ବଜେଟରେ କ’ଣ ନୂଆ
ଇ-ବଜେଟର ପ୍ରଚଳନ, ଯାହାକି ପରିବେଶ ଅନୁକୂଳ ପଦକ୍ଷେପ ହୋଇପାରିଛି। ସ୍ବତନ୍ତ୍ର ମୋବାଇଲ ଆପ୍, ଯାହାକି ଗୁଗଲ ପ୍ଲେ ଷ୍ଟୋର୍ ଏବଂ ଆପଲ୍ ଆପ୍ ଷ୍ଟୋର୍ରେ ଉପଲବ୍ଧ। ବଜେଟ ମୋବାଇଲ୍ ଆପ୍କୁ ସହଜରେ ଉପଲବ୍ଧ କରିବାକୁ ‘କ୍ୟୁଆର୍ କୋଡ୍’ର ବ୍ୟବସ୍ଥା। ଦେଶର ପ୍ରଥମ ରାଜ୍ୟ ଭାବେ ‘ନ୍ୟୁଟ୍ରିଶନ ବଜେଟ’ ଦସ୍ତାବିଜର ଶୁଭାରମ୍ଭ। ଦେଶର ପ୍ରଥମ ରାଜ୍ୟ ଭାବରେ ‘ଜଳବାୟୁ ବଜେଟ’ର ଶୁଭାରମ୍ଭ। ବଜେଟର ବିଶ୍ୱସନୀୟତାରେ ଉନ୍ନତି ଆଣିବା ପାଇଁ ‘ଷ୍ଟ୍ରାଟେଜିକ୍ ବଜେଟିଂ’ ପ୍ରକ୍ରିୟାର ପ୍ରବର୍ତ୍ତନ।
ମହିଳା ସଶକ୍ତୀକରଣ
୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ମମତା ଯୋଜନାରେ ୩୦୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସପ୍ଲିମେଣ୍ଟାରି ନ୍ୟୁଟ୍ରିଶନ ପ୍ରୋଗ୍ରାମ ଅଧୀନରେ ୧,୧୬୧ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। ‘ମିଶନ ଶକ୍ତି’ ଅଧୀନରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି) ଏବଂ ସେମାନଙ୍କ ସଂଘର ସହାୟତା ଲାଗି ୩୧୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। କାର୍ଯ୍ୟରତ ମହିଳାମାନଙ୍କ ହଷ୍ଟେଲ ନିର୍ମାଣ ପାଇଁ ୧୦ କୋଟି ଟଙ୍କାର ପ୍ରସ୍ତାବ ରହିଛି।
ଖାଦ୍ୟ ନିରାପତ୍ତା
ରାଜ୍ୟର ନିଜସ୍ବ ଖାଦ୍ୟ ନିରାପତ୍ତା ଯୋଜନା ମାଧ୍ୟମରେ ୨୩ ଲକ୍ଷ ଅତିରିକ୍ତ ହିତାଧିକାରୀଙ୍କୁ ମାସିକ ୫ କେ.ଜି. ଚାଉଳ ରିହାତି ଦରରେ କେ.ଜି ପିଛା ୧ ଟଙ୍କା ମୂଲ୍ୟରେ ଯୋଗାଇଦିଆଯାଉଛି। ଏଥିନିମନ୍ତେ ମୋଟ ୧୦୩୮ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଜାତୀୟ ଖାଦ୍ୟ ନିରାପତ୍ତା ଯୋଜନା (ଏନ୍ଏଫ୍ସିଏସ୍) ପାଇଁ ୨୧୦ କୋଟି ଟଙ୍କାର ପ୍ରସ୍ତାବ ରହିଛି। ସେହିପରି ସୁଲଭ ମୂଲ୍ୟ ଦୋକାନଗୁଡ଼ିକର ଡିଲର ଲାଭାଂଶ ବାବଦକୁ ଓ ପରିବହନ ଖର୍ଚ୍ଚ ପାଇଁ ୯୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ରାଜ୍ୟରେ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମକୁ ସୁଦୃଢ଼ କରିବା ଲାଗି ୬୩୧ କୋଟି ଟଙ୍କାର ଅଂଶଦାନ ପ୍ରଦାନ କରାଯିବ।
ଏସ୍ସି, ଏସ୍ଟି, ଓବିସି ଏବଂ ସଂଖ୍ୟାଲଘୁ ବିକାଶ
ଅନୁସୂଚିତ ଜାତି ଓ ଜନଜାତିର ଉପ-ଉପାଦାନ ଅଧୀନରେ ମୋଟ ୨୩୮୦୮ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଆକାଂକ୍ଷା ଯୋଜନା ଅଧୀନରେ ଅନୁସୂଚିତ ଜନଜାତି ଛାତ୍ରୀମାନଙ୍କ ଉଚ୍ଚଶିକ୍ଷା ନିମନ୍ତେ ସହରାଞ୍ଚଳରେ ଛାତ୍ରୀନିବାସ ନିର୍ମାଣ ପାଇଁ ୨୭୭ କୋଟି ଟଙ୍କା ଖର୍ଚ୍ଚ କରାଯିବ। ପ୍ରି-ମାଟ୍ରିକ ଓ ପୋଷ୍ଟ-ମାଟ୍ରିକ ବୃତ୍ତି ବାବଦରେ ୯୩୬ କୋଟି ଟଙ୍କା ଖର୍ଚ୍ଚ ହେବ। ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ୧୨୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ବିଭିନ୍ନ ସାମାଜିକ କ୍ଷେତ୍ରର ଉନ୍ନୟନ ପଦକ୍ଷେପ ଓ ‘ଅନ୍ବେଷା’ ପାଇଁ ୧୦୩ କୋଟି ଟଙ୍କା ଖର୍ଚ୍ଚ ହେବ।
