ମୋ ସରକାର : ଚଳେଇ ପାରିଲେ ଭଲ

ବିପିନ ବିହାରୀ ମିଶ୍ର
ବର୍ତ୍ତମାନ ‘ମୋ ସରକାର’ କାର୍ଯ୍ୟକ୍ରମରେ ସରକାରୀ କଳ ବ୍ୟସ୍ତ। ଏହାର ଉଦ୍ଦେଶ୍ୟ ଭଲ। ଏଥିରେ ରାଜନୀତିର କାରସାଦି ଅଛି ବୋଲି କହିଲେ ଅନ୍ୟାୟ ହେବ। ଯଦି ସରକାରୀ କଳକୁ କୁହାଗଲା ଆହୁରି ସକ୍ରିୟ ହୁଅ, ସର୍ବସାଧାରଣଙ୍କୁ ଉପଯୁକ୍ତ ବ୍ୟବହାର କର, ଉପଯୁକ୍ତ ଚିକିତ୍ସା କର, କେସ୍‌ଗୁଡିକର ଶୀଘ୍ର ତଦନ୍ତ କର, ତେବେ ଭୁଲ୍‌ ରହିଲା କେଉଁଠି? ଏହା ସର୍ବସାଧାରଣ ଓ ସରକାରୀ କଳ ମଧ୍ୟରେ ମାନସିକ ଦୂରତା କମେଇବ ଏବଂ ସରକାରୀ କଳର ମାନ୍ୟତା ବଢିବ। କିନ୍ତୁ ଯେ କୌଣସି କାର୍ଯ୍ୟକ୍ରମ କରିବା ପାଇଁ ଯେତେବେଳେ ଚିନ୍ତା କରାଯାଏ ତାହା କିପରି ତ୍ରୁଟିଶୂନ୍ୟ ହେବ ସେ ଦିଗ ପ୍ରତି ଦୃଷ୍ଟିଦେବା ଦରକାର। ମୋ ସରକାର କାର୍ଯ୍ୟକ୍ରମ କ୍ଷେତ୍ରରେ ୫-ଟି ମନ୍ତ୍ର ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନିଜେ ଫୋନ୍‌ କରି ଲୋକଙ୍କର ସୁବିଧା ଅସୁବିଧା ବୁଝୁଛନ୍ତି ଓ ଆବଶ୍ୟକସ୍ଥଳେ ନିର୍ଦ୍ଦେଶ ଦେଉଛନ୍ତି। ଉଚ୍ଚପଦସ୍ଥ ଅଫିସରମାନେ ଗୋଟିଏ ଟିମ୍‌ ନେଇ ଜିଲାଗୁଡ଼ିକୁ ଯାଉଛନ୍ତି ଏବଂ ଦପ୍ତର ପରିଦର୍ଶନ କରୁଛନ୍ତି। ମଞ୍ଜି ପୋତାହେଲା, ଗଛ ହେବ ଓ ଫଳ ଫଳିବ। ସେଥିପାଇଁ ଧୈର୍ଯ୍ୟର ସହିତ ଅପେକ୍ଷା କରିବାକୁ ପଡ଼ିବ।
ଏଇ ପରିପ୍ରେକ୍ଷୀରେ ସୁନ୍ଦରଗଡଡ଼ର ମୁଖ୍ୟ ଚିକିତ୍ସାଧିକାରୀ ଡା. ପଙ୍କଜ ପଟେଲଙ୍କୁ ଦିଆଯାଇଥିବା ନିଲମ୍ବନ ଆଦେଶ ଅନୁଧ୍ୟାନଯୋଗ୍ୟ। ତା’ ସହ ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣଙ୍କୁ କୈଫିୟତ ତଲବ ମଧ୍ୟ ଚର୍ଚ୍ଚାର ବିଷୟ। ଘଟଣାଟି ଏହିପରି। ଜଣେ ଦକ୍ଷ, ସଚ୍ଚୋଟ ଓ ଉଚ୍ଚ ସ୍ତରର ଆଇଏଏସ୍‌ ଅଫିସର ସୁରେଶ ମହାପାତ୍ର, ଆଉ ଜଣେ ବରିଷ୍ଠ ଆଇଏଏସ୍‌ ଅଫିସର ପାଣ୍ଡିଆନ ପ୍ରମୁଖ ସୁନ୍ଦରଗଡ଼ ସଦର ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି କେତେକ ତ୍ରୁଟି