ପୁରୀ ଅଫିସ,୧୯ା୬: ସୁପ୍ରିମ୍କୋର୍ଟଙ୍କ ରାୟ ପରେ ଏଥର ରଥଯାତ୍ରା ହେବ ନାହିଁ। ରାଜ୍ୟ କ୍ୟାବିନେଟ ମଧ୍ୟ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବା ଲାଗି ନିଷ୍ପତ୍ତି ନେଇଛି। ତେବେ ରଥଯାତ୍ରା ନ ହେଲେ କଣ ହେବ ତିନିରଥ? ଏମିତି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି। ପୂର୍ବରୁ କେବେ ଏଭଳି ସ୍ଥିତି ଉପୁଜି ନ ଥିବାବେଳେ ଏକ ନୂଆ ପରମ୍ପରାକୁ ନେଇ ସମସ୍ତେ ଦ୍ୱନ୍ଦ୍ୱରେ। ଯଦିଓ ପ୍ରତିବର୍ଷ ରଥଯାତ୍ରା ପରେ ତିନିରଥକୁ ଭଙ୍ଗାଯାଇ ମହାପ୍ରସାଦ ପ୍ରସ୍ତୁତିରେ ବ୍ୟବହାର କରାଯାଏ, ଏଥର କିନ୍ତୁ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ସମ୍ପୂର୍ଣ୍ଣ ଭାବେ ନୂଆ ତିନିରଥ ପ୍ରସ୍ତୁତ ଅଛନ୍ତି। କ’ଣ ହେବ ତିନିରଥ? ଏହାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ବି ହେଉଛି। ଯେହେତୁ ପ୍ରତିଷ୍ଠା ହୋଇନାହିଁ ତିନିରଥକୁ ଆସନ୍ତା ବର୍ଷ ପାଇଁ ସୁରକ୍ଷିତ ରଖାଯିବା ଲାଗି ବ୍ୟବସ୍ଥା କରାଯିବା ଦରକାର ବୋଲି ଅନେକେ କହୁଛନ୍ତି। ଏହା ଯଦି ପରମ୍ପରା ବିରୋଧୀ ହୋଇ ନ ଥିବ ତେବେ ଆସନ୍ତା ବର୍ଷ ରଥ ନିର୍ମାଣ ପାଇଁ ଆଉ ଶହଶହ ଗଛ କାଟିବାକୁ ପଡିବ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।