ଜ୍ୟେଷ୍ଠର ରୌଦ୍ରତା ସହ ଆଷାଢ଼ର ଶୀତଳତା ଓ ମାଟି ମା’ ସହ ଶୀତଳ ବାରିଧାରାର ମିଳନ ରଜପର୍ବର ଅନ୍ୟତମ ଆକର୍ଷଣ। ବନ୍ଧୁ ସହ ବନ୍ଧୁର ମିଳନ ଆଉ କ୍ଷେତ ସହ କୃଷକର ମିଳନ ଆଣିଦିଏ ଅପୂର୍ବ ମାଦକତା। ତେବେ ପରିବର୍ତ୍ତିତ ପରିସ୍ଥିତିରେ ଏହାର ମହତ୍ତ୍ୱ କ୍ରମଶଃ କମିଆସୁଥିଲେ ମଧ୍ୟ ସମ୍ପୂର୍ଣ୍ଣ ଲୋପ ପାଇପାରି ନାହିଁ। ନୟାଗଡ଼ ଜିଲାର ବିଭିନ୍ନ ଅନୁଷ୍ଠାନ ଏହାକୁ ବଞ୍ଚାଇ ରଖିବାକୁ ଉଦ୍ୟମ ଜାରି ରଖିଛନ୍ତି। ତେବେ ଚଳିତବର୍ଷ କରୋନା ଯୋଗୁ ଗାଁ ଗଣ୍ଡା ଓ ସହରରେ ଏହା ଫିକା ପଡିଛି।
ଗାଁରୁ ସହରଯାଏ ସବୁଠି ଅନୁଭୂତ ହେଉଥିଲା ରଜର ମିଠା ଅନୁଭୂତି। ବୁଢ଼ୀମା’ର ପାନ ବଟୁଆ ଭିତରେ ଲୁଚି ରହିଛି ନିୟୁତ ଯୁଗର ସ୍ନେହ, ଶ୍ରଦ୍ଧା, ପ୍ରେମ ଓ ଭଲ ପାଇବା। ମା’ର ହାତ ତିଆରି ଆରିସା ପିଠା ମଧ୍ୟରେ ଭରି ରହିଛି ଆଞ୍ଜୁଳା ଆଞ୍ଜୁଳା ସ୍ନେହ। ମିଳନ,ମାଦକତା, ଆନନ୍ଦ, ଉଲ୍ଲାସର ଏହି ପର୍ବରେ ଯିଏ ଯେଉଁଠି ଥାଉନା କାହିଁକି ଗାଁକୁ ଫେରିଥାନ୍ତି। ପ୍ରତ୍ୟେକ ପରିବାର ଏଥିପାଇଁ ଆଗଭର। ୩ଦିନ ପୂର୍ବରୁ ପ୍ରସ୍ତୁତି ସାରି ସଜବାଜ ହୋଇ ଏମାନେ ରଜ ପାଳିଥାନ୍ତି। ସମସ୍ତଙ୍କର ନୂଆ ବସ୍ତ୍ର। ପିଲା ମାନଙ୍କର ରଙ୍ଗବେରଙ୍ଗ ପୋଷାକ। ସମସ୍ତଙ୍କ ଘରେ ପୋଡପିଠା ସାଙ୍ଗକୁ ଆରିସା, କାକରା, ମଣ୍ଡା, ଚକୁଳିର ମହକ। ପିଲାଠାରୁ ବୟସ୍କ ସମସ୍ତେ ପାନର ମଧ୍ୟ ମଜା ନେଇଥାନ୍ତି। ଅନ୍ୟ ଓଷା ପରି ଏଥିରେ ଉପାସ ବ୍ରତ କରିବାକୁ ପଡେ ନାହଁି କି ଖାଇବାରେ ନ ଥାଏ ପ୍ରତିବନ୍ଧକ। ଖାଇବା, ଖୁଆଇବା ଏବଂ ସାହି ପଡିଶାରେ ବାଣ୍ଟିବା ନୟାଗଡ଼ ଜିଲାର ଗ୍ରାମାଞ୍ଚଳରେ କେଉଁ କାଳରୁ ପରମ୍ପରା ରହିଛି। ରଜ ସମୟରେ ଏଠାକାର ଗାଁ ଗହଳିରୁ ଶୁଭେ ପ୍ରେମ ଓ ସ୍ନେହର ଭାଷା। ଭଉଣୀ ତା’ର ଗେହ୍ଲା ଭାଇ ପାଇଁ ଗାଇଥାଏ ପ୍ରେମର ସଙ୍ଗୀତ। ଅନ୍ୟ ଝିଅପୁଅମାନେ ମଧ୍ୟ ଗାଇଥାନ୍ତି ଭଳିକି ଭଳି ଗୀତ। ଦୋଳିରେ ବସି ରଜ ଦୋଳି କଟମଟ ମୋ ଭାଇ ମୁଣ୍ଡରେ ସୁନା ମୁକୁଟ, ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ ଆଦି ଗୀତ ଗାଇଥାନ୍ତି। ଗଁାର ଝିଅ ବୋହୂମାନେ ଦେହରେ ବଟା ହଳଦୀ ଓ ଚନ୍ଦନର ପ୍ରଲେପ ମାଖି ମୁହଁରେ ଚନ୍ଦନ ଟିପା, କୁଙ୍କୁମ, ଆଖିରେ କଜ୍ଜଳ ଓ ପାଦରେ ଅଳତା ଲଗାଇ ନୂଆ ଲୁଗା ପିନ୍ଧି ଦଳ ଦଳ ହୋଇ ବୁଲିଥାନ୍ତି। ଯୁବକମାନେ ଲୁଡୁ, ତାସ୍, ପଶାପାଲିରେ ବିଭୋର ଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳେ। ନୟାଗଡ଼ ଅନତି ଦୂର ଇଟାମାଟିର ତନ୍ତି ସାହି, ସାଲୁଣୀ ଗ୍ରାମ ଭଳି ଜିଲାର ବିଭିନ୍ନ ଗ୍ରାମରେ କୁଆଁରୀ ଝିଅମାନେ ପ୍ରତିବର୍ଷ ରଜ ମହୋତ୍ସବ ପାଳନ କରି ଦୋଳି ଖେଳକୁ ବେଶ୍ ଉପଭୋଗ କରିଥାନ୍ତି। ସହରରେ ଥିବା ନାରାୟଣ ପାର୍କରେ ରଜ ଦୋଳି ଖେଳିବା ପାଇଁ ଭିଡ଼ ଜମେ। ନୟାଗଡ଼ ବ୍ଲକ ଇକିରି ପଞ୍ଚୟତ ନଛିପୁର ଗାଁରେ ଛୋଟ ଝିଅଙ୍କଠାରୁ ଆରମ୍ଭ କରି କୁଆଁରୀ ଝିଅମାନେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥାନ୍ତି। ଏଠାରେ ପୁଚି ଖେଳଠାରୁ ଆରମ୍ଭ କରି ବେଲୁନ୍ ଫୁଙ୍କା, ଝୋଟି ମୁରୁଜ ଆଦି ପ୍ରତିଯୋଗିତା ହୋଇଥାଏ। ରଜ ପାନ ଖାଇବା ପାଇଁ ବିଭିନ୍ନ ପାନ ଦୋକାନରେ ଭିଡ଼ ଜମିଥାଏ। ରଜକୁ ଦୃଷ୍ଟିରେ ରଖି କିଛି ପାନ ଦୋକାନ ତରଫରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ହେଲେ କରୋନା ପାଇଁ ସବୁକିଛି ଯେମିତି ମଉଳିଯାଇଛି।
– ଲୋକନାଥ ମିଶ୍ର, ନୟାଗଡ଼