ଦେଖିଲେ ଓ ସାଙ୍ଗେ ସାଙ୍ଗେ ଗଣମାଧ୍ୟମ ପରିବେଷଣ କଲା ଯେ ମୁଖ୍ୟ ଚିକିତ୍ସାଧିକାରୀ ଡା. ପଟେଲଙ୍କୁ ଚାକିରିରୁ ନିଲମ୍ବିତ କରାଗଲା। ପଟେଲ ହେଉଛନ୍ତି ଜଣେ ପ୍ରଥମଶ୍ରେଣୀଭୁକ୍ତ କର୍ମଚାରୀ। ତାଙ୍କୁ ନିଲମ୍ବିତ କରିବାକୁ ହେଲେ ସ୍ବାସ୍ଥ୍ୟବିଭାଗର ନିର୍ଦ୍ଦେଶକ ନିଜେ କିମ୍ବା ତାଙ୍କ ମାଧ୍ୟମରେ ପ୍ରସ୍ତାବ ଯିବ। ସେଥିରେ ମୁଖ୍ୟ ଶାସନ ସଚିବ ସମ୍ମତ ହେବେ। ସ୍ବାସ୍ଥ୍ୟମନ୍ତ୍ରୀ ମଧ୍ୟ ସମ୍ମତି ଦେବେ ଓ ମୁଖ୍ୟମନ୍ତ୍ରୀ ତାହା ଅନୁମୋଦନ କରିବେ। ଏସବୁ ବିଦ୍ୟୁତ୍‌ ବେଗରେ ହୋଇଗଲା। ପଟେଲ ଆଦେଶ ପାଇବା ପୂର୍ବରୁ ଖବରକାଗଜରେ ପ୍ରକାଶିତ ହେଲା, ଟିଭିରେ ବାରମ୍ବାର କୁହାଗଲା। ଦୋଷ ଥାଉ କି ନ ଥାଉ ସେ ବର୍ତ୍ତମାନ ସାରା ରାଜ୍ୟରେ ନିନ୍ଦିତ ହେଲେ। ସେଇଭଳି କଲେକ୍ଟରଙ୍କ ଉପରେ ଅଙ୍ଗୁଳି ଉଠାଗଲା। ହସ୍ପିଟାଲ କିଭଳି ଚାଲିବ ତା’ର ଦାୟିତ୍ୱ ଜିଲାପାଳଙ୍କୁ ଦିଆଯାଇନାହିଁ। ସେ କ’ଣ କୈଫିୟତ ଦେବେ? ସୁନ୍ଦରଗଡ଼ ଜିଲାରେ ୧୫୭ ଡାକ୍ତର ନାହାନ୍ତି। ସଦର ହସ୍ପିଟାଲରେ ୪୦ ଜଣ ଡାକ୍ତର ନାହାନ୍ତି। ସୁନ୍ଦରଗଡ଼ ଜିଲାରେ ୪୭୧ ଡାକ୍ତର ଏବଂ ଅର୍ଦ୍ଧଚିକିତ୍ସକ ନାହାନ୍ତି। ଘର ନାହିଁ, ଶଯ୍ୟା ନାହିଁ। ଯେତିକି ଶଯ୍ୟା ଅଛି ତା’ଠାରୁ ତିନି ଚାରିଗୁଣ ରୋଗୀ ଚିକିତ୍ସାଳୟରେ ରହୁଛନ୍ତି। ପ୍ରତ୍ୟେକ ରୋଗୀ ସାଙ୍ଗରେ ଜଣେ ଦୁଇଜଣ ସହାୟକ ଆସୁଛନ୍ତି। ତଳେ ଶୋଇଥିବା ରୋଗୀକୁ ଦେଖିବାକୁ ହେଲେ ଡାକ୍ତରଙ୍କୁ ତଳେ ବସି କିମ୍ବା ଆଣ୍ଠୁ ମାଡି ଦେଖିବାକୁ ପଡ଼େ। ରୋଗୀଙ୍କ ତୁଳନାରେ ଔଷଧ ନାହିଁ। ସମ୍ପୂର୍ଣ୍ଣ ରକ୍ତ ଇତ୍ୟାଦି ପରୀକ୍ଷା କରିବା ପାଇଁ ଲାବୋରେଟୋରିର ଶକ୍ତି ନାହିଁ। କୌଣସି ଯନ୍ତ୍ରପାତି ଖରାପ ହେଲେ ବର୍ଷ ବର୍ଷ ଧରି ମରାମତି ହୁଏ ନାହିଁ। ପାଇଖାନା ଖରାପ ହେଲେ କୌଣସି ପଦକ୍ଷେପ ନିଆଯାଏ ନାହିଁ। ଏସବୁର ନିରାକରଣ ପାଇଁ ଡାକ୍ତରଙ୍କୁ କୌଣସି ପ୍ରଶାସନିକ କ୍ଷମତା ଦିଆଯାଇ ନାହିଁ। ଦାୟୀ ହେଉଛି ସ୍ବାସ୍ଥ୍ୟବିଭାଗ। କମିଟି ଦେଖନ୍ତୁ ଯେ ଚିକିତ୍ସା ବିଭାଗ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି କି, ଯଦି କରିଛନ୍ତି ତେବେ ଅର୍ଥ ବିଭାଗ କ’ଣ ପଦକ୍ଷେପ ନେଇଛନ୍ତି। ସରକାର ତ ବଳକା ବଜେଟ କରୁଛନ୍ତି ତେବେ ଅର୍ଥର ଅଭାବ ତ ରହିବା କଥା ନୁହେଁ। ଏସବୁ ଅବ୍ୟବସ୍ଥା ପାଇଁ ସିଡିଏମ୍‌ଓ, ସରକାର କେତେ ଦାୟୀ ଓ ସ୍ବାସ୍ଥ୍ୟ ବିଭାଗ କେତେ ଦାୟୀ? ୮୦ ଜଣ ଡାକ୍ତର ନ ଥିବା ହସ୍ପିଟାଲରେ ଡାକ୍ତରମାନେ କିଭଳି ସମସ୍ତ ରୋଗୀଙ୍କ ଜୀବନ ବଞ୍ଚେଇବେ କିମ୍ବା ସମସ୍ତଙ୍କୁ ସନ୍ତୁଷ୍ଟ କରିବେ?
ଚିକିତ୍ସା, ଜଳଯୋଗାଣ, ପୋଲିସ, ଅଗ୍ନି ନିର୍ବାପକ- ଏଗୁଡ଼ିକ ଅତ୍ୟାବଶ୍ୟକ ବିଭାଗ। ଦେଶର ଭବିଷ୍ୟତ ଗଠନ ପାଇଁ ମୁଖ୍ୟ ଭୂମିକା ନିଭାଏ ଶିକ୍ଷା ବିଭାଗ ଏବଂ ତାକୁ ମଧ୍ୟ ଅତ୍ୟାବଶ୍ୟକ ବିଭାଗ କୁହାଯିବ। ଏ ସମସ୍ତ ବିଭାଗରେ ବର୍ଷ ବର୍ଷ ଧରି ବହୁ ସ୍ଥାନ ଖାଲି ପଡ଼ିଛି। ବଳକା ବଜେଟ ନ କରି ବରଂ ନିଅଣ୍ଟିଆ ବଜେଟ କରାଯାଉ କିନ୍ତୁ ଏଇ ବିଭାଗଗୁଡ଼ିକର ଭିତ୍ତିଭୂମିକୁ ମଜଭୁତ କରାଯାଉ। ଭାରତବର୍ଷରେ ଲକ୍ଷେ ଲୋକରେ ୧୨୫ ଜଣ ପୋଲିସ ଥାଆନ୍ତି କିନ୍ତୁ ଓଡ଼ିଶାରେ ଅଛନ୍ତି ୯୮। ସେଥିରୁ ୧୫% ପଦବୀ ଖାଲି, ଅର୍ଥାତ୍‌ ଲକ୍ଷେ ଲୋକଙ୍କ କଥା ବୁଝିବେ ମାତ୍ର ୮୪ ଜଣ କର୍ମଚାରୀ। ସେଥିରେ କୁହାଯାଇଛି ଗାଡ଼ି ଧର, ଚୋରା ମଦ ବେପାର ବନ୍ଦ କର, କେସ୍‌ର ଫଇସଲା ତୁରନ୍ତ କର, ଆଇନଶୃଙ୍ଖଳା ରକ୍ଷାକର ଇତ୍ୟାଦି। ପୋଲିସରେ ଯେତିକି ସଂଖ୍ୟା ବଢ଼ାଯାଇଛି ତାହା ହେଉଛି ସଶସ୍ତ୍ର ବାହିନୀରେ। ସର୍ବସାଧାରଣ ଯାଆନ୍ତି ଥାନାକୁ, ସଶସ୍ତ୍ର ବାହିନୀ ପାଖକୁ ନୁହେଁ। ସେଇଭଳି ଅଗ୍ନି ନିର୍ବାପକ ବିଭାଗର ଭୂମିକା ଓ ଦାୟିତ୍ୱ ବହୁ ପରିମାଣରେ ବଢ଼ିଯାଇଛି, କିନ୍ତୁ ଭିତ୍ତିଭୂମିର ଉନ୍ନତି ସେଇ ପରିମାଣରେ ହୋଇପାରୁନି। ଟିମ୍‌ ଯେତେବେଳେ ଯାଉଛି ଲୋକଙ୍କ ଦୁଃଖଦୁର୍ଦ୍ଦଶା ବୁଝନ୍ତୁ କିନ୍ତୁ ତା’ ସହ କି କି ଭିତ୍ତିଭୂମି ଓ କେତେ ମାନବସମ୍ବଳ ଦରକାର ତାହା ବି ବୁଝନ୍ତୁ।
