୍ଲିନିକ୍କୁ ଯାଇ ଅସ୍ତ୍ରୋପଚାର କରୁଛନ୍ତି। ଏପରି କି ଘରୋଇ କ୍ଲିନିକ୍ରେ ଭଲ ସ୍ବାସ୍ଥ୍ୟ ସେବା କମ ଖର୍ଚ୍ଚ ଚିକିତ୍ସା ସ୍ବପ୍ନ ହୋଇ ରହିଯାଉଛି। ଗର୍ଭବତୀ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି। ଭଲ ସେବା ନ ପାଇ ବେଳେବେଳେ ନବଜାତ ଶିଶୁ ଓ ପ୍ରସୂତି ମଧ୍ୟ ପ୍ରାଣ ହରାଇବାର ନଜିର ରହିଛି। ଏପରି କି କେତେଜଣ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବାର ଫାଇଲ ମଧ୍ୟ ଶୀତଳଭଣ୍ଡାରରେ ପଡି ରହିଛି, ଯାହାର ନଜିର ୨୦୧୭ରେ ଜିଲା ମୁଖ୍ୟ ଚିକିତ୍ସାଳୟର ଜଣେ ଡାକ୍ତରଙ୍କ ଦ୍ୱାରା ପୋଡାଡିହର ଜଣେ ନବଜାତ ଶିଶୁପୁତ୍ର ଘରୋଇ ହସ୍ପିଟାଲରେ ପ୍ରାଣ ହରାଇଥିଲେ। ଏପରି ଘଟଣା ଥରେ ନୁହେଁ ବାରମ୍ବାର ଘଟୁଥିଲେ ମଧ୍ୟ ପ୍ରତିକାର ନାହିଁ।
Posted inଆମ ଜିଲା ଖବର, ଖୋର୍ଦ୍ଧା, ରାଜ୍ୟ