ଲକ୍‌ଡାଉନ୍‌ ଓ ପ୍ରବାସୀ ଶ୍ରମିକଙ୍କ ସମସ୍ୟା

ଭାଲଚନ୍ଦ୍ର ଷଡ଼ଙ୍ଗୀ

କରୋନା ଭୂତାଣୁର ବର୍ଦ୍ଧିତ ସଂକ୍ରମଣକୁ ରୋକିବା ନାଁରେ ପ୍ରଧାନମନ୍ତ୍ରୀ ଗତ ମାର୍ଚ୍ଚ ୨୪ ମଧ୍ୟରାତ୍ରିରୁ ସାରା ଦେଶରେ ଯେଉଁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ତାହାରି ଫଳରେ ଦେଶର କୋଟି କୋଟି ପ୍ରବାସୀ ଶ୍ରମିକଙ୍କ ପ୍ରସଙ୍ଗଟି ସ୍ପଷ୍ଟ ଭାବେ ସାମ୍‌ନାକୁ ଆସିଛି। ମାତ୍ର ଚାରି ଘଣ୍ଟାର ନୋଟିସରେ ଲକ୍‌ଡାଉନ୍‌୍‌ର ଏହି ଅତର୍କିତ ଘୋଷଣା ଦେଶର କୋଟି କୋଟି ପ୍ରବାସୀ ଶ୍ରମିକଙ୍କ ରୋଜଗାର ଛଡ଼ାଇ ନେବା ସହିତ ସେମାନଙ୍କୁ ଏକଦମ୍‌ ଅସହାୟ କରି ଦେଇଛି। ଦେଶର ବଡ଼ ବଡ଼ ସହରରୁ ହଜାର ହଜାର କପର୍ଦକହୀନ, ଅସହାୟ, ଦୁର୍ବଳ ଓ ଭୋକିଲା ଶ୍ରମିକ ନିଜର ପିଲାଛୁଆ ଓ ପେଡି ପୁଟୁଳା ଧରି ପାଦରେ ଚାଲି ଚାଲି ଶହ ଶହ କିଲୋମିଟର ଦୂରରେ ଥିବା ନିଜର ଘରକୁ ଫେରୁଥିବାର କରୁଣ ଦୃଶ୍ୟ ଟିଭି ପରଦାରେ ଦେଖିବାକୁ ମିଳିଛି। ଗତ ଏକ ମାସର ଲକ୍‌ଡାଉନ୍‌ ଅବଧି ମଧ୍ୟରେ ସରକାରୀ କଟକଣାକୁ ଭ୍ରୂକ୍ଷେପ ନ କରି ଜୀବନ ବିକଳରେ ଦେଶର ବିଭିନ୍ନ ସହରରୁ ଏଭଳି ପାଦରେ ଚାଲି ଚାଲି, ସାଇକେଲରେ, ବୋଟ୍‌ରେ ଏପରି କି ମାଲବାହୀ ଟ୍ରକ୍‌ରେ ବିପଦସଙ୍କୁଳ ଅବସ୍ଥାରେ ପ୍ରବାସୀ ଶ୍ରମିକମାନଙ୍କ ଶହ ଶହ କିଲୋମିଟରର ଦୁଃସାହସିକ ଯାତ୍ରାର ଅନେକ କାହାଣୀ ପ୍ରତିଦିନ ଖବରକାଗଜ ପୃଷ୍ଠାରେ ଭର୍ତ୍ତି ହେବାରେ ଲାଗିଛି।
ଜୀବନ ବିକଳରେ ଘରକୁ ଫେରିବା ରାସ୍ତାରେ କରୋନା ସଂକ୍ରମଣର ବିପଦକୁ ସାମ୍‌ନା କରୁଥିବା ଏହି ଶ୍ରମିକମାନଙ୍କୁ ସରକାରଙ୍କ ତରଫରୁ ଅତ୍ୟନ୍ତ ଅମାନବୀୟ ବ୍ୟବହାର ପ୍ରଦର୍ଶନ କରିବା ଦେଖାଯାଇଛି। ଲକ୍‌ଡାଉନ୍‌ ସମୟରେ ସରକାରୀ କଟକଣାକୁ ଭ୍ରୂକ୍ଷେପ ନ କରି ଚାଲି ଚାଲି ଘରକୁ ଫେରୁଥିବା ଏହି ଶ୍ରମିକମାନଙ୍କୁ ଅନେକ ରାଜ୍ୟରେ ପୋଲିସ ଅଧା ରାସ୍ତାରେ ଅଟକାଇ ଭୟଙ୍କର ମାଡ଼ ମାରିବା ସହିତ କେତେକ ସ୍ଥାନରେ ଗୁରୁଣ୍ଡି ଗୁରୁଣ୍ଡି ଚାଲିବାକୁ, କାନ ଧରି ବସ ଉଠ କରାଇବା ଦେଖିବାକୁ ମିଳିିଛି। ପରିତାପର ବିଷୟ ହେଲା କରୋନାର କୌଣସି ବିଧିବଦ୍ଧ ଟେଷ୍ଟ ବିନା ହିଁ ସରକାର ସେମାନଙ୍କୁ କରୋନାର ବାହକ ବୋଲି ଧରି ନେଇଛନ୍ତି। ସେମାନଙ୍କୁ ଜୀବାଣୁମୁକ୍ତ କରିବା ନାଁରେ ଫସଲରେ ରୋଗପୋକକୁ ମାରିବା ପାଇଁ କୀଟନାଶକ ସିଞ୍ଚନ କଲାଭଳି ଉତ୍ତର ପ୍ରଦେଶର ଅନେକ ଜାଗାରେ ସେଠାକାର ଭାଜପା ସରକାର ସେମାନଙ୍କୁ ଏକାଠି କରି ଶରୀରରେ ରାସାୟନିକ ପଦାର୍ଥ ସିଞ୍ଚନ କରିବାର ଲୋମହର୍ଷଣକାରୀ ଚିତ୍ର ସାମ୍‌ନାକୁ ଆସିଛିି।
ନିଜ ରାଜ୍ୟରେ ରୋଜଗାର ଅଭାବରୁ ସାଧାରଣତଃ ଓଡ଼ିଶା, ଛତିଶଗଡ଼, ବିହାର, ଉତ୍ତର ପ୍ରଦେଶ ପରି ପଛୁଆ ରାଜ୍ୟମାନଙ୍କରୁ କୃଷି, ଶିଳ୍ପ ଓ ବ୍ୟବସାୟରେ ବିକଶିତ ରାଜ୍ୟ ଭାବେ ପରିଚିତ ମହାରାଷ୍ଟ୍ର, ଗୁଜରାଟ, କର୍ନାଟକ, ତାମିଲନାଡ଼ୁ, ଆନ୍ଧ୍ର ପ୍ରଦେଶ, ପଞ୍ଜାବ ପରି ରାଜ୍ୟକୁ ଶ୍ରମିକମାନେ ଯାଇଥା’ନ୍ତି। ଏହି ଶ୍ରମିକମାନଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୌଣସି ନୀତି ନିର୍ଦ୍ଧାରଣ କରିବା ଦୂରର କଥା କେବେ ଚିନ୍ତା କରିବା ବି ଦେଖାଯାଇନି। ଏମାନେ ସମ୍ପୂର୍ଣ୍ଣ ରୂପେ ଅସଂଗଠିତ ଥିବାରୁ ପ୍ରଚଳିତ ଶ୍ରମ ଆଇନର ସୁଫଳ ପାଇବାରେ ସକ୍ଷମ ହୋଇପାରୁ ନାହାନ୍ତି। କାର୍ଯ୍ୟକ୍ଷେତ୍ରରେ କୌଣସି ଦୁର୍ଘଟଣା ବା ଗୁରୁତର ସ୍ବାସ୍ଥ୍ୟହାନି ହେଲେ ସରକାରଙ୍କଠାରୁ ନା କୌଣସି ଆର୍ଥିକ ସହାୟତା ପାଉଛନ୍ତି ନା ପରିବାର ଲୋକଙ୍କୁ କୌଣସି ସାମାଜିକ ସୁରକ୍ଷାର ଉପଲବ୍ଧ ଅଛି। ଏମାନଙ୍କ ପ୍ରକୃତ ସଂଖ୍ୟା କେତେ, ସେମାନେ କି କି ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେମାନଙ୍କୁ ଶୋଷଣ ଏବଂ ନିର୍ଯାତନାରୁ ମୁକ୍ତ କରିବା ପାଇଁ କି କି ପ୍ରଶାସନିକ ଏବଂ ଆଇନଗତ ପଦକ୍ଷେପ ନେବା ଦରକାର ଏବଂ ସେମାନେ କିପରି ସାମାଜିକ ସୁରକ୍ଷା ପାଇପାରିବେ ସେ ନେଇ ସରକାରୀ ସ୍ତରରେ କେବେ ବି ତପତ୍ରତା ଦେଖାଯାଏନି।
ଯଦିଓ ଆମ ରାଜ୍ୟର ଏକ ବଡ଼ ସଂଖ୍ୟାରେ ଶ୍ରମିକ ରାଜ୍ୟ ବା ଦେଶ ବାହାରେ କାମ କରୁଛନ୍ତି ଅଥଚ ସେମାନଙ୍କ ଠିକ୍‌ ସଂଖ୍ୟା ନେଇ ରାଜ୍ୟ ସରକାରଙ୍କ ପାଖରେ କୌଣସି ତଥ୍ୟ ହିଁ ନାହିଁ। ବାହାରକୁ ଯାଉଥିବା ଶ୍ରମିକମାନଙ୍କ ପଞ୍ଜୀକରଣ ପାଇଁ ସରକାରଙ୍କ ତରଫରୁ ବ୍ୟବସ୍ଥା ରହିଥିଲେ ମଧ୍ୟ ଶ୍ରମ ବିଭାଗ ତାହାକୁ ଜାଣିଶୁଣି କାର୍ଯ୍ୟକାରୀ କରେନାହଁି। ଲକ୍‌ଡାଉନ୍‌ ପରିପ୍ରେକ୍ଷୀରେ ପ୍ରଥମ ଥର ପାଇଁ ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବା ଲାଗି ସରକାରଙ୍କ ପକ୍ଷରୁ ଯେଉଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି, ସେଥିରେ ଏଯାଏ ପ୍ରାୟ ପାଞ୍ଚ ଲକ୍ଷ ପ୍ରବାସୀ ଶ୍ରମିକ ପଞ୍ଜୀକରଣ କରିଥିବା ବେଳେ ଏକ ବଡ଼ ଭାଗ ଶ୍ରମିକ ପଞ୍ଜୀକୃତ ହେବାକୁ ଅପେକ୍ଷା କରିଛନ୍ତି। ତେବେ ୨୦୧୧ର ଜନଗଣନା ଅନୁସାରେ ରାଜ୍ୟ ବାହାରେ ଓଡ଼ିଶାର ପ୍ରାୟ ୧୨.