ସରକାରଙ୍କ କ୍ଷମତାର ଉତ୍ସ ଓ ମୁଖ୍ୟ ଦାୟିତ୍ୱର ସ୍ଥାନ ହେଉଛି ସଚିବାଳୟ, ଯାହା କି ମନ୍ତ୍ରିମଣ୍ଡଳ ଓ ସଚିବମାନଙ୍କର ନାକ ତଳେ ଅଛି। ଜଣେ ଡାକ୍ତର ରୋଗୀଙ୍କୁ ଠିକ୍‌ ଭାବରେ ନ ଦେଖିବା, ଜଣେ ପୋଲିସ ଉଚିତ ସମୟରେ ତଦନ୍ତ ନ କରିବା ଯେତିକି ଦୋଷାବହ, ସେକ୍ରେଟାରିଏଟର କର୍ମଚାରୀମାନେ ଫାଇଲ ମାଡ଼ି ବସିବା, କର୍ମଚାରୀମାନଙ୍କୁ ହଇରାଣ କରିବା ତତୋଽଧିକ ଦୋଷାବହ। ଯଦି ସରକାର ହିସାବ ନିଅନ୍ତି ତେବେ ଉପଲବ୍ଧି କରିବେ ଯେ, ପୋଲିସ ବିଭାଗରେ ସବୁଠାରୁ ବେଶି ଦଣ୍ଡ ଦିଆଯାଏ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ। ସଚିବାଳୟରେ ସବୁଠାରୁ କମ୍‌। ସରକାର ପ୍ରଥମେ ସଚିବାଳୟକୁ ସଜାଡନ୍ତୁ। ସଜାଡିପାରିବେ କି ନାହିଁ ମୁଁ କହିପାରୁନି କାରଣ ଏଠାରେ ଜଣେ ଗଭର୍ନରଙ୍କୁ ଠେଲାପେଲା କରାଯାଇଛି (ସେତେବେଳେ ରାଷ୍ଟ୍ରପତି ଶାସନ ଥିଲା)। ସେହିପରି ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଗୋଡ଼େଇଛନ୍ତି ପିଟିବା ପାଇଁ। ଜଣେ ଚିଫ୍‌ ସେକ୍ରେଟାରୀଙ୍କୁ ତିନି ମହଲାରୁ ତଳକୁ ଠେଲିବା ପାଇଁ ପ୍ରୟାସ କରାଗଲା ବେଳେ ପୋଲିସ ପହଞ୍ଚିବାରୁ ତାଙ୍କ ଜୀବନ ରକ୍ଷା ହୋଇଛି ଓ ଜଣେ ସେକ୍ରେଟାରୀଙ୍କୁ ଟେବୁଲ ଉପରେ ଠିଆହୋଇ କ୍ଷମା ମାଗିବାକୁ କୁହାଯାଇଛି। ବହୁଦିନ ତଳେ ଜଣେ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଲେ ସେକ୍ରେଟାରୀଙ୍କ ସମେତ ସମସ୍ତେ ୧୦ଟା ବେଳେ ଅଫିସ ଆସନ୍ତୁ। ଏହାକୁ ସମସ୍ତେ ସ୍ବାଗତ କରିବା କଥା କିନ୍ତୁ କେତେଜଣ ସେକ୍ରେଟାରୀ ଅସନ୍ତୁଷ୍ଟ ହେଲେ। କର୍ମଚାରୀ ଅସନ୍ତୁଷ୍ଟ ହେବା ଦରକାର ନାହିଁ କାରଣ ସେମାନେ ଆଦେଶ ପାଳନ କରନ୍ତି ନାହିଁ। ୧୯୬୮ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଆଦେଶ ଦେଇଥିଲେ ଯେ ଜଣକ ପାଖରେ ତିନିଦିନରୁ ଅଧିକ ଫାଇଲ ରହିଲେ ସେ ନାଲିକାଳିରେ ଦସ୍ତଖତ କରିବେ। ସେ କ୍ଷମତାରୁ ଗଲେ ଓ ଆଦେଶ ମୃତ୍ୟୁବରଣ କଲା। ଏବେ ଯଦି ଆପଣ ନିରପେକ୍ଷ ଭାବେ ଦେଖିବେ ସଚିବାଳୟ ଅପେକ୍ଷା ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟର କର୍ମଚାରୀମାନେ ବେଶି କାର୍ଯ୍ୟ କରନ୍ତି। ତାଙ୍କଠାରୁ ଜିଲା ସ୍ତରର କାର୍ଯ୍ୟାଳୟର କର୍ମଚାରୀମାନେ ଆହୁରି ବେଶି କାର୍ଯ୍ୟ କରନ୍ତି। ଅଥଚ ସେମାନେ କମ୍‌ ଦରମା ପାଆନ୍ତି ଏବଂ ସବୁଠାରେ (ସଚିବାଳୟ ସମେତ) କର୍ମଚାରୀଙ୍କ ଅଭାବ। ଏଥିରେ ପ୍ରଶାସନର କେତେ କ୍ଷତି ହେଉଛି ତାହା ଅନୁଧ୍ୟାନଯୋଗ୍ୟ। ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଥରେ ବଜେଟର ପର୍ଯ୍ୟାଲୋଚନା କରି କହିଥିଲେ ଯେ, ବହୁ ପଦବୀ ଖାଲି ରଖି ବଳକା ବଜେଟ କରିବା ହେଉଛି ଆତ୍ମପ୍ରତାରଣା। ସେଇଭଳି ବହୁ ସ୍ଥାନ ଖାଲି ରଖି କାର୍ଯ୍ୟ ଆଦାୟ କରିବା ମସ୍ତବଡ଼ ଭୁଲ୍‌। ସରକାରୀ କର୍ମଚାରୀଠାରୁ କାମ ଆଦାୟ କରାଯିବ। ଘୋଡ଼ାକୁ ଦାନା ଦିଆଯାଉ କିନ୍ତୁ ଘୋଡ଼ା ପିଠିରେ ତିନି ଜଣ ସବାର ନ ହୁଅନ୍ତୁ। ଟିକିଏ ଚିନ୍ତା କରାଯାଉ କି ଜଣେ ସିଡିଏମ୍‌ଓଙ୍କୁ କୈଫିୟତ ନ ମାଗି ସାଙ୍ଗରେ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକଙ୍କୁ ନ ନେଇ ସଙ୍ଗେ ସଙ୍ଗେ ନିଲମ୍ବିତ କରିବା ଦ୍ୱାରା ତାହାର କେତେ କୁପ୍ରଭାବ ତାଙ୍କ ଅଧୀନରେ ଥିବା ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ ଉପରେ ପଡ଼ିଥିବ। ଦୋଷୀକୁ ଦଣ୍ଡ ଦିଆଯାଉ କିନ୍ତୁ କୈଫିୟତ ମାଗିବା ପରେ। ମୋ ସରକାର ଭଳି ଏକ ପ୍ରଶଂସନୀୟ କାର୍ଯ୍ୟକ୍ରମକୁ ସକାରାତ୍ମକ ଭାବେ ପରିଚାଳନା କରାଯାଉ।
ପୂର୍ବତନ ପୋଲିସ ଡିଜି, ମୋ-୯୦୪୦୪୧୨୩୭୮


Enter your email to get our daily news in your inbox.

All Right Reserved By Dharitri.Com

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri