ବର୍ତ୍ତମାନ ସମୟରେ କ୍ୟାନ୍ସର ଏକ ସାଂଘାତିକ ରୋଗ। ଅଧିକାଂଶ ଲୋକଙ୍କ ମୃତ୍ୟୁ କ୍ୟାନ୍ସର ଦ୍ୱାରା ହୋଇଥାଏ। ତେଣୁ ଏହି ରୋଗରୁ ଦୂରେଇ ରହିବା ପାଇଁ ଖାଇବା ପିଇବା ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ। ଜାଣିବା ଏମିତି କିଛି ଖାଦ୍ୟ ବିଷୟରେ, ଯାହାକୁ ଖାଇବା ଦ୍ୱାରା କାନ୍ସର ହେବାର ଆଶଙ୍କା ଅଧିକ।
ପପ୍କର୍ନ: ପପ୍କର୍ନକୁ ମାଇକ୍ରୋଓଭେନରେ ତିଆରି କରିବା ସମୟରେ ଏଥିରେ ବଟର ଫ୍ଲେବର ଦିଆଯାଇଥାଏ। ଏହି କାରଣରୁ ଏଥିରେ ଏକ ଟକ୍ସିନ୍ ସୃଷ୍ଟି ହୋଇଥାଏ, ଯାହାକି କ୍ୟାନ୍ସର ସେଲ୍କୁ ଜନ୍ମ ଦେଇଥାଏ। ଏଥିରେ ପରଫ୍ଲୋରୋଟୋନିକ ଏସିଡ୍ ମଧ୍ୟ ବ୍ୟବହାର କରାଯାଏ। ଏହା ମଧ୍ୟ କ୍ୟାନ୍ସରର କାରଣ ହୋଇପାରେ। ତେଣୁ କେବଳ ନିଆଁରେ ସାମାନ୍ୟ ଲୁଣ ଦେଇ ଏହାକୁ ଭାଜି ଖାଇବା ସ୍ବାସ୍ଥ୍ୟପକ୍ଷେ ଲାଭଦାୟକ।
ଡବା ବନ୍ଦ ପରିବା: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଡବାରେ ବନ୍ଦ ହୋଇ ରହିଥିବା ପରିବା କିଣିବାକୁ ପସନ୍ଦ କରିଥାଆନ୍ତି। ତେବେ ଡବାରେ ବନ୍ଦ ଥିବା ଟମାଟୋ ଖାଉଥିଲେ ସାବଧାନ ହୋଇଯାଆନ୍ତୁ। କାରଣ ଟମାଟୋକୁ ଡବାରେ ବନ୍ଦକରି ରଖିବା ପାଇଁ ବିପିଏ ନାମକ ଏକ କେମିକାଲ ବ୍ୟବହାର କରାଯାଇଥାଏ। ଏହାକୁ ଖାଇବା ଦ୍ୱାରା କ୍ୟାନ୍ସର ହେବାର ଆଶଙ୍କା ଅଧିକ ଥାଏ। ତେଣୁ ଡବା ବନ୍ଦ ବା ପ୍ୟାକେଟ୍ ଖାଦ୍ୟଠାରୁ ଦୂରେଇ ରହିବା ଭଲ।
ତେଲ: ବଜାରରେ ଅନେକ ପ୍ରକାରର ଖାଇବା ତେଲ ମିଳୁଛି। ଅଧିକାଂଶ ଖାଇବା ତେଲ ତିଆରି ବେଳେ ବିଭିନ୍ନ ପ୍ରକାର କେମିକାଲ ମିଶାଯାଇଥାଏ। ଭବିଷ୍ୟତରେ ଏହା କ୍ୟାନ୍ସରର କାରଣ ହୋଇଥାଏ। ତେଣୁ ତେଲ କିଣିବା ସମୟରେ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ।
ସଲ୍ମୋନ ମାଛ: ମାଛ ଆମ ଶରୀର ପାଇଁ ଲାଭଦାୟକ। ମାତ୍ର ତାହା ଫାର୍ମ ମାଛ ହୋଇଥିଲେ ସାବଧାନ ହୋଇଯିବା ଆବଶ୍ୟକ। କାରଣ ମାଛ ଶୀଘ୍ର ବଢ଼ିବା ପାଇଁ ସେମାନଙ୍କଠାରେ କେମିକାଲର ପ୍ରୟୋଗ କରାଯାଇଥାଏ। ତେଣୁ ଏହାକୁ ଖାଇବା ଦ୍ୱାରା ଶରୀରରେ କ୍ୟାନ୍ସର ହେବାର ଆଶଙ୍କା ରହିଥାଏ। ତେଣୁ ସମୁଦ୍ର ଏବଂ ନଦୀମାଛ ଶରୀର ପାଇଁ ଲାଭଦାୟକ।