୭୧ ଲକ୍ଷ ଲୋକ କାମ କରୁଛନ୍ତି ବୋଲି ଜଣାପଡ଼ିଥିଲା ବେଳେ ପ୍ରବାସୀ ଶ୍ରମିକଙ୍କ ପ୍ରସଙ୍ଗ ନେଇ କାର୍ଯ୍ୟରତ ବିଭିନ୍ନ ସଂଗଠନର ଆକଳନ ଅନୁଯାୟୀ ଏମାନଙ୍କ ସଂଖ୍ୟା ପ୍ରାୟ କୋଡ଼ିଏ ଲକ୍ଷ ହେବ ବୋଲି କୁହାଯାଉଛି।
ତେବେ ସେମାନଙ୍କ ସଂଖ୍ୟା ଯାହା ହେଉନା କାହିଁକି ଓଡ଼ିଶାର ଅର୍ଥନୀତି ପ୍ରତି ସେମାନଙ୍କ ଅବଦାନଟି କମ୍‌ ନୁହେଁ। ଏମାନେ ନିଜର ଶ୍ରମ ଓ ଝାଳ ଦେଇ କେବଳ ବାହାର ରାଜ୍ୟର ଅର୍ଥନୀତିକୁ ଗଢ଼ି ତୋଳିବାରେ ଏକ ଶକ୍ତିଶାଳୀ ଭୂମିକା ନିର୍ବାହ କରୁ ନାହାନ୍ତି ବରଂ ନିଜର କଷ୍ଟାର୍ଜିତ ଆୟରୁ ପ୍ରତି ମାସରେ ଏକ ବଡ଼ ଭାଗ ଘରକୁ ପଠାଇ ନିଜ ରାଜ୍ୟର ଅର୍ଥନୀତିକୁ ବି ସହାୟକ ହେଉଛନ୍ତି। ଯଦି ଜଣେ ପ୍ରବାସୀ ଶ୍ରମିକ ମାସିକ ଦୁଇ ହଜାର ଟଙ୍କା ନିଜ ଘରକୁ ପଠାଉଛି ତା’ହେଲେ କୋଡ଼ିଏ ଲକ୍ଷ ପ୍ରବାସୀ ଶ୍ରମିକ ମାସିକ ଅତି କମ୍‌ରେ ୪୦୦ କୋଟି ବା ବାର୍ଷିକ ପ୍ରାୟ ୪୮୦୦ କୋଟି ଓଡ଼଼ିଶାରେ ଅର୍ଥନୀତିରେ ଯୋଗ କରୁଛନ୍ତି। ଏହି ଅର୍ଥର ଏକ ବଡ଼ ଭାଗ ରାଜ୍ୟର କୃଷି କ୍ଷେତ୍ରରେ ବିନିଯୋଗ ହେବା ସହ ଗ୍ରାମାଞ୍ଚଳର ବଜାରଗୁଡ଼ିକ ଚଳଚଞ୍ଚଳ କରି ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଗ୍ରାମାଞ୍ଚଳର ଅନେକ ବ୍ୟାଙ୍କ୍‌ ଏହି ଅର୍ଥର ଆଧାରରେ ସକ୍ରିୟ ଥିବା ବେଳେ ସରକାର ମଧ୍ୟ ଟିକସ ଆକାରରେ ସେଥିରୁ ଲାଭ ପାଉଛନ୍ତି। ଅତଏବ ରାଜ୍ୟର ଆର୍ଥିକ ବିକାଶ ପାଇଁ ପ୍ରବାସୀ ଶ୍ରମିକଙ୍କ ଆୟ ଅତ୍ୟନ୍ତ ଜରୁରୀ। କାରଣ ଯଦି