ଲୌଡରହିଲ(ଆମେରିକା), ୨।୮(ପି.ଟି.)- ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଟି୨୦ ସିରିଜର ପ୍ରଥମ ମ୍ୟାଚ ଶନିବାର ଏଠାରେ ଖେଳାଯିବ। ଏଥିରେ ଭାରତର ରନ୍ ମେସିନ ରୋହିତ ଶର୍ମାଙ୍କ ପାଇଁ ଏକ ରେକର୍ଡ ଭାଙ୍ଗିବା ସୁଯୋଗ ରହିଛି। ରୋହିତ ଆଉ ୪ଟି ଛକା ମାରିପାରିଲେ ଓ୍ବେଷ୍ଟଇଣ୍ଡିଜର କ୍ରିସ୍ ଗେଲ୍ଙ୍କ ସର୍ବାଧିକ ଟି୨୦ ଅନ୍ତର୍ଜାତୀୟ ଛକା ରେକର୍ଡକୁ ଅତିକ୍ରମ କରି ପାରିବେ। କ୍ୟାରିୟରରେ ୯୪ଟି ଟି୨୦ ଖେଳିଥିବା ରୋହିତ ୧୦୨ଟି ଛକା ମାରି ସାରିଛନ୍ତି। ସେହି ତୁଳନାରେ ଦେଖିବାକୁ ଗଲେ ଜାମାଇକାର ହାର୍ଡ ହିଟର ବ୍ୟାଟ୍ସମ୍ୟାନ ଗେଲ୍ ୫୮ଟି ଟି୨୦ରୁ ୧୦୫ଟି ଛକା ମାରି ଆଗରେ ରହିଛନ୍ତି। ନ୍ୟୁଜିଲାଣ୍ଡର ମାର୍ଟିନ ଗୁପଟିଲ ୭୬ ମ୍ୟାଚରୁ ୧୦୩ ଛକା ମାରି ଗେଲ୍ଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଭାରତ-ଓ୍ବେଷ୍ଟଇଣ୍ଡିଜ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୩୯ ବର୍ଷୀୟ ଗେଲ୍ ସାମିଲ ନାହାନ୍ତି। ତେଣୁ ରୋହିତଙ୍କ ପାଇଁ ସମ୍ଭାବନା ଦୃଢ଼ୀଭୂତ ହୋଇଛି। ଏହି ଭାରତୀୟ ଓପନର ଟି୨୦ରେ ସର୍ବାଧିକ ସ୍କୋରର ହେବାର ସୌଭାଗ୍ୟ ପାଇ ସାରିଛନ୍ତି। ସେ ୪ ଶତକ ଓ ୧୬ ଅର୍ଦ୍ଧଶତକ ସହ ୩୨.୩୭ ଆଭରେଜରେ ୨୩୩୧ ରନ ସଂଗ୍ରହ କରିଛନ୍ତି। ଗତ ଆଇସିସି ବିଶ୍ୱକପରେ ରୋହିତ ରେକର୍ଡ ୫ଟି ଶତକ ହାସଲ କରିଥିଲେ। ତେଣୁ ଆଗାମୀ ଟି୨୦ ସିରିଜରେ ମଧ୍ୟ ସେ ଭଲ ପ୍ରଦର୍ଶନ କରିବା ନେଇ ଆଶା ରହିଛି।