ଭୁବନେଶ୍ୱର,୩୦।୮(ବ୍ୟୁରୋ): ଟେକ୍ଷ୍ଟ ବୁକ୍ ଅଫ ବ୍ୟୁରୋ ଅଫିସ୍ କାର୍ଯ୍ୟାଳୟଠାରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଉଚ୍ଚଶିକ୍ଷା ବିଭାଗ ସଚିବ, ଟେକ୍ଷ୍ଟ ବୁକ୍ ଅଫ୍ ବ୍ୟୁରୋର ନିର୍ଦ୍ଦେଶକ ଏବଂ ସଦସ୍ୟମାନେ ଉପସ୍ଥିତ ରହି ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି କାର୍ଯ୍ୟାଳୟରେ ବିଶ୍ୱବିଦ୍ୟାଳୟ, ଯୁକ୍ତ ୨ ଆଦି ବିଭିନ୍ନ ପିଲାଙ୍କ ପରୀକ୍ଷା ପେପର୍ଠାରୁ ଆରମ୍ଭ କରି ବହି ଆଦି ଛପା ଯାଇଥାଏ। ବର୍ତ୍ତମାନ ଏହି କାର୍ଯ୍ୟାଳୟ ପକ୍ଷରୁ ୧୪କୋଟି ଟଙ୍କାର ବହି ଛପାଯାଇଛି। ଏହି ବହିଗୁଡିକ କିପରି ଠିକ୍ ଭାବରେ ବଣ୍ଟାଯାଇପାରିବ ସେନେଇ ବିଶେଷତଃ ଆଲୋଚନା କରାଯାଇଛି। ପୂର୍ବରୁ ଟେକ୍ଷ୍ଟ ବୁକ୍ ଅଫ୍ ବ୍ୟୁରୋ ଦ୍ୱାରା ଯୁକ୍ତ ୨ ପିଲାଙ୍କ ପାଠ୍ୟ ପୁସ୍ତକ ଛପାଯାଉଥିଲା। କିନ୍ତୁ ଆଗକୁ ଆଉ ଯୁକ୍ତ ୨ ଛାତ୍ରୀଛାତ୍ରଙ୍କ ବହି ଛପାଯିବ ନାହିଁ ବୋଲି ଜଣାପଡିଛି। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି। ଗଣଶିକ୍ଷା ବିଭାଗ ସେମାନଙ୍କ ବହି ଛାପିବା ବ୍ୟବସ୍ଥା ନିଜସ୍ବ ମାଧ୍ୟମରେ କରିବାକୁ ସ୍ଥିର କରିଥିବା ଜଣାପଡିଛି। ଅନ୍ୟପଟେ ଟେକ୍ଷ୍ଟ ବୁକ୍ ଅଫ୍ ବ୍ୟୁରୋ ଚଳିତ ବର୍ଷ ତା’ର ସୁବର୍ଣ୍ଣ ଜୟନ୍ତୀ ପାଳନ କରିବା ଲାଗି ମନ୍ତ୍ରୀଙ୍କ ନିକଟରେ ପ୍ରସ୍ତାବ ରଖିଛନ୍ତି। ଏନେଇ ବିଧିବଦ୍ଧ ଭାବରେ କୌଣସି ନିର୍ଦ୍ଦିଷ୍ଟ ତାରିଖ ଠିକ୍ ହୋଇ ନ ଥିବା ବେଳେ ଏହା ଖୁବ୍ଶୀଘ୍ର କରାଯିବ ବୋଲି ସେ କହିଛନ୍ତି।