ପୁରୀ ଅଫିସ, ୨୮।୫: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ସୁରକ୍ଷା ନେଇ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ରଥଯାତ୍ରା ମାସକ ପୂର୍ବରୁ ମଙ୍ଗଳବାର ସିପି ଅଫିସରେ ପୋଲିସ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା ପ୍ରସ୍ତୁତି ବୈଠକ କରିଛନ୍ତି। ବୈଠକ ପରେ ଡିଜିପି କହିଛନ୍ତି ଯେ, ବାତ୍ୟା ‘ଫନୀ’ ପ୍ରଭାବରେ ପୁରୀ ଅଧିକ ପ୍ରଭାବିତ ହୋଇଛି। ବିଶେଷ କରି ବହୁ ସିସିଟିଭି ନଷ୍ଟ ହୋଇଛି। ତେଣୁ ସୁରକ୍ଷା ପାଇଁ ବଡ ଚ୍ୟାଲେଞ୍ଜ ହେବ। ଏଥିପାଇଁ ଅସ୍ଥାୟୀ ସିସିଟିଭି ଲାଗିବ। କଣ୍ଟ୍ରୋଲ ରୁମ୍ରୁ ସିଧାସଳଖ ଭାବେ ସିସିଟିଭି ମନିଟରିଂ କରି ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରାଯିବ। ସେହିପରି ଅଘଟଣ ରୋକିବା ପାଇଁ ବ୍ୟାପକ ଫୋର୍ସ ସଜାଗ ରହିବେ। ରେଳ ଯାତ୍ରୀଙ୍କ ସୁରକ୍ଷା, ଅଘଟଣ ଏଡ଼ାଇବାକୁ ବ୍ୟବସ୍ଥା କରାଯିବ। ଖୁବ୍ଶୀଘ୍ର ବିଏସ୍ଏଫ୍, ସିଆର୍ପିଏପ୍, କୋଷ୍ଟଗାର୍ଡଙ୍କୁ ନେଇ ସମନ୍ବୟ ବୈଠକ ହେବ ବୋଲି ସେ କହିଛନ୍ତି।