୭ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ୫୬୨ କୋଟି
ଜନସାଧାରଣଙ୍କ ସ୍ବାସ୍ଥ୍ୟସେବା ଲାଗି ମୋଟ ୭ ହଜାର ୭୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି, ଯାହାକି ବିଗତ ବର୍ଷ ତୁଳନାରେ ୧୪% ଅଧିକ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୧,୧୦୮ କୋଟି ଟଙ୍କା ବ୍ୟୟବରାଦ ହୋଇଥିବାବେଳେ ‘ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବା ମିଶନ’ ପାଇଁ ୫୭୮ କୋଟି, ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ମିଶନ ଲାଗି ୧୬୫୨ କୋଟି ଏବଂ ନିର୍ମଳ ଯୋଜନା ପାଇଁ ୩୬୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ସେହିପରି କଟକସ୍ଥିତ ଏସ୍ସିବି ମେଡିକାଲକୁ ଅତ୍ୟାଧୁନିକ ବିଶ୍ୱସ୍ତରୀୟ ପ୍ରତିଷ୍ଠାନରେ ପରିଣତ କରିବା ପାଇଁ ଆଗାମୀ ୨ ବର୍ଷ ମଧ୍ୟରେ ୧,୦୦୦ କୋଟି ଟଙ୍କାର ନିବେଶ ଲକ୍ଷ୍ୟ ରହିଛି। ଏନ୍ଟିପିସି ସହାୟତାରେ ପୁରୀ, ଯାଜପୁର, କେନ୍ଦୁଝର, ଭବାନୀପାଟଣା, ସୁନ୍ଦରଗଡ଼ ଏବଂ ଏମ୍ସିଏଲ୍ ସହାୟତାରେ ତାଳଚେର ଓ କନ୍ଧମାଳ ଜିଲାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ୫୬୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଭୁବନେଶ୍ୱର ଓ ଅନୁଗୋଳସ୍ଥିତ ଇଏସ୍ଆଇ ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ୨୨୦ ଚିକିତ୍ସକ ଓ ସରକାରୀ ସ୍ବାସ୍ଥ୍ୟକର୍ମୀ ପଦବୀ ସୃଷ୍ଟି ଏବଂ ରାଜ୍ୟ କର୍ମଚାରୀ ବୀମା ଯୋଜନା (ଇଏସ୍ଆଇ) ଲାଗି ୪୭ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।
ଶିକ୍ଷା ଓ ଦକ୍ଷତା ବିକାଶ: ଖର୍ଚ୍ଚ ହେବ ୨୨, ୬୩୧ କୋଟି
ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ମୋଟ ୨୨,୬୩୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସମଗ୍ର ଶିକ୍ଷା ଅଭିଯାନ ଓ ମଧ୍ୟାହ୍ନଭୋଜନ ପାଇଁ ଯଥାକ୍ରମେ ୩୧୫୭ କୋଟି ଓ ୮୦୦ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। ଏହାର ୪୦% ହେଉଛି ରାଜ୍ୟ ଅଂଶ। ‘ଓଡ଼ିଶା ଆଦର୍ଶ ବିଦ୍ୟାଳୟ’ ଯୋଜନା ଅଧୀନରେ ବିଦ୍ୟାଳୟ ସ୍ଥାପନ ଓ ପରିଚାଳନା ପାଇଁ ୪୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ୧୦ ହଜାର ପ୍ରାଥମିକ ଓ ଉଚ୍ଚପ୍ରାଥମିକ ସ୍କୁଲକୁ ଏଲ୍ପିଜି ସଂଯୋଗ ନିମନ୍ତେ ୮ କୋଟି ଟଙ୍କା ଧାର୍ଯ୍ୟ ହୋଇଛି। ‘ମୋ ସ୍କୁଲ’ ଅଭିଯାନ ପାଇଁ ୪୦ କୋଟି ଟଙ୍କାର