ଲିଙ୍ଗଗତ ଅସମାନତା

ବିଚିତ୍ର ବିଶ୍ୱାଳ

ଦୁଇ ହଜାର ତେଇଶ ମସିହା ସରିବାକୁ ଆଉ ମାତ୍ର କେଇଦିନ ବାକିଥିବା ବେଳେ ସମ୍ବଲପୁରର ଗୋଟିଏ ଘଟଣା ସାରା ରାଜ୍ୟର ଦୃଷ୍ଟି ଆକର୍ଷଣ କରିଛି। ସମ୍ବଲପୁର ଜିଲା ମୁଖ୍ୟାଳୟଠାରୁ ତିରିଶ କିଲୋମିଟର ଦୂର ରେଙ୍ଗାଲି ବ୍ଲକ୍‌ର ଲାରିପାଲି ଗାଁ ପାଖ ଜଙ୍ଗଲର ଏକ ପରିତ୍ୟକ୍ତ ଗଭୀର ନଳକୂପ ଭିତରେ ଗୋଟେ ନବଜାତ ଶିଶୁକନ୍ୟାକୁ କେହି ଫିଙ୍ଗିଦେଇ ଚାଲିଯାଇଥିଲେ। ଜଣେ ଛେଳି ଚରାଳିଙ୍କୁ ନବଜାତକର କାନ୍ଦ ଶୁଭିଥିଲା ଓ ପରବର୍ତ୍ତୀ ଘଟଣାକ୍ରମରେ ପ୍ରଶାସନର ତପତ୍ରତା ଯୋଗୁ ଦୀର୍ଘ ଛଅ ଘଣ୍ଟାର ପରିଶ୍ରମ ପରେ ଶିଶୁକନ୍ୟାଟିକୁ ଉଦ୍ଧାର କରାଯାଇଥିଲା। ଯିଏ ବି କେହି ତାକୁ ପକେଇଥାଉ ତା’ର ଉଦ୍ଦେଶ୍ୟ ଥିଲା ଶିଶୁଟି ମରିଯାଉ। ଏହି ଘଟଣା ପଛରେ ଅବାଞ୍ଛିତ କୁମାରୀ ମାତୃତ୍ୱ ନଚେତ କନ୍ୟା ସନ୍ତାନ ଚାହଁୁ ନ ଥିବା କେହି ଏପରି କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି। ଯିଏ ବି ତାକୁ ମରିବାକୁ ଫୋପାଡ଼ି ଦେଇଛି ସେ ଜଣେ ମା’। ଜଣେ ମା’ କିପରି ଗୋଟେ ନବଜାତ ସନ୍ତାନକୁ ଫୋପାଡ଼ି ଦେଇପାରେ! ଆମ ସମାଜ କେତେ ଦ୍ରୁତଗତିରେ ସମ୍ବେଦନଶୂନ୍ୟ ହେବାରେ ଲାଗିଛି!
କନ୍ୟା ସନ୍ତାନ ଚାହଁୁ ନଥିବା କୌଣସି ଦମ୍ପତି ଯଦି ନବଜାତ ଶିଶୁକନ୍ୟାଟିକୁ ମରିବା ପାଇଁ ଫୋପାଡ଼ି ଦେଇଥାନ୍ତି ତେବେ ଏହା ଆମ ସମାଜରେ ଲିଙ୍ଗଗତ ବୈଷମ୍ୟର ଭୟାବହତାକୁ ସ୍ପଷ୍ଟ ଭାବେ ଉଜାଗର କରୁଛି। ଯଦି ନବଜାତକଟି ପୁତ୍ର ସନ୍ତାନ ହୋଇଥାନ୍ତା, ତେବେ କ’ଣ ତାକୁ କେହି ଏପରି ଫୋପାଡ଼ି ଦେଇଥାନ୍ତେ? ମାତୃତ୍ୱ କ’ଣ ଏତେ ନିଷ୍ଠୁର ହୋଇପାରେ ଯେ, ଝିଅଟିଏ ଜନ୍ମହେଲେ ତାକୁ ମରିବା ପାଇଁ ଫୋପାଡ଼ି ଦିଆଯାଇପାରେ। ମଣିଷ ଆଜି ଆଧୁନିକତାର ଚରମ ସୀମାରେ ପହଞ୍ଚି ସାରିଥିବା ବେଳେ ପୁଅ-ଝିଅ ମଧ୍ୟରେ ଏପରି ଭେଦଭାବ କାହଁିକି? ଏପରି ପ୍ରଶ୍ନ ଉଠିବାର ମୁଖ୍ୟ କାରଣ ହେଉଛି ୨୦୨୦-୨୧ରେ ହୋଇଥିବା ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ-୫ର ତଥ୍ୟ ଅନୁସାରେ ଓଡ଼ିଶାରେ ଦ୍ରୁତଗତିରେ ଝିଅଙ୍କ ସଂଖ୍ୟା ହ୍ରାସ ହେଉଛି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ- ୫ ଅନୁସାରେ ଓଡ଼ିଶାରେ ପ୍ରତି ୧ ହଜାର ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ୮୯୪। ଏନ୍‌ଏଫ୍‌ଏଚ୍‌ଏସ୍‌-୪ର ସର୍ଭେ ଅନୁଯାୟୀ ପ୍ରତି ୧ ହଜାର ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ୯୩୨ ଥିଲା। ଅର୍ଥାତ ରାଜ୍ୟରେ ଦ୍ରୁତଗତିରେ ଝିଅଙ୍କ ସଂଖ୍ୟା କମ୍‌ ହେଉଛି, ଯାହା ଲିଙ୍ଗଗତ ଅସମାନତା ବଢ଼ୁଥିବାର ଏକ ପରିସଂଖ୍ୟାନ ଭିତ୍ତିକ ପ୍ରମାଣ। ୧୯୬୧ ମସିହା ଜନଗଣନାରେ ପ୍ରତି ୧ ହଜାର ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ଥିଲା ୧୦୩୫। ୨୦୦୧ରେ ୯୫୩ ଓ ୨୦୧୧ ଜନଗଣନାରେ ମହିଳାଙ୍କ ସଂଖ୍ୟା ୯୪୧ ଥିଲା। ଗତ ଦଶ ବର୍ଷ ମଧ୍ୟରେ ମହିଳାଙ୍କ ସଂଖ୍ୟାରେ ୪.୭% ହ୍ରାସ ହୋଇଥିବା ବେଳେ ଗତ ପଚାଶ ବର୍ଷ ମଧ୍ୟରେ ୧୨.୬% ହ୍ରାସ ହୋଇଛି। ତେବେ ଝିଅମାନେ ଗଲେ କୁଆଡ଼େ?
ସାରା ଦେଶରେ ପ୍ରତି ୧ ହଜାର ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ୧୦୨୦। କିନ୍ତୁ ଏହି ପରିସଂଖ୍ୟାନକୁ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମଧ୍ୟରେ ଭାଗ କଲେ ସହରାଞ୍ଚଳର ଶିକ୍ଷିତ ଗୋଷ୍ଠୀଙ୍କ ମଧ୍ୟରେ ଲିଙ୍ଗଗତ ଅସମାନତା ଅଧିକ ବୋଲି ସ୍ପଷ୍ଟ ବୁଝିହେବ। ତଥ୍ୟ ଅନୁସାରେ ସାରା ଭାରତରେ ଗ୍ରାମାଞ୍ଚଳରେ ପ୍ରତି ହଜାରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ୧୦୩୭। କିନ୍ତୁ ସହରାଞ୍ଚଳରେ ପ୍ରତି ହଜାରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ୯୮୫। ଏଥିରୁ ସ୍ପଷ୍ଟ ଯେ ସହରାଞ୍ଚଳ ଲୋକଙ୍କ ପାଖରେ ଭ୍ରୂଣ ନିରୂପଣର ସୁବିଧା ଥିବାରୁ ସେମାନେ କନ୍ୟା ଭ୍ରୂଣ ହତ୍ୟା ପରି ଜଘନ୍ୟ ଓ ବେଆଇନ କାମ କରୁଥିବାର ସମ୍ଭାବନା ରହିଛି। ନଚେତ୍‌ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟାରେ ଏତେ ପ୍ରଭେଦ କେବେ ବି ହୁଅନ୍ତା ନାହଁି। ଲିଙ୍ଗଭେଦ ମାନସିକତା ଓ ପୁତ୍ର ସନ୍ତାନକୁ ଅଧିକ ପ୍ରାଧାନ୍ୟ ଯୋଗୁ ହଁି ଦ୍ରୁତଗତିରେ କନ୍ୟା ସନ୍ତାନ କମ୍‌ ହେଉଛି। ଏପରି ଏକ ସମାଜକୁ କ’ଣ ସତରେ ଆଧୁନିକ ସମାଜ କୁହାଯାଇପାରିବ! ଦୁର୍ଭାଗ୍ୟଜନକ ବିଷୟ ହେଉଛି, ଓଡ଼ିଶା ପରି ମାତୃପୂଜାର ପରମ୍ପରା ଥିବା ଏକ ରାଜ୍ୟରେ ଦ୍ରୁତଗତିରେ କନ୍ୟା ସନ୍ତାନଙ୍କ ସଂଖ୍ୟା ହ୍ରାସ ହେବା। ବାସ୍ତବରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ଅଧିକ ହେବା କଥା। କିନ୍ତୁ ହେଉଛି ଠିକ୍‌ ଓଲଟା। ଆଜିକୁ ପଚାଶ ବର୍ଷ ତଳେ ଯେତେବେଳେ ଆଧୁନିକ ଡାକ୍ତରୀ ବିଜ୍ଞାନ ଉନ୍ନତ ହୋଇ ନ ଥିଲା, ଭ୍ରୂଣ ନିରୂପଣ ଓ ଭ୍ରୂଣ ହତ୍ୟା, ଗର୍ଭପାତ ପରି ସୁବିଧା ନ ଥିଲା, ସେତେବେଳେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ଅଧିକ ଥିଲା। ଏବେ ଯେଉଁଭଳି ଭାବେ ମହିଳାଙ୍କ ସଂଖ୍ୟା କମୁଛି, ଏହା ନିଃସନ୍ଦେହ ଯେ ଭ୍ରୂଣ ଅବସ୍ଥାରୁ କନ୍ୟା ସନ୍ତାନକୁ ନିରୂପଣ କରି ହତ୍ୟା କରାଯାଇଛି। ଏହାର ଅପରାଧୀ ସାରା ସମାଜ ଓ ଆମ ପୁରୁଷପ୍ରଧାନ ମାନସିକତା।
ଝିଅଙ୍କ ସଂଖ୍ୟା ହ୍ରାସ ହେଉଥିବା ରାଜ୍ୟଙ୍କ ମଧ୍ୟରେ କେରଳ, ଛତିଶଗଡ଼, ହିମାଚଳ ପ୍ରଦେଶ, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ପରେ ଓଡ଼ିଶା ରହିଛି। ଗୋଟିଏ ପଟେ ଆମ ରାଜ୍ୟ ମହିଳା ସଶକ୍ତୀକରଣ କ୍ଷେତ୍ରରେ ସର୍ବାଗ୍ରେ ଥିବାର ଡିଣ୍ଡିମ ପିଟୁଥିବା ବେଳେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ହ୍ରାସ ହେବା ଏହାର ଠିକ୍‌ ବିପରୀତ ଲକ୍ଷଣ। ଆମ ରାଜ୍ୟର ଭିନ୍ନ ଭିନ୍ନ ଜିଲାରେ ମଧ୍ୟ ଲିଙ୍ଗଗତ ଅସମାନତା ଦିନକୁ ଦିନ ବଢ଼ିବାକୁ ଲାଗୁଛି। ନୟାଗଡ଼ରେ ପ୍ରତି ହଜାରେ ପୁରୁଷରେ ମହିଳାଙ୍କ ସଂଖ୍ୟା ୮୧୧ ହୋଇଥିବା ବେଳେ ଢେଙ୍କାନାଳରେ ୮୫୬, ସୋନପୁରରେ ୮୮୦, ଅନୁଗୋଳରେ ୮୮୫, ଜଗତ୍‌ସିଂହପୁରରେ ୮୯୭, କେନ୍ଦ୍ରାପଡ଼ାରେ ୮୯୮ ରହିଛି। ଉପକୂଳ ଓଡ଼ିଶାରେ ଶିକ୍ଷା କ୍ଷେତ୍ରରେ ଆଗୁଆ ଥିବା ଜିଲାଗୁଡ଼ିକ ତୁଳନାରେ ଦକ୍ଷିଣ ଓଡ଼ିଶାରେ ଆଦିବାସୀ ଅଧ୍ୟୁଷିତ ତଥା କମ୍‌ ଶିକ୍ଷାହାର ଥିବା ଜିଲାଗୁଡ଼ିକରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ଅଧିକ। ଶିକ୍ଷା କ୍ଷେତ୍ରରେ ଆଗୁଆ ଥିବା ଜିଲାଗୁଡ଼ିକରେ ଲିଙ୍ଗଗତ ବିଷମତା ଅଧିକ। ଜନ୍ମ ସମୟରେ ଲିଙ୍ଗ ନିରୂପଣ ଜନିତ ଗର୍ଭପାତ, ପୁତ୍ର ସନ୍ତାନକୁ ପ୍ରାଧାନ୍ୟ ଆଦି ଲିଙ୍ଗଗତ ଜନ୍ମହାର ହ୍ରାସର ପ୍ରମୁଖ କାରଣ।
କେବଳ ଜନ୍ମ ସମୟରେ ନୁହେଁ ବଡ଼ ହେବା ପରେ ମଧ୍ୟ ପୁରୁଷପ୍ରଧାନ ସମାଜ ନାରୀମାନଙ୍କୁ ଦ୍ୱିତୀୟ ଶ୍ରେଣୀ ନାଗରିକର ମାନ୍ୟତା ଦେଇ ଆସୁଛି। ନାରୀଟିଏ ଜନ୍ମ ହେବା ପୂର୍ବରୁ ଭ୍ରୂଣ ଅବସ୍ଥାରୁ, ଜନ୍ମ ହେବା ପରେ ଓ ବଡ଼ ହୋଇ ମରିବା ଯାଏ ପ୍ରତି ମୁହୂର୍ତ୍ତରେ ପୁରୁଷ ପ୍ରାଧାନ୍ୟତାର ଶିକାର ହୋଇଚାଲୁଛି। ଏଭଳି ସମାଜରେ ନାରୀଙ୍କ ସଂଖ୍ୟା କମ୍‌ ହେବା ସ୍ବାଭାବିକ ଓ ଏହା ଭବିଷ୍ୟତ ପାଇଁ ଚିନ୍ତାର ବିଷୟ। ପରିସ୍ଥିତି ଏପରି ହୋଇଛି , ଆମ ସମାଜ ଦୁଷ୍କର୍ମକାରୀକୁ ନିନ୍ଦା କରିବା ପରିବର୍ତ୍ତେ ମହିଳାଙ୍କ ଚରିତ୍ରକୁ ଆକ୍ଷେପ କରୁଛି। ମହିଳାଙ୍କ ପୋଷାକ ଯୋଗୁ ପୁରୁଷମାନେ ଆକର୍ଷିତ ହୋଇ ଦୁଷ୍କର୍ମ କରିବାକୁ ଆଗଭର ହେଉଛନ୍ତି ବୋଲି କିଛି ତଥାକଥିତ ଧାର୍ମିକ ଲୋକ ମତ ପୋଷଣ କରୁଛନ୍ତି। ଲମ୍ପଟ ପୁରୁଷକୁ ଦୋଷ ଦେବା ପରିବର୍ତ୍ତେ ମହିଳାଙ୍କ ବେଶ ପୋଷାକକୁ ଦୋଷ ଦିଆଯାଉଛି। ସମ୍ପ୍ରତି ଗୋଟିଏ ପରେ ଗୋଟିଏ ମହିଳା ବିରୋଧୀ ହିଂସା ବିଷୟକ ଚଳଚ୍ଚିତ୍ର ସୁପର ହିଟ୍‌ ହୋଇ ଦର୍ଶକୀୟ ଆଦୃତି ପାଉଛି। ଏହା ଆମ ସମାଜର ମହିଳା ବିରୋଧୀ ତଥା ଉଗ୍ର ପୁରୁଷ ପ୍ରାଧାନ୍ୟ ମାନସିକତାର ପ୍ରମାଣ ବହନ କରୁଛି। ମହିଳା ବିରୋଧୀ ସମାଜ କେବେ ବି ଗୋଟେ ସୁସ୍ଥ ସମାଜ ନୁହେଁ। ଯେତେବେଳେ ପୁରୁଷପ୍ରଧାନ ମାନସିକତା ସମୂଳେ ପରିବର୍ତ୍ତନ ହେବ ସେତେବେଳେ ମହିଳାମାନଙ୍କୁ ସବୁ କ୍ଷେତ୍ରରେ ସମାନ ଅଧିକାର ପ୍ରଦାନ କରିବା ସମ୍ଭବ ହେବ।
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର
ମୋ: ୯୪୩୮୪୬୮୪୭୪