ସେମାନେ ବାହାରକୁ ଯାଇ ରୋଜଗାର କରିବେନି ତା’ହେଲେ ସେମାନେ କରୁଥିବା ଆୟରୁ ତ ରାଜ୍ୟ ବଞ୍ଚିତ ହେବ, ଏହାସହିତ ଏତେ ସଂଖ୍ୟକ ଲୋକଙ୍କୁ ରୋଜଗାର ଦେବା ବି ରାଜ୍ୟ ସରକାରଙ୍କ ପକ୍ଷରେ ତୁରନ୍ତ ସମ୍ଭବ ହେବନି।
ଲକ୍‌ଡାଉନ୍‌ ଯୋଗୁ କାମ ବନ୍ଦ ହେବା ସ୍ଥିତିରେ ଏହି ଶ୍ରମିକଙ୍କ ପ୍ରତି ନା ସେମାନଙ୍କ ନିଜ ରାଜ୍ୟର ସରକାର ସମ୍ବେଦନଶୀଳ ଅଛନ୍ତି ନା ଯେଉଁ ରାଜ୍ୟର ବିକାଶ ପାଇଁ ସେମାନେ ଶ୍ରମ ଦେଇ ନିଜର ଭୂମିକା ନିର୍ବାହ କରୁଛନ୍ତି, ସେଠାକାର ସରକାର ତାଙ୍କୁ ସହୃଦୟତାର ହାତ ବଢ଼ାଇଛି। କେନ୍ଦ୍ର ସରକାରଙ୍କ ଲକ୍‌ଡାଉନ୍‌ ଘୋଷଣାରେ ଯଦିଓ ଏହି ପ୍ରବାସୀ ଶ୍ରମିକମାନେ ହିଁ ସବୁଠାରୁ ବେଶି କ୍ଷତିଗ୍ରସ୍ତ ହୋଇଛନ୍ତି ଅଥଚ ସେମାନଙ୍କୁ କୌଣସି ପ୍ରକାର ଆର୍ଥିକ ସହାୟତା କେନ୍ଦ୍ର ସରକାର ଏଯାଏ ଯୋଗାଇ ଦେଇ ନାହାନ୍ତି। ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ତିନୋଟି ଯାକ ଉଦ୍‌ବୋଧନରେ ସେମାନଙ୍କ ପାଇଁ କୌଣସି ପ୍ୟାକେଜ୍‌ ଘୋଷଣା ନ ହେବା ସେମାନଙ୍କୁ ଅଧିକ ଅସହାୟ କରି ଦେଇଛି। ଅଧିକାଂଶ ପ୍ରବାସୀ ଶ୍ରମିକଙ୍କ ରାଶନ କାର୍ଡ ନ ଥିବାରୁ କେନ୍ଦ୍ର ସରକାରଙ୍କ ଘୋଷିତ ଖାଦ୍ୟଶସ୍ୟ ସହାୟତା ପାଇବାରୁ ବି ସେମାନେ ବଞ୍ଚିତ ରହିଛନ୍ତି। ଲକ୍‌ଡାଉନ୍‌ ସମୟରେ ବିଭିନ୍ନ ରାଜ୍ୟରେ ସରକାରଙ୍କ ପକ୍ଷରୁ ଯେଉଁ ଖାଦ୍ୟ ଯୋଗାଇବାର ବ୍ୟବସ୍ଥା ହୋଇଛି ତାହା ଅତ୍ୟନ୍ତ ଅପର୍ଯ୍ୟାପ୍ତ ଏବଂ ସମସ୍ତଙ୍କୁ ବି ଉପଲବ୍ଧ ହୋଇପାରିନି। କରୋନାର ମୁକାବିଲା କରୁଥିବା ବିଶ୍ୱର ଅନ୍ୟ ଦେଶମାନଙ୍କରେ ଲକ୍‌ଡାଉନ୍‌ ସମୟରେ ଶ୍ରମିକଙ୍କ ମଜୁରି ସହିତ ଘରଭଡ଼ା ଆଦି ଅନେକ ସୁବିଧା ଦିଆଯାଉଥିବା ବେଳେ ଭାରତ ସରକାର ଶ୍ରମିକମାନଙ୍କୁ ସମଗ୍ର ଲକ୍‌ଡାଉନ୍‌ ଅବଧିର ମଜୁରି ଦେବା ନେଇ ଚୁପ୍‌ ରହିଛନ୍ତି। ଯଦିଓ ଏହି ସମୟ ମଧ୍ୟରେ ସରକାରୀ କର୍ମଚାରୀମାନେ ସେମାନଙ୍କ ମଜୁରି ପାଇବେ ଏବଂ ସଂଗଠିତ ଘରୋଇ କ୍ଷେତ୍ରର ଶ୍ରମିକ ଓ କର୍ମଚାରୀମାନଙ୍କୁ ମଜୁରି ଦେବାକୁ ସରକାର ମାଲିକମାନଙ୍କୁ ନିର୍ଦ୍ଦେଶ ଦେଇଛିନ୍ତି କିନ୍ତୁ ଏହି ପ୍ରବାସୀ ଶ୍ରମିକମାନଙ୍କ ମଜୁରି ହାନିର ଭରଣା ପାଇଁ କୌଣସି ଘୋଷଣା କରାଯାଇନି।
ଆଜି ଶ୍ରମିକମାନେ ଘରମୁହାଁ ହେବା ପଛରେ ଗତ ଦେଢ଼ମାସ ମଧ୍ୟରେ ସରକାରଙ୍କ ପକ୍ଷରୁ ସେମାନଙ୍କ ପ୍ରତି କରାଯାଇଥିବା ଅବହେଳା ଓ ଅବିଚାର ହିଁ ମୁଖ୍ୟ ରୂପେ ଦାୟୀ। ଲକ୍‌ଡାଉନ୍‌ ବାରମ୍ବାର ବଢ଼ୁଥିବାରୁ ରୋଜଗାର ହରାଇଥିବା ଶ୍ରମିକମାନେ ନିକଟ ଭବିଷ୍ୟତରେ ରୋଜଗାରର କୌଣସି ସମ୍ଭାବନା ଦେଖୁ ନାହାନ୍ତି। ମୁମ୍ବାଇର ବାନ୍ଦ୍ରା ହେଉ କିମ୍ବା ଗୁଜରାଟର ସୁରଟ ଅଥବା ଦିଲ୍ଲୀର ଆନନ୍ଦ ବିହାର, ସବୁଠାରେ ଗୋଟିଏ କଥା ସ୍ପଷ୍ଟ ଯେ ଲକ୍‌ଡାଉନ୍‌୍‌ ଯୋଗୁ ରୋଜଗାର ହରାଇ କ୍ଷୁଧା ଓ ଅଭାବରେ ଶଢ଼ୁଥିବା ଦେଶର ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ କୌଣସିମତେ ନିଜ ଘରକୁ ଫେରିବାକୁ ବ୍ୟାକୁଳ ଅଟନ୍ତି। ସେମାନଙ୍କୁ କରୋନାଜନିତ ମୃତ୍ୟୁର ଭୟ ଅପେକ୍ଷା ଖାଦ୍ୟ ଏବଂ ଅର୍ଥର ଅଭାବରୁ ନିଜେ ତଥା ପରିବାରର ଲୋକଙ୍କ ଭୋକରେ ମରିଯିବାର ଭୟ ଅଧିକ ଆତଙ୍କିତ କରୁଛି। ଅତଏବ ଖାଲି ପକେଟ୍‌ ଓ ଖାଲିପେଟରେ କରୋନା ସଂକ୍ରମଣର ବିପଦ ସମୟରେ ନିଜର ପରିବାରଠାରୁ ଦୂରରେ ଦୀର୍ଘଦିନ ଧରି ଅନିଶ୍ଚିତତା ଓ ଅସହାୟ ଅବସ୍ଥାରେ ରହିଥିବା ଏହି ଶ୍ରମିକମାନଙ୍କୁ ନିଜ ଘରେ ପହଞ୍ଚାଇବା ହେଉଛି କେନ୍ଦ୍ର ସରକାରଙ୍କ ଦାୟିତ୍ୱ।
ଅଧିକାଂଶ ପ୍ରବାସୀ ଶ୍ରମିକଙ୍କ ପାଖରେ ଫେରିବା ପାଇଁ ଗାଡ଼ିଭଡ଼ା ନ ଥିବାରୁ ସରକାର ବିଳମ୍ବ ନ କରି ସ୍ବତନ୍ତ୍ର ଟ୍ରେନ ଯୋଗେ ଖାଦ୍ୟପେୟର ସମ୍ପୂର୍ଣ୍ଣ ବ୍ୟବସ୍ଥା କରି ସେମାନଙ୍କୁ ଫେରାଇ ଆଣିବାର ବ୍ୟବସ୍ଥା କରନ୍ତୁ। ରାଜ୍ୟ ବାହାରେ ବିଭିନ୍ନ ସରକାରୀ କ୍ୱାରାଣ୍ଟାଇନ୍‌ ଶିବିରରେ ୧୪ ଦିନ ରହିସାରି ଥିବା ଶ୍ରମିକମାନଙ୍କୁ ବିଶେଷ ବ୍ୟବସ୍ଥା କରି ଆଣିବାକୁ ପଦକ୍ଷେପ ନିଅନ୍ତୁ। ସରକାର, ଗାଁକୁ ଫେରୁଥିବା ଶ୍ରମିକଙ୍କୁ ୧୪ ଦିନ କ୍ୱାରାଣ୍ଟାଇନରେ ରହିବା ପରେ ଦୁଇ ହଜାର ଟଙ୍କା ଦେବାକୁ ଇତି ମଧ୍ୟରେ ଯେଉଁ ଘୋଷଣା କରିଛନ୍ତି ତାହା ସ୍ବାଗତଯୋଗ୍ୟ ହେଲେ ବି ଅପର୍ଯ୍ୟାପ୍ତ । କାରଣ ଦୀର୍ଘ ଦେଢ଼ମାସ ଧରି ସମ୍ପୂର୍ଣ୍ଣ ଭାବେ ରୋଜଗାର ହରାଇ କପର୍ଦ୍ଦକଶୂନ୍ୟ ଅବସ୍ଥାରେ ଥିବା ଶ୍ରମିକମାନଙ୍କୁ କମ୍‌ସେ କମ୍‌ ପାଞ୍ଚ ହଜାର ଟଙ୍କାର ସହାୟତା ଦେବା ଆବଶ୍ୟକ ଥିଲା। ଏପରି କି ଯେଉଁ ଶ୍ରମିକମାନେ ଲକ୍‌ଡାଉନ୍‌ ପୂର୍ବରୁ ଓ ଲକ୍‌ଡାଉନ୍‌୍‌ ସମୟରେ ବି ଘରକୁ ଫେରିଛନ୍ତି ସେମାନଙ୍କୁ ମଧ୍ୟ ଏହି ସହାୟତା ରାଶି ମିଳିବା ଦରକାର। ଏହାସହିତ ଏହି ପ୍ରବାସ ଫେରନ୍ତା ଶ୍ରମିକମାନଙ୍କୁ ଗାଁରେ ତୁରନ୍ତ ମନ୍‌ରେଗା ତଥା ଅନ୍ୟାନ୍ୟ ସରକାରୀ ଯୋଜନା ଜରିଆରେ ଯଥେଷ୍ଟ ପରିମାଣରେ କାମ ଯୋଗାଇଦେବା ଦରକାର।
ମୋ:୯୪୩୭୧୬୬୩୯୧