ବ୍ୟୟବରାଦ ହୋଇଥିବାବେଳେ ଏହି ଯୋଜନାରେ ସରକାର ଲୋକଙ୍କ ଦ୍ୱାରା ପ୍ରଦତ୍ତ ରାଶିର ୨ଗୁଣ ପ୍ରଦାନ କରି ବିଜ୍ଞାନାଗାର, ପାଠାଗାର ଓ କ୍ରୀଡ଼ାର ବିକାଶ କରିବେ। ‘ମୋ କଲେଜ’ ଅଧୀନରେ କର୍ପସ ପାଣ୍ଠି ଲାଗି ୧୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ସେହିପରି ‘ଗଙ୍ଗାଧର ମେହେର ମାନକ ଶିକ୍ଷା ବୃଦ୍ଧି ଯୋଜନା’ (ଜିଏମ୍ଏସ୍ଏମ୍ଓ୍ବାଇ) ପାଇଁ ୨୩୧ କୋଟି ଟଙ୍କା ବ୍ୟୟବରାଦ ହୋଇଥିବାବେଳେ ଏଥିରେ ବିଭିନ୍ନ ଶ୍ରେଣୀର ପିଲାଙ୍କୁ ମାଗଣାରେ ସ୍କୁଲ ବ୍ୟାଗ, ପାଠ୍ୟପୁସ୍ତକ, ଜୋତା, ପୋଷାକ, ସାଇକେଲ ଆଦି ଦିଆଯିବା ବ୍ୟବସ୍ଥା ହେବ। ପ୍ରି-ମାଟ୍ରିକ ଓ ପୋଷ୍ଟ-ମାଟ୍ରିକ ବୃତ୍ତି ଆକାରରେ ୧୪୨୫ କୋଟି ଟଙ୍କା ଦିଆଯିବ। ଓଡ଼ିଶା ହାୟର ଏଜୁକେଶନ ପ୍ରୋଗ୍ରାମ୍ ଫର୍ ଏକ୍ସିଲେନ୍ସ ଆଣ୍ଡ୍ ଇକ୍ୟୁଟି (ଓଏଚ୍ଇପିଇଇ) ପାଇଁ ୧୩୦ କୋଟି ଟଙ୍କାର ପ୍ରସ୍ତାବ ରହିଛି। ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ (ରୁଷା) ପାଇଁ ୨୨୦ କୋଟି ଟଙ୍କାର ପ୍ରସ୍ତାବ ରହିଛି। ସେହିପରି ଓଡ଼ିଶା ଦକ୍ଷତା ବିକାଶ ପ୍ରକଳ୍ପ ଅଧୀନରେ ଏକ ବିଶ୍ୱ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ୨୨୦ କୋଟି ଟଙ୍କାର ପ୍ରସ୍ତାବ ରହିଛି। ବୈଷୟିକ ବିଶ୍ୱବିଦ୍ୟାଳୟ, ଯାନ୍ତ୍ରିକ ମହାବିଦ୍ୟାଳୟ, ପଲିଟେକ୍ନିକ୍ ଏବଂ ଆଇଟିଆଇଗୁଡ଼ିକର ଭିତ୍ତିଭୂମି ବିକାଶ ଲାଗି ୧୯୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।
ପାନୀୟ ଜଳ ପାଇଁ ୮ ହଜାର କୋଟି
ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇଦେବା ପାଇଁ ମୋଟ ୮ ହଜାର କୋଟି ଟଙ୍କାର ପ୍ରସ୍ତାବ ରହିଛି। ବସୁଧା ଯୋଜନାରେ ଗ୍ରାମାଞ୍ଚଳରେ ଜଳଯୋଗାଣ ପାଇଁ ୩୨୫୦ କୋଟି ଓ ସହରାଞ୍ଚଳ ପାଇଁ ୨୩୬ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଜଳ ଜୀବନ ମିଶନ ପାଇଁ ୨ ହଜାର କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦ କରାଯାଇଥିବାବେଳ ଜଳଯୋଗାଣ ବ୍ୟବସ୍ଥାର କାର୍ଯ୍ୟକ୍ଷମ ଓ ରକ୍ଷଣାବେକ୍ଷଣ ପାଇଁ ୫୬୦ କୋଟି ଟଙ୍କା ଖର୍ଚ୍ଚ ହେବ। ବଜେଟ ବହିର୍ଭୂତ ସମ୍ବଳ ଯଥା- ଜିଲା ଖଣିଜ ସମ୍ପଦ ପାଣ୍ଠି ଓ ଓଡ଼ିଶା ଖଣିଜ ସମ୍ପଦପୂର୍ଣ୍ଣ ଅଞ୍ଚଳ ଉନ୍ନୟନ ନିଗମ ଦ୍ୱାରା ପ୍ରଦତ୍ତ ଯଥାକ୍ରମେ ୧୫୩୮ କୋଟି ଓ ୯୯୧ କୋଟି ଟଙ୍କା ଅନୁଦାନକୁ ଏକତ୍ର କରି ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇବାକୁ ବ୍ୟବସ୍ଥା କରାଯାଇଛି। ଚଳିତବର୍ଷ ଭୁବନେଶ୍ୱର ଓ ପୁରୀରେ ୯ଟି ପାଇଲଟ ପ୍ରକଳ୍ପ ପାଇଁ ୫୬୦ କୋଟି ଟଙ୍କାର ପ୍ରସ୍ତାବ ରହିଛି।
ଶିଳ୍ପ ବିକାଶ ଲାଗି ନିବେଶ ହେବ ୫୭୫ କୋଟି