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧାବସ୍ଥାର ଅନୁଚିନ୍ତା

ଆମ ସମାଜରେ ଦେଖିବାକୁ ମିଳୁଛି ବୃଦ୍ଧାବସ୍ଥାର ଅସହାୟତା। ବୃଦ୍ଧାବସ୍ଥାରେ ସନ୍ତାନମାନେ ହିଁ ଏକମାତ୍ର ଭରସା। ଯେତେ ବୃଦ୍ଧାଶ୍ରମ କି ଆଶ୍ରମ ହେଉ ତାହା କେବେ ବି...

ଜଳ ଆସିଲା କେଉଁଠୁ

ପୃଥିବୀକୁ ‘ଜଳଗ୍ରହ’ ବୋଲି କୁହାଯାଏ। କାରଣ ସୌରଜଗତ ଏବଂ ଅଦ୍ୟାବଧି ଏହା ବାହାରେ ଆବିଷ୍କୃତ ଶତାଧିକ ଗ୍ରହମାନଙ୍କ ମଧ୍ୟରେ ଏକମାତ୍ର ଏଥିରେ ହିଁ ରହିଛି ପ୍ରଚୁର...

ପତ୍ରେ ପତ୍ରେ ଠକ

ବର୍ତ୍ତମାନ ସମୟରେ ଡିଜିଟାଲ ଆରେଷ୍ଟ ଏକ ଭୟଙ୍କର ଅନ୍‌ଲାଇନ ଅପରାଧ ଭାବେ ଉଭା ହେଲାଣି। ଏଥିରେ ଠକମାନେ ନିଜକୁ ପୋଲିସ, ସିବିଆଇ, ଆର୍‌ବିଆଇ କିମ୍ବା ନାର୍କୋଟିକ୍ସ...

ଏଇ ଭାରତରେ

କେଶ କାଟିବାକୁ ହେଲେ ସେଲୁନ୍‌ ଯିବାକୁ ପଡେ। ହେଲେ ସେଲୁନ୍‌ କେବେ ଲୋକଙ୍କ ପାଖକୁ ଆସିବା ଦେଖିଛନ୍ତି! ଅଜବ କଥା ଭଳି ଲାଗୁଥିଲେ ବି ଏମିତି...

ରୋବୋ ଯୁଦ୍ଧ

ଣସି ଯୁଦ୍ଧ ପାଇଁ ସୈନିକ ଏବଂ ଅସ୍ତ୍ରଶସ୍ତ୍ର ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ। ପ୍ରାଚୀନ କାଳରେ ଖଣ୍ଡା, ତରବାରି ସାହାଯ୍ୟରେ ଯୁଦ୍ଧ ହେଉଥିଲା। ଏହା ଥିଲା ପ୍ରତ୍ୟକ୍ଷ...

ସନ୍ଦେହଘେରରେ ୟୁପିଏସ୍‌

କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନଗୁଡ଼ିକର ସମର୍ଥନ ଓ ଭାଗୀଦାରିରେ ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ ପରିଷଦ (ଏନ୍‌ଜେସିଏ) ଭଳି ଏକ ବୃହତ୍‌କାୟ ସର୍ବଭାରତୀୟ ମିଳିତ ମଞ୍ଚ ଅଧୀନରେ ରେଳ...

ପରିସ୍ଥିତିର ଦାସ

ରୁଷିଆ-ୟୁକ୍ରେନ ଯୁଦ୍ଧ ଡିସେମ୍ବର ୨୧ରେ ଏକ ଭିନ୍ନ ଚିତ୍ର ତୋଳିଛି। ୨୦୦୧ ସେପ୍ଟେମ୍ବର ୧୧ (୯/୧୧)ରେ ଓସମା ବିନ୍‌ ଲାଡେନ୍‌ଙ୍କ ସଙ୍ଗଠନ ଅଲ୍‌-କାଏଦା ଆମେରିକାର ବିଶ୍ୱ...

ଏଇ ଭାରତରେ

ବୟସ ୨୫, ହେଲେ ଜାସ୍‌ କାଲ୍‌ରାଙ୍କ କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ତଥା ପ୍ରେରଣାଦାୟକ। ଏହି ବୟସରେ ଜାସ୍‌ ଗୁରୁଗ୍ରାମରେ ଏକ ଆଶ୍ରୟସ୍ଥଳୀରେ ୧,୨୦୦ ଅସହାୟ ଲୋକଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri