ଦଶମନ୍ତପୁର,୧୭ା୪(ଡି.ଏନ୍.ଏ.): ପୂର୍ବପୁରୁଷର ଗୋଟିଏ ଏକର ଜମି ପଡ଼ିଆ ପଡ଼ିଥିଲା। ପାଖରେ ଜଳସେଚନ ବ୍ୟବସ୍ଥା ବି ନଥିଲା। କିନ୍ତୁ ନିଜ ଉଦ୍ୟମ ବଳରେ ଜମିକୁ ପାଣି ମଡ଼ାଇ ଲଣ୍ଡା ପଡ଼ିଆକୁ ସବୁଜିମାରେ ଭରିଦେଇଛନ୍ତି ଜଣେ ଦିବ୍ୟାଙ୍ଗ ବୃଦ୍ଧ। ସେଇ ଗୋଟିଏ ଏକର ଜମିରେ ଏବେ ବିଭିନ୍ନ ଫଳଗଛ, ସବୁଜ ପନିପରିବା ଓ ଫୁଲଗଛ ହସୁଛି। ଉପାନ୍ତ ଅବିଭକ୍ତ କୋରାପୁଟ ଜିଲାର ଚାଷ ବେଉସା ପାଇଁ ପ୍ରେରଣା ପାଲଟିଛନ୍ତି ନିତ୍ୟାନନ୍ଦ ସାହୁ।
ରାୟଗଡ଼ା ଜିଲା କାଶିପୁର ବ୍ଲକ ଡୋଙ୍ଗାସିଲ ପଞ୍ଚାୟତରେ ରହିଛି ଶିଶପାସ୍ ଗାଁ। ଏହି ଗାଁଟି କୋରାପୁଟ ଜିଲାର ଦଶମନ୍ତପୁର ବ୍ଲକକୁ ଲାଗିଛି। ଏହି ଗାଁରେ ନିତ୍ୟାନନ୍ଦଙ୍କ ଘର। ୨୫ ବର୍ଷ ତଳର କଥା। ସେ ଗାଁ ନିକଟସ୍ଥ ନାରଙ୍ଗି ଛପର ଡଙ୍ଗରକୁ ଗାଈଗୋରୁ ଚରାଇବାକୁ ଯାଇଥିଲେ। ସେତିକିବେଳେ ବାର୍ହା ଆକ୍ରମଣର ଶିକାର ହୋଇଥିଲେ ନିତ୍ୟାନନ୍ଦ। ବାର୍ହା ଡାହାଣ ହାତକୁ ଏଭଳି କାମୁଡ଼ିଥିଲା ଯେ ତାହା ଶେଷକୁ ଛିଣ୍ଡିଯାଇଥିଲା। ସେବେଠାରୁ ଦିବ୍ୟାଙ୍ଗ ପାଲଟିଗଲେ ସେ। ଘରେ ତାଙ୍କର ୩ ପୁଅ ଓ ୩ ଜଣ ଝିଅ। ସେମାନଙ୍କର ବିବାହ ହେବା ପରେ ନିତ୍ୟାନନ୍ଦ ସ୍ତ୍ରୀ ଟୋବାଙ୍କ ସହ ରହୁଥିବା କହିଛନ୍ତି। ପୂର୍ବପୁରୁଷରୁ ଗାଁରେ ଥିବା ୧ ଏକର ଜମି ପଡ଼ିଆ ପଡ଼ିଥିଲା। ସେଠାକୁ ଜଳସେଚନ ବ୍ୟବସ୍ଥା ନଥିଲା। ନିଜେ କୋଦାଳ ମାରି ମାରି ୨ କି.ମି. ଦୂରରେ ଥିବା ଆକୁମୁଣ୍ଡାରୁ ପାଣିକୁ ନିଜ ଜମିରେ ମଡ଼ାଇବା ବ୍ୟବସ୍ଥା କଲେ। ଏଥିପାଇଁ ତାଙ୍କୁ ପ୍ରାୟ ୧ ମାସ ଲାଗିଥିଲା। ପାଣି ମାଡ଼ିବା ପରେ ନିତ୍ୟାନନ୍ଦ ଓ ତାଙ୍କ ସ୍ତ୍ରୀ ଆନ୍ଧ୍ରରୁ ବିଭିନ୍ନ ପନିପରିବା ଓ ଫଳଚାଷ ପାଇଁ ବିହନ ଓ ଚାରା ଆଣି ଲଗାଇଲେ। ତାରପୋଲିନରେ କୁଡ଼ିଆକରି ଦିନ ରାତି ସେଠାରେ ବୃଦ୍ଧ ଦମ୍ପତି ଜଗିରହିଲେ। ସେମାନଙ୍କର ପରିଶ୍ରମ ସାକାର ରୂପ ନେଲା। ଯେଉଁଠି ଜମି ପଡ଼ିଆ ପଡ଼ିଥିଲା, ବର୍ତ୍ତମାନ ସେଠାରେ ୮ ଆମ୍ବ ଗଛ, ୬ ଜାମୁଗଛ, ୧୦ କମଳା, ୫ ଲେମ୍ବୁ, ୧୫ ସଲପ, ୩ ଖଜୁରୀ, ୨ ଖଜରା ଗଛ, ୨ ଲିଚୁଗଛ, ଗୋଟିଏ ତେଜପତ୍ର ଗଛ, ୧୬ ଆନ୍ଧ୍ର କଦଳୀଗଛ, ୧୦ ଦେଶୀ କଦଳୀଗଛ, ୬ ଗୁଆଗଛ, ୬ ଅମୃତଭଣ୍ଡା ଗଛ ଲାଗିଛି। ସେହିପରି ୩୦୦ ଫୁଲକୋବି, ୫୦୦ ପତ୍ରକୋବି, ୧ ହଜାର ବାଇଗଣ, ପିଆଜ, ଟମାଟୋ, ୬ଶହ ସପୁରି ଗଛ, ଆଲୋଡି, ଭେଣ୍ଡି, କୁମୁଡ଼ା, କାକୁଡି, ୪ ପ୍ରକାରର ଗୋଲାପ ଗଛ ସାଙ୍ଗକୁ ମଲ୍ଲି ଓ ଇତିମଳା ଫୁଲ ଗଛ ମଧ୍ୟ ବଗିଚାରେ ହସୁଛି। ଏଠାରୁ ଅମଳ ହେଉଥିବା ଫଳ ଓ ପରିବା ଦଶମନ୍ତପୁର ବ୍ଲକ ଏବଂ ରାୟଗଡ଼ା ଜିଲାରେ ବିକ୍ରି ହେଉଛି। ଗାଁ ଆଖପାଖରେ କାହାର ଭୋଜିକାର୍ଯ୍ୟ ହେଲେ ସେମାନେ ନିତ୍ୟାନନ୍ଦଙ୍କ ପରିବା ବଗିଚାରେ ପହଞ୍ଚତ୍ୟାଉଛନ୍ତି।