ଶିଳ୍ପ କ୍ଷେତ୍ରରେ ଉନ୍ନୟନ ଓ ପୁଞ୍ଜିନିବେଶକୁ ଆକର୍ଷିତ କରିବା ପାଇଁ ୫୭୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଇଜି ଅଫ୍ ଡୁଇଙ୍ଗ୍ ବିଜନେସର ଅଂଶସ୍ବରୂପ ଗୋ-ସ୍ବିଫ୍ଟ, ଗୋ-ସ୍ମାଇଲ୍, ଗୋ-ପ୍ଲସ୍, ଗୋ-କେୟାର ଆଦି ପୋର୍ଟାଲର ବ୍ୟବହାର କରାଯିବ। ଶିଳ୍ପ ଭିତ୍ତିଭୂମିର ବିକାଶ ପାଇଁ ଇଡ୍କୋକୁ ୨୮୪ କୋଟି ଟଙ୍କାର ଆର୍ଥିକ ସହାୟତା ଦିଆଯିବ। ହସ୍ତତନ୍ତ, ହସ୍ତକଳା, ରେଶମ ଶିଳ୍ପ ଏବଂ ବୟନ ଶିଳ୍ପ କ୍ଷେତ୍ର ଲାଗି ୨୦୦ କୋଟି ଟଙ୍କାର ପ୍ରସ୍ତାବ ରହିଛି। ଏମ୍ଏସ୍ଏମ୍ଇ କ୍ଷେତ୍ରରେ ୨୫୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଖଣିଜ କ୍ଷେତ୍ର ପାଇଁ ୧୮୨ କୋଟି ଟଙ୍କାର ପ୍ରସ୍ତାବ ରହିଛି।
ସାମାଜିକ ନିରାପତ୍ତା: ବ୍ୟୟବରାଦ ୩୦୨୪ କୋଟି
ସାମାଜିକ ନିରାପତ୍ତା ଲାଗି ମୋଟ ୩୦୨୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ମଧୁବାବୁ ପେନ୍ସନ ଯୋଜନା ପାଇଁ ୧୭୧୮ କୋଟି ଓ ଜାତୀୟ ସାମାଜିକ ସହାୟତା ଯୋଜନା (ଏନ୍ଏସ୍ଏପି) ଅଧୀନରେ ୮୦ ବର୍ଷରୁ କମ୍ ବୟସର ବୃଦ୍ଧ, ବିଧବା ଓ ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ପ୍ରତିମାସ ୫୦୦ ଟଙ୍କା ହିସାବରେ ଓ ୮୦ ବର୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀମାନଙ୍କୁ ମାସିକ ୭୦୦ ଟଙ୍କା ହିସାବରେ ୪୮ ଲକ୍ଷ ହିତାଧିକାରୀଙ୍କୁ ଭତ୍ତା ବାବଦରେ ୯୨୮ କୋଟି ଟଙ୍କା ଦିଆଯିବ। ଦିବ୍ୟାଙ୍ଗମାନଙ୍କ କଲ୍ୟାଣ ପାଇଁ ୧୬୪ କୋଟି ଟଙ୍କା, ଜାତୀୟ ଦିବ୍ୟାଙ୍ଗ ଯୋଜନା ଅଧୀନରେ ୧୪ କୋଟି ଟଙ୍କାର ପ୍ରସ୍ତାବ ରହିଛି। ଦୁଃସ୍ଥ ଓ ପରିତ୍ୟକ୍ତ ବ୍ୟକ୍ତିଙ୍କ କଲ୍ୟାଣ ପାଇଁ ୨୦୦ କୋଟି ଟଙ୍କାର ପ୍ରସ୍ତାବ ରହିଛି। ଏଥିରୁ ୧୬୪ କୋଟି ଟଙ୍କା ବୃଦ୍ଧାଶ୍ରମ ପ୍ରତିଷ୍ଠା ପାଇଁ ଖର୍ଚ୍ଚ ହେବ। ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ପାଇଁ ୨୫ କୋଟି ଟଙ୍କାର ପ୍ରସ୍ତାବ ରହିଛି।
ଗ୍ରାମୀଣ ଓଡ଼ିଶା ରୂପାନ୍ତରଣ
ବିଜୁ ସେତୁ ଯୋଜନାରେ ଖର୍ଚ୍ଚ ହେବ ୧୦୦୦ କୋଟି
ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଓ ବିଜୁ ପକ୍କାଘର ଯୋଜନାର ସଂଯୋଜନ ମାଧ୍ୟମରେ ଗ୍ରାମାଞ୍ଚଳରେ ଗୃହ ନିର୍ମାଣ ପାଇଁ ୩୯୬୨ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ସଡ଼କ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା (ପିଏମ୍ଜିଏସ୍ଓ୍ବାଇ)ରେ ୨୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଆର୍ଆଇଡିଏଫ୍ ଅଧୀନରେ ବିଜୁ ସେତୁ ଯୋଜନା ପାଇଁ ୧୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଓଡ଼ିଶା ମୁଖମନ୍ତ୍ରୀ ସଡ଼କ ଯୋଜନା ଅଧୀନରେ ବିଚ୍ଛିନ୍ନ ଗ୍ରାମଗୁଡ଼ିକୁ ସଂଯୋଗ କରିବା ପାଇଁ ୭୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଗ୍ରାମ୍ୟ ସଡ଼କ ଓ ସେତୁଗୁଡ଼ିକର ଉନ୍ନତୀକରଣ ସମ୍ପୂର୍ଣ୍ଣ କରିବା ଲାଗି ୩୭୫ କୋଟି ଖର୍ଚ୍ଚ ହେବ। ସେହିପରି ସ୍ବଚ୍ଛ ଭାରତ ମିଶନ ଅଧୀନରେ ଗ୍ରାମାଞ୍ଚଳ ଉପାଦାନ ପାଇଁ ୫୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଛି। ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ବିଜୁଳି, ସଡ଼କ ଓ ପାଣି ଯୋଗାଇଦେବା ପାଇଁ ୩୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା-ଜାତୀୟ ଗ୍ରାମୀଣ ଜୀବିକା ମିଶନ ପାଇଁ ୫୮୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଶ୍ୟାମାପ୍ରସାଦ ମୁଖାର୍ଜୀ ରୁର୍ବାନ ମିଶନ ଅଧୀନରେ ୮୦ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି।
ସହରାଞ୍ଚଳ ରୂପାନ୍ତରୀକରଣ
ଭୁବନେଶ୍ୱର, ରାଉରକେଲା ସ୍ମାର୍ଟ ସିଟିର ଉନ୍ନତି ପାଇଁ ୨୦୦ କୋଟି
ଓଡ଼ିଶାର ସହରାଞ୍ଚଳ ଉନ୍ନତି ପାଇଁ ୬,୧୮୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏଥିରୁ ଭିତ୍ତିଭୂମି ବିକାଶ ପାଇଁ ‘ଉନ୍ନତି’ ଯୋଜନାରେ ୩୫୧ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ‘ବସୁଧା’ ଯୋଜନାରେ ଜଳଯୋଗାଣ ପାଇଁ ୨୭୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଜାଇକା ସହାୟତାରେ ଓଡ଼ିଶା ସମନ୍ବିତ ପରିମଳ ଉନ୍ନୟନ ପ୍ରକଳ୍ପ ପାଇଁ ୩୦୦ କୋଟି ଏବଂ ଭୁବନେଶ୍ୱର-କଟକରେ ଓଡ଼ିଶା ସହରାଞ୍ଚଳ ଭିତ୍ତିଭୂମି ଉନ୍ନୟନ ଲାଗି ୧୨୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସଡ଼କ ପରିବହନ ପାଇଁ ୨୦୦ କୋଟି ଖର୍ଚ୍ଚ କରାଯିବ, ଯେଉଁଥିରେ ଭୁବନେଶ୍ୱରରେ ବସ୍ ପରିବହନ ବ୍ୟବସ୍ଥା ଅନ୍ତର୍ଭୁକ୍ତ। ଅନୁରୂପ ଭାବେ ସହରାଞ୍ଚଳ ଗୃହ ନିର୍ମାଣ ପାଇଁ ୫୧୮ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ସ୍ବଚ୍ଛ ଭାରତ ମିଶନର ସହରାଞ୍ଚଳ ଉପାଦାନ ଲାଗି ୩୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଜାତୀୟ ସହରାଞ୍ଚଳ ଜୀବିକା ମିଶନ ପାଇଁ ୫୫ କୋଟି ଟଙ୍କା ଖର୍ଚ୍ଚ ହେବ। ଭୁବନେଶ୍ୱର, ରାଉରକେଲା ସ୍ମାର୍ଟ ସିଟିର ଉନ୍ନତି ପାଇଁ ୨୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଜାଗା ମିଶନ ଅଧୀନରେ ୨୯୧୯ ବସ୍ତିକୁ ବସବାସ ଉପଯୋଗୀ କରିବା ପାଇଁ ୧୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ।
କ୍ରୀଡ଼ା, ଯୁବସେବା: ୩୦୧କୋଟି
ଭୁବନେଶ୍ୱର ଦେଶର କ୍ରୀଡ଼ା ରାଜଧାନୀରେ ପରିଣତ ହୋଇଥିବାବେଳେ କ୍ରୀଡ଼ାକ୍ଷେତ୍ରର ବିକାଶକୁ ୨୦୨୦-୨୧ ବଜେଟରେ ପ୍ରାଥମିକତା ଦିଆଯାଇଛି। ‘କ୍ରୀଡାକ୍ଷେତ୍ରରେ ବିନିଯୋଗ ଅର୍ଥାତ୍ ଯୁବଶକ୍ତିରେ ବିନିଯୋଗ ଏବଂ ଯୁବଶକ୍ତିରେ ବିନିଯୋଗ ଅର୍ଥ ଭବିଷ୍ୟତ ପାଇଁ ବିନିଯୋଗ’ର ପ୍ରତିଫଳନ ଏହି ବଜେଟରେ ଦେଖିବାକୁ ମିଳିଛି। କ୍ରୀଡ଼ା ଓ ଯୁବସେବା ପାଇଁ ମୋଟ ୩୦୧ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏଥିମଧ୍ୟରୁ କ୍ରୀଡ଼ା ଭିତ୍ତିଭୂମି ବିକାଶ ଲାଗି ୧୪୦ କୋଟି ଟଙ୍କା ଏବଂ କ୍ରୀଡ଼ା ଶିକ୍ଷା ପାଇଁ ୯୧ କୋଟି ଟଙ୍କା ବ୍ୟୟବରାଦ ରହିଛି। ବେଲ୍ଜିୟମ୍, ଅଷ୍ଟ୍ରେଲିଆ, ସିଙ୍ଗାପୁର ଭଳି ଶକ୍ତିଶାଳୀ ରାଷ୍ଟ୍ରକୁ ପଛରେ ପକାଇ ଓଡ଼ିଶା କ୍ରମାଗତ ଦ୍ୱିତୀୟ ଥର ଲାଗି ହକି ବିଶ୍ୱକପ୍ ଆୟୋଜନ କରିବାକୁ ମନୋନୀତ ହୋଇଛି। ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ କରିବା ସହିତ ଦୌଡ଼କୁଦ, ବନ୍ଧୁକଚାଳନା, ଭାରୋତ୍ତଳନ, ହକି, ବ୍ୟାଡ୍ମିଣ୍ଟନ ଭଳି ବିଭିନ୍ନ କ୍ରୀଡ଼ା କ୍ଷେତ୍ରରେ ହାଇ ପର୍ଫର୍ମାନ୍ସ ସେଣ୍ଟର ସ୍ଥାପନ କରାଯାଇଥିବା ବେଳେ ଆଗକୁ ଏ କ୍ଷେତ୍ରରେ ଅଧିକ ବିକାଶ ଲକ୍ଷ୍ୟ ରଖାଯାଇଛି।
ବିପର୍ଯ୍ୟୟ ପରିଚାଳନା: ୩୨୦୦ କୋଟି
ବିପର୍ଯ୍ୟୟ ପରିଚାଳନା ପାଇଁ ଚଳିତ ବଜେଟରେ ୩୨୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏଥିମଧ୍ୟରୁ ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠି(ଏସ୍ଡିଆର୍ଏଫ୍) ପାଇଁ ୧୭୧୧ କୋଟି, ଜାତୀୟ ବିପର୍ଯ୍ୟୟ ସହାୟତା ପାଣ୍ଠି(ଏନ୍ଡିଆର୍ଏଫ୍) ପାଇଁ ୧୦୦୦ କୋଟି, ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି(ଏସ୍ଡିଏମ୍ଏଫ୍) ପାଇଁ ୪୨୮ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି(ଏନ୍ଡିଏମ୍ଏଫ୍) ଲାଗି ୪୩ କୋଟି ଟଙ୍କା ଖର୍ଚ୍ଚବରାଦ ରହିଛି। ଏହାବ୍ୟତୀତ ବିଶ୍ୱ ବ୍ୟାଙ୍କ ଓଡ଼ିଶା ଡିଜାଷ୍ଟର ରିକଭରି ପ୍ରୋଜେକ୍ଟ(ଓଡିଆର୍ପି) ଲାଗି ୧୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
ଜଙ୍ଗଲ ପରିସୀମା ବୃଦ୍ଧି: ୧୯୬୦କୋଟି
ଜଙ୍ଗଲ ପରିସୀମା ବୃଦ୍ଧି କରିବାକୁ ୨୦୨୦-୨୧ ବଜେଟରେ ଗୁରୁତ୍ୱ ଦିଆଯାଇ ୧୯୬୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ୨୦୧୯-୨୦ ଆଥିର୍ର୍କ ବର୍ଷରେ ଜଙ୍ଗଲ ଓ ପରିବେଶ ବିଭାଗ ପାଇଁ ୯୦୨ କୋଟି ଟଙ୍କା ବ୍ୟୟବରାଦ ହୋଇଥିବାବେଳେ ଏଥର ଏହାକୁ ଦୁଇଗୁଣାରୁ ଅଧିକ ବୃଦ୍ଧି କରାଯାଇଛି। କାମ୍ପା ଫଣ୍ଡ୍ରୁ ୮୫୦ କୋଟି ଟଙ୍କା ରାଜ୍ୟର ସବୁଜ ବଳୟ ବୃଦ୍ଧି ଯୋଜନାରେ ବନୀକରଣ ଓ ଏହାର ରକ୍ଷଣାବେକ୍ଷଣ ନିମନ୍ତେ ୩୯ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ସେହିଭଳି ଜାଇକା ସାହାଯ୍ୟ ପାଇଁ ଓଡ଼ିଶା ଜଙ୍ଗଲ କ୍ଷେତ୍ର ଉନ୍ନୟନ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ନିମନ୍ତେ ୨୧୭ କୋଟି ଟଙ୍କା, ବନ୍ୟଜନ୍ତୁ ସୁରକ୍ଷା କାର୍ଯ୍ୟରେ ୨୫ କୋଟି ଟଙ୍କା ଏବଂ ‘ଆମ ଜଙ୍ଗଲ ଯୋଜନା’ ଅଧୀନରେ ୧୫ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ସେହିଭଳି ‘ଗ୍ରୀନ ମହାନଦୀ ମିଶନ’ ପାଇଁ ୩୧ କୋଟି ଟଙ୍କା ଖର୍ଚ୍ଚବରାଦ ରହିଛି।
