ପାଟନା,୨୯।୫: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ବୀ ଯାଦବ ଶୁକ୍ରବାର ଲକ୍ଡାଉନ ନିୟମ ଭାଙ୍ଗି ବିହାର ପାଟନାରୁ ଗୋପାଳଗଞ୍ଜ ଅଭିମୁଖେ ଯାତ୍ରା କରିଛନ୍ତି। ଏହି ସମୟରେ ପୋଲିସ ତାଙ୍କୁ ଅଟକାଇବାକୁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲା। ଏହା ସତ୍ତ୍ୱେ ମଧ୍ୟ ପୋଲିସ ତେଜସ୍ବୀଙ୍କୁ ଅଟକାଇବା ଉଦ୍ୟମ ଜାରି ରଖିଛି। ଇତିମଧ୍ୟରେ ତେଜସ୍ବୀଙ୍କ ଘର ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୂଚନାଯୋଗ୍ୟ, ଲକ୍ଡାଉନ ମଧ୍ୟରେ ଟ୍ରିପଲ ମର୍ଡର ମାମଲାରେ ତେଜସ୍ବୀ ଗୋପାଳଗଞ୍ଜ ଯାତ୍ରା କରିବାକୁ ଗୁରୁବାର ଘୋଷଣା କରିଥିଲେ। ତାଙ୍କୁ ଅଟକାଇବା ପାଇଁ ବହୁ ସଂଖ୍ୟାରେ ପୋଲିସ ଓ ରାପିଡ୍ ଆକ୍ସନ ଫୋର୍ସ ନିୟୋଜିତ ହୋଇଛନ୍ତି। ହେଲେ ଏହା ସତ୍ତ୍ୱେ ମଧ୍ୟ ପୋଲିସ ତାଙ୍କୁ ଅଟକାଇବାରେ ବିଫଳ ହୋଇଛି। ଅପରପକ୍ଷେ ସାମାଜିକ ଦୂରତ୍ୱ ରକ୍ଷା କରି ପୀଡ଼ିତଙ୍କ ପରିବାରକୁ ଭେଟିବୁ ବୋଲି ତେଜସ୍ବୀ କହିଛନ୍ତି।