ନୂଆଦିଲ୍ଲୀ,୧୫।୧୨: ପାଖେଇ ଆସୁଛି ଦିଲ୍ଲୀ ବିଧାନସଭା ନିର୍ବାଚନର ତାରିଖ। ପାଖାପାଖି ୨ ମାସ ମଧ୍ୟରେ ଏଠାରେ ନିର୍ବାଚନ ଆୟୋଜନ କରାଯିବ। ଆସନ୍ତା ବର୍ଷ ଅର୍ଥାତ୍ ୨୦୨୦ ଫେବୃୟାରୀରେ ଦିଲ୍ଲୀ ବିଧାନସଭାର ଶାସକ ଦଳ ଆମ ଆଦମୀ ପାର୍ଟି(ଏଏପି)ର କାର୍ଯ୍ୟକାଳ ସରୁଛି। ତେଣୁ ଏହା ପୂର୍ବରୁ ନିର୍ବାଚନକୁ ଆଖି ଆଗରେ ରଖି ଏବେଠାରୁ ସବୁ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରି ସାରିଲେଣି। ଭାରତୀୟ ଜନତା ପାର୍ଟି (ଭାଜପା) ଏଥିପାଇଁ ତା’ର ଷ୍ଟାର ପ୍ରଚାରକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରିବ ବୋଲି ଯୋଜନା ରଖିଛି। ଆସନ୍ତା ୨୨ ତାରିଖରେ ମୋଦି ରାମଲୀଳା ମଇଦାନରେ ଏକ ରାଲିକୁ ଉଦ୍ବୋଧନ ଦେଇ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରିବେ ବୋଲି ଶୁଣିବାକୁ ମିଳିଛି। କୁହାଯାଉଛି ଏଏପିକୁ ହରାଇବା ଲାଗି ଏଥର ଭାଜପା ଓ କଂଗ୍ରେସ କଠିନ ପରିଶ୍ରମ କରିପାରନ୍ତି।