ପୁରୀ ଅଫିସ, ୨୩ା୬: ବିଶ୍ୱବ୍ରହ୍ମାଣ୍ଡର ହିତ ନିମନ୍ତେ ଅନୁଷ୍ଠିତ ହୋଇଥାଏ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା। ଏଥିପାଇଁ ପ୍ରତିବର୍ଷ ତିନିଗୋଟି ରଥ ନିର୍ମିତ ହୋଇଥାଏ। ଏହି ରଥରେ ଚତୁର୍ଦ୍ଧାବିଗ୍ରହଙ୍କ ସହିତ ରାମ, କୃଷ୍ଣ ଓ ମଦନମୋହନ ଯାଇଥାନ୍ତି। ଏଥିସହିତ ଗନ୍ଧର୍ବ, ଯକ୍ଷ ଓ ଅପ୍ସରାମାନେ ମଧ୍ୟ ଯାତ୍ରା କରିଥାନ୍ତି ।
ଏ ସମ୍ପର୍କରେ ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କୁହନ୍ତି, ପୁରାଣ ମତରେ ଗନ୍ଧର୍ବ ଅର୍ଥ ଦେବତାଙ୍କ ଶ୍ରେଣୀବିଶେଷ। ଏମାନେ ସ୍ବର୍ଗରେ ରହନ୍ତି ଓ ଗାନ କରନ୍ତି। ଅଗ୍ନି ପୁରାଣରେ ଗନ୍ଧର୍ବଙ୍କର ୧୧ ପ୍ରକାର ଭେଦ କଳ୍ପନା କରାଯାଇଛି। ବେଦରେ ଗନ୍ଧର୍ବଙ୍କୁ ଦୁଇଶ୍ରେଣୀରେ ବିଭକ୍ତ କରାଯାଇଛି ଯଥା ସ୍ବର୍ଗବାସୀ ଓ ଅନ୍ତରୀକ୍ଷବାସୀ। ଗନ୍ଧର୍ବମାନଙ୍କର ସ୍ବାମୀ ବରୁଣ ଓ ମତାନ୍ତରେ କୁବେର। ଗନ୍ଧର୍ବମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅତ୍ୟନ୍ତ ପ୍ରିୟ ଭକ୍ତ ଅଟନ୍ତି। ତେଣୁ ରଥଯାତ୍ରା ସମୟରେ ରଥର ନିର୍ଦ୍ଦିଷ୍ଟ ସ୍ଥାନରେ ରହି ଏମାନେ ଯାତ୍ରା କରିଥାନ୍ତି। ଶ୍ରୀବଳଭଦ୍ରଙ୍କ ରଥରେ ଥିବା ଗନ୍ଧର୍ବଙ୍କ ନାମ ହୁହୁ ଏବଂ ଦେବୀ ସୁଭଦ୍ରାଙ୍କ ରଥରେ ଥିବା ଗନ୍ଧର୍ବଙ୍କ ନାମ ହାହା।
ସେହିପରି ଯକ୍ଷ ମଧ୍ୟ ରଥରେ ଅବସ୍ଥାନ କରି ଯାତ୍ରା କରିଥାନ୍ତି। ଯକ୍ଷ ହେଉଛନ୍ତି ଦେବଯୋନି ବିଶେଷ। କୁବେରଙ୍କ ଧନ ଓ ଉଦ୍ୟାନର ରକ୍ଷକ। ଏମାନଙ୍କର ସାଧନା କଲେ ସାଧକ ବହୁ ଧନଶାଳୀ ହୋଇଥାନ୍ତି। ଏମାନେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପରମ ଭକ୍ତ। ତେଣୁ ରଥଯାତ୍ରା ସମୟରେ ଯକ୍ଷ ମଧ୍ୟ ଯାତ୍ରାରେ ସାମିଲ ହୋଇଥାନ୍ତି। ଶ୍ରୀଜଗନ୍ନାଥଙ୍କ ରଥରେ ଥିବା ଯକ୍ଷଙ୍କ ନାମ ହର୍ଯ୍ୟକ୍ଷ। ସେହିପରି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ଯାତ୍ରା କରୁଥିବା ଯକ୍ଷଙ୍କ ନାମ କିଂଜ୍ୱଳିକା। ଏଥିସହିତ ଅପ୍ସରାମାନେ ମଧ୍ୟ ରଥରେ ବସି ଠାକୁରଙ୍କ ସହିତ ଯାତ୍ରା କରିଥାନ୍ତି। ଅପ୍ସରାମାନେ ସ୍ବର୍ଗର ନର୍ତ୍ତକୀ। ଏମାନେ ଇନ୍ଦ୍ରଙ୍କ ରାଜସଭା ସୁଧର୍ମାରେ ଗୀତ ଗାଇ ନାଚନ୍ତି। ଏମାନେ ଅତି ସୁନ୍ଦରୀ ଓ ନୃତ୍ୟଶିଳା। ଏ ସମସ୍ତେ ସମୁଦ୍ର ମନ୍ଥନରୁ ଜାତ। ଏମାନଙ୍କ ମଧ୍ୟରୁ ୨ ଜଣ ଅପ୍ସରା ପୁଲୋମୋଚା ଓ ଉର୍ବସୀ ନନ୍ଦିଘୋଷ ରଥରେ ଯଥା ସ୍ଥାନରେ ଅବସ୍ଥାନ କରି ଯାତ୍ରା କରିଥାନ୍ତ। ଏହିପରି ଭାବେ ରଥରେ ଠାକୁରମାନଙ୍କ ସହିତ ଗନ୍ଧର୍ବ, ଯକ୍ଷ ଓ ଅପ୍ସରାମାନେ ଯାଇଥାନ୍ତି ।