ପ୍ରତି ପଞ୍ଚାୟତକୁ ଡିଜିଟାଲ କନେକ୍ଟିଭିଟି
ବିଜ୍ଞାନ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟାର ବିକାଶ ରାଜ୍ୟ ସରକାରଙ୍କ ଅନ୍ୟତମ ପ୍ରମୁଖ ଲକ୍ଷ୍ୟ ରହିଛି। ଏହି ବିଭାଗର ବ୍ୟୟ ଅଟକଳକୁ ୨୦୨୦-୨୧ରେ ଦୁଇଗୁଣା କରାଯାଇ ୨୩୬ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ରାଜ୍ୟର ପ୍ରତ୍ୟେକ ପଞ୍ଚାୟତକୁ ଡିଜିଟାଲ କନେକ୍ଟିଭିଟି ଯୋଗାଇ ଦେବା ନିମନ୍ତେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ଆଭ୍ୟନ୍ତରୀଣ ଅଞ୍ଚଳଗୁଡ଼ିକ ଯେପରି ଡିଜିଟାଲ କ୍ଷେତ୍ରରେ ବିକଶିତ ହୋଇପାରିବ ତାହା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ରହିବ। ସୂଚନା ଓ ପ୍ରଯୁକ୍ତିବିଦ୍ୟା ଭିତ୍ତିଭୂମିର ବିକାଶ ଏବଂ ସଂଯୋଗୀକରଣ ଲାଗି ୧୧୨ କୋଟି ଟଙ୍କା ଏବଂ ସଫ୍ଟଓ୍ବେର୍ ଟେକ୍ନୋଲୋଜି ପାର୍କ ଅଫ୍ ଇଣ୍ଡିଆ(ଏସ୍ଟିପିଆଇ)ର ନୂତନ କେନ୍ଦ୍ର ପ୍ରତିଷ୍ଠା ପାଇଁ ୧୬ କୋଟି ଟଙ୍କାର ବ୍ୟୟବରାଦ ରହିଛି। ଏହାବ୍ୟତୀତ ୫୯ କୋଟି ଟଙ୍କା ବ୍ୟୟରେ ଭୁବନେଶ୍ୱରଠାରେ ଏକ ଇନୋଭେଶନ ଟାଓ୍ବାର ପ୍ରତିଷ୍ଠା କରାଯିବ ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସୂଚନା ଦେଇଛନ୍ତି।
୨୦୧୯-୨୦ ଆର୍ଥିକ ବର୍ଷରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଲାଗି ୭୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା। ୨୦୨୦-୨୧ ଆଥିର୍ର୍କ ବର୍ଷରେ ଏହାକୁ ୪୨% ବୃଦ୍ଧି କରି ୧୦୦ କୋଟି ଟଙ୍କା କରାଯାଇଛି। ଏଥିମଧ୍ୟରୁ ସରକାରୀ କୋଠାର ଛାତ ଉପରେ ସୋଲାର ପ୍ଲାଣ୍ଟ୍ ପ୍ରତିଷ୍ଠା ଏବଂ ସୌରଶକ୍ତି ବ୍ୟବହାର ମାଧ୍ୟମରେ ପାନୀୟ ଜଳ ପ୍ରକଳ୍ପ ପାଇଁ ୩୧ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ପ୍ଲାନେଟାରିୟମ୍ ଏବଂ ସଂଗ୍ରହାଳୟର ଉନ୍ନୟନ ଲାଗି ଚଳିତ ଆଥିର୍ର୍କ ବର୍ଷରେ ୨୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
ପ୍ରତିଷ୍ଠା ହେବ ପ୍ରତ୍ନତତ୍ତ୍ୱ ନିର୍ଦ୍ଦେଶାଳୟ
ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟର ବିକାଶ ଲାଗି ୨୦୨୦-୨୧ ଆର୍ଥିକ ବର୍ଷରେ ୧୬୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ତେବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ନିମନ୍ତେ ସର୍ବାଧିକ ୫୧ କୋଟି ଟଙ୍କା ଖର୍ଚ୍ଚ ଆକଳନ କରାଯାଇଛି। ସେହିଭଳି ପୁରାତନ କୀର୍ତ୍ତିରାଜିର ରକ୍ଷଣାବେକ୍ଷଣ, ସଂରକ୍ଷଣ ଓ ସୁରକ୍ଷାକୁ ଚଳିତ ବଜେଟରେ ଗୁରୁତ୍ୱ ଦିଆଯାଇଛି। ଐତିହ୍ୟର ସଂରକ୍ଷଣ ପାଇଁ ପୂର୍ବରୁ ରାଜ୍ୟ ପ୍ରତ୍ନତତ୍ତ୍ୱ ସଂସ୍ଥା ରହିଥିବାବେଳେ ବର୍ତ୍ତମାନ ପେସାଗତଭାବେ ଏହି ସଂରକ୍ଷଣ କାର୍ଯ୍ୟ କରିବାକୁ ସ୍ଥିର ହୋଇଛି। ଏଥିଲାଗି ଏକ ନୂତନ ‘ପ୍ରତ୍ନତତ୍ତ୍ୱ ନିର୍ଦ୍ଦେଶାଳୟ (ଡାଇରେକ୍ଟୋରେଟ୍ ଅଫ୍ ଆର୍କିଓଲୋଜି) ପ୍ରତିଷ୍ଠା କରାଯିବ ବୋଲି ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସୂଚନା ଦେଇଛନ୍ତି। ଏହା ଅଧୀନରେ ରାଜ୍ୟର ଶତାଧିକ ପୁରାତନ କୀର୍ତ୍ତିରାଜି ଏବଂ ଐତିହ୍ୟସ୍ଥଳୀର ସଂରକ୍ଷଣ ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟ କରାଯିବ।
ଅବଢ଼ା, ଏକାମ୍ର ଯୋଜନାକୁ ୮୪୫ କୋଟି
୨୦୨୦-୨୧ ବଜେଟରେ ପୁରୀ ଏବଂ ଭୁବନେଶ୍ୱରର ବିକାଶକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ପୁରୀକୁ ବିଶ୍ୱ ଐତିହ୍ୟ ସହରରେ ପରିଣତ କରିବାକୁ ଅବଢ଼ା ଯୋଜନା ଏବଂ ଭୁବନେଶ୍ୱର ପାଇଁ ଏକାମ୍ର ଯୋଜନାରେ ସର୍ବାଧିକ ପୁଞ୍ଜି ବିନିଯୋଗ କରିବାକୁ ଲକ୍ଷ୍ୟ ରଖାଯାଇଛି। ପୁରୀରେ ବିଭିନ୍ନ ପ୍ରକଳ୍ପ ତଥା ଶ୍ରୀ ସେତୁ, ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ବହୁତଳ ବିଶିଷ୍ଟ କାର୍ ରହିବା ସ୍ଥାନ(ମଲ୍ଟି-ଷ୍ଟୋରିଏଡ କାର୍ ପାର୍କିଂ), ନଗରପାଳିକା ବଜାରର ପୁନଃ ଉନ୍ନତୀକରଣ, ସମୁଦ୍ର ବେଳାଭୂମିରେ ଭେଣ୍ଡିଂ ଜୋନ୍ ସ୍ଥାପନ, ସ୍ବର୍ଗଦ୍ୱାରର ଉନ୍ନତୀକରଣ ପାଇଁ ଯୋଜନା ହୋଇଛି। ଏଥିପାଇଁ ସ୍ବତନ୍ତ୍ର ‘ଅବଢ଼ା ଯୋଜନା’ କରାଯାଇଥିବା ବେଳେ ଏହା ଅଧୀନରେ ମୋଟ ୩,୨୦୮ କୋଟି ଟଙ୍କା ଖର୍ଚ୍ଚ ଆକଳନ କରାଯାଇଛି। ତେବେ ୨୦୨୦-୨୧ ଆଥିର୍ର୍କ ବର୍ଷରେ ଏହି ଯୋଜନାରେ ୬୯୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରହିଛି। ସେହିଭଳି ଭୁବନେଶ୍ୱର ଏକାମ୍ର ଯୋଜନା ଲାଗି ୭୦୦ କୋଟି ବ୍ୟୟବରାଦ କରାଯାଇଛି। ୨୦୨୦-୨୧ରେ ଏଥିରୁ ୧୫୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଲିଙ୍ଗରାଜ ମନ୍ଦିର ସୌନ୍ଦର୍ଯ୍ୟକରଣକୁ ଗୁରୁତ୍ୱ ଦିଆଯାଇଛି। ଐତିହ୍ୟ ସହର କଟକ ପାଇଁ ସ୍ବତନ୍ତ୍ର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବାବେଳେ ସହରରେ ପ୍ରଶସ୍ତ ରାସ୍ତା ନିର୍ମାଣ, ଆନୁଷଙ୍ଗିକ ସୁବିଧା ଉପଲବ୍ଧ, ପାର୍କ, ଆଧୁନିକ ନଗରାଞ୍ଚଳ ଭିତ୍ତିଭୂମି ବିକାଶ, ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା, ସବୁଜ ବଳୟ ସୃଷ୍ଟି ଭଳି ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯିବାକୁ ସ୍ଥିର ହୋଇଛି। ମହାନଦୀ କୂଳରେ ଥିବା ୪୨୪ ଏକର ଜମିକୁ ବ୍ୟବହାରଯୋଗ୍ୟ କରିବାକୁ ପ୍ର୍ସ୍ତାବ ରହିଥିବାବେଳେ ରିଙ୍ଗ୍ ରୋଡ୍କୁ ୬ ଲେନ୍ ବିଶିଷ୍ଟ କରିବାକୁ ଯୋଜନା ହୋଇଛି।