ଈଶ୍ୱରଙ୍କ ସୃଷ୍ଟି ଅତି ବିଚିତ୍ର। ସାରା ବିଶ୍ୱରେ କେତେ ଯେ ପ୍ରାଣୀ ଅଛନ୍ତି ତା’ର କୌଣସି କଳନା ନାହିଁ। ପ୍ରତ୍ୟେକ ପୁଣି ଭିନ୍ନ ଭିନ୍ନ। ସେହିଭଳି ଏକ ସୌଖୀନ ପ୍ରାଣୀ ରହିଥାଏ ମେକ୍ସିକୋରେ । ଯାହାର ପ୍ରାଣୀବୈଜ୍ଞାନିକ ନାମ ହେଉଛି ‘ଆକ୍ଜୋଲୋଟ୍ଲ’। ମେକ୍ସିକୋରେ ସୃଷ୍ଟି ହେଉଥିବାରୁ ଏଗୁଡ଼ିକୁ ‘ମେକ୍ସିକାନ୍ ଆକ୍ଜୋଲୋଟ୍ଲ’ ବୋଲି କୁହାଯାଇଥାଏ। ଏହା ଏପରି ଏକ ପ୍ରାଣୀ ଯାହା ତା’ର ସମଗ୍ର ଜୀବନ ଗୋଟିଏ ଲାର୍ଭା ଭଳି ଅତିବାହିତ କରିଥାଏ। ମେକ୍ସିକୋର ଏକ ହ୍ରଦ ହେଉଛି ଜୋଚିମିଲ୍କୋ। ସେହି ହ୍ରଦରେ ଏହି ସୁନ୍ଦର ଜୀବଟିକୁ ଦେଖିବାକୁ ମିଳିଥାଏ। ଏହା ମୁଖ୍ୟତଃ ଏକ ଜଳଚର ପ୍ରାଣୀ। ଏହାର ଅଙ୍ଗ ପ୍ରତ୍ୟଙ୍ଗ ଗଛ ଭଳି। ଗଛରୁ ଶାଖା ପ୍ରଶାଖା ବାହାରିବା ଭଳି ଏମାନଙ୍କ ଶରୀରରୁ ଶାଖା ପ୍ରଶାଖା ବାହାରିଥାଏ । ଖାସ୍, ଏଇଥି ପାଇଁ ଏହି ଜୀବଟକୁ ଦେଖିବାକୁ ଭିଡ଼ ଲାଗିଥାଏ। ସେତିକିନୁହେଁ, ଏହା ଦେଖିବାକୁ ମଧ୍ୟ ଭାରି ସୁନ୍ଦର। ସେଥିଲାଗି ଏହାକୁ ଘରେ ଆକ୍ୱାରିଅମ୍ରେ ରଖିବା ପାଇଁ ଲୋକମାନେ ଆଗ୍ରହ ପ୍ରକାଶ କରିଥାନ୍ତି। ତେଣୁ ଏଗୁଡ଼ିକ ବଜାରରେ ବିକ୍ରି ହେଉଥିବା ମଧ୍ୟ ଦେଖିବାକୁ ମିଳେ। ମେକ୍ସିକୋରେ ଏଥିରୁ ଏକ ରୋଷ୍ଟ ପ୍ରସ୍ତୁତ ହୁଏ ଯାହା ଭାରି ସୁଆଦ।