Enter your email to get our daily news in your inbox.

All Right Reserved By Dharitri.Com

ଆଲୋକ ପ୍ରଦୂଷଣ

ଭ୍ୟତାର ବିକାଶ କ୍ରମରେ ଏକଦା ବିଜୁଳି ମାଡରେ ଜଳୁଥିବା ବଣ ମଧ୍ୟରୁ ମନୁଷ୍ୟ ପ୍ରଥମେ ନିଆଁକୁ ଆବିଷ୍କାର କରିଥିଲା। ନିଆଁ ଆବିଷ୍କାର ପରେ ମଣିଷ ମଶାଲ...

କେହି ନୁହେଁ କାହାର

ଗଣତନ୍ତ୍ରରେ ସରକାର ବଦଳିବା ଏକ ସ୍ବାଭାବିକ ପ୍ରକ୍ରିୟା। ମାତ୍ର ଏଇ ସ୍ବାଭାବିକ ପ୍ରକ୍ରିୟାଟି ଅନେକ ଅସ୍ବାଭାବିକ ପ୍ରକ୍ରିୟାକୁ ସାଙ୍ଗରେ ଧରି ଆସିଥାଏ। ଗୋଟେ ସରକାର ପତନ...

ଉବର ଚୁକ୍ତି

ଭାରତର ସୁରକ୍ଷା ପ୍ରତି ପଡ଼ୋଶୀ ଚାଇନା ଓ ପାକିସ୍ତାନ ଆହ୍ବାନ ସୃଷ୍ଟି କରିଛନ୍ତି। ଏହାର ମୁକାବିଲା ପାଇଁ ସେନା ନୂତନ ସ୍ଥିତି ସହିତ ଖାପ ଖୁଆଇ...

ଏଇ ଭାରତରେ

ସ୍ବାମୀ ଓ ସ୍ତ୍ରୀଙ୍କ ବୟସ ଏବେ ୭୯। ତଥାପି ସେମାନେ ବୟସର ଛାପ ନିଜ ଉପରେ ପଡ଼ିବାକୁ ଦେଇ ନାହାନ୍ତି କି ହାର୍‌ ମାନି ନାହାନ୍ତି।...

ଆକସ୍ମିକ ମୃତ୍ୟୁ

ବାସ୍ତବିକ ମୃତ୍ୟୁ ହିଁ ଦୁନିଆରେ ଚିରସତ୍ୟ, ଏହା କବଳରୁ ନରରୂପୀ ଭଗବାନ, ଧନୀ, ମାନୀ, ଜ୍ଞାନୀ, ଗୁଣୀ, ପ୍ରତିପତ୍ତି ସମ୍ପନ୍ନ, ଦରିଦ୍ର କେହି ରକ୍ଷା ପାଇପାରିବେ...

ବାଣରୁ କ୍ଷାନ୍ତ

ପ୍ରତିବର୍ଷ ଦୀପାବଳି ଆସିଲେ ଦିଲ୍ଲୀର ବାୟୁ ପ୍ରଦୂଷଣ ବିଷୟରେ ଗମ୍ଭୀର ଆଲୋଚନା ହୋଇଥାଏ। ପାରମ୍ପରିକ ଗଣମାଧ୍ୟମରେ ବିତର୍କ ହୁଏ ଓ ସୋସିଆଲ ମିଡିଆରେ ଏ ସମ୍ବନ୍ଧୀୟ...

ସର୍ବନିମ୍ନ ସହାୟକ ମୂଲ୍ୟ

ନିକଟରେ କେନ୍ଦ୍ର ସରକାର ୬ଟି ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ଘୋଷଣା କରିଛନ୍ତି। ୨୦୨୫-୨୬ ବର୍ଷ ପାଇଁ କୁଇଣ୍ଟାଲ ପିଛା ଗହମର ସର୍ବନିମ୍ନ ସହାୟକ...

ଓଡ଼ିଆରେ ବୈଷୟିକ ଶିକ୍ଷା

କିଛି ବ୍ୟକ୍ତିଙ୍କର କହିବା କଥା ଯେ, ବୈଷୟିକ ଶିକ୍ଷା ଓଡ଼ିଆ ଭାଷାରେ ପଢ଼ାଲେଖା ନ ହେବାରୁ ଆମ ଭାଷା ସଙ୍କୁଚିତ ହୋଇଯାଉଛି। ତେଣୁ ସମସ୍ତ ବିଷୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri