ଦୋହା, ୨୨।୧୨- ଅତିରିକ୍ତ ମିନିଟ୍