ପୁରୀ ଅଫିସ, ୨୮ା୪: ଆସନ୍ତା ମେ ୮ ତାରିଖରୁ ପୁରୀ ଜିଲାର ଚାଷୀଙ୍କଠାରୁ ରବି ଧାନ ସଂଗ୍ରହ କରାଯିବ। ଏହି ଧାନ ସଂଗ୍ରହ କିପରି ସୁରୁଖୁରରେ ହେବ ସେ ନେଇ ମଙ୍ଗଳବାର ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥର ୧୨୫ଟି ମଣ୍ଡିରେ ଧାନ ସଂଗ୍ରହ ହେବ। ଏଥିପାଇଁ ଆସନ୍ତା ୫ ତାରିଖରୁ ପ୍ରଚାର କରାଯିବ । ତେବେ ଧାନ ଦେବା ବେଳେ ଚାଷୀଙ୍କ ମଧ୍ୟରେ ଯେପରି ସାମାଜିକ ଦୂରତ୍ୱ ରକ୍ଷା କରାଯାଇପାରିବ ତାହା ଉପରେ ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି । ବୈଠକରେ ଜିଲା ଯୋଗାଣ ଅଧିକାରୀ ତୁଷାରକାନ୍ତ ଦେଓଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ତେବେ କୃଷକ ପ୍ରତିନିଧି ଅଶୋକ କୁମାର ପ୍ରଧାନ କହିଛନ୍ତି, ଅମଳ ପରେ ଧାନ ରଖିବା ପାଇଁ ଅନେକ ଚାଷୀଙ୍କ ସୁବିଧା ନାହିଁ। ସେହିପରି ପ୍ରାକୃତିକ ବିପର୍ଯ୍ୟୟ ସମ୍ଭାବନାକୁ ନେଇ ଚାଷୀ ବାଧ୍ୟ ହୋଇ ବେପାରୀମାନଙ୍କୁ କୁଇଣ୍ଟାଲ ପିଛା ୧୨୦୦ରୁ ୧୩୦୦ ଟଙ୍କାରେ ଧାନ ବିକୁଛନ୍ତି। ଫଳରେ କୁଇଣ୍ଟାଲ ପିଛା ପ୍ରାୟ ୫୦୦ ଟଙ୍କା କ୍ଷତି ସହୁଛନ୍ତି। ତେଣୁ ସରକାର ଜିଲାକୁ ଅଧିକ ଟାର୍ଗେଟ ଦେବା ଦରକାର। ସେହିପରି ପୂର୍ବରୁ ସପ୍ତାହକୁ ମାତ୍ର ୩ ଦିନ ଧାନ ସଂଗ୍ରହ କରାଯାଉଥିଲା। ଯେହେତୁ ଏଥର ଗୋଟିଏ ମଣ୍ଡିରେ ଦିନକୁ କେବଳ ୩୦ଜଣ ଚାଷୀ ଧାନ ଦେଇପାରିବେ ବୋଲି ନିୟମ ହୋଇଛି ସେଥିପାଇଁ ସପ୍ତାହକୁ ୬ ଦିନ ଧାନ ସଂଗ୍ରହ ହେଉ ବୋଲି ପ୍ରଧାନ କହିଛନ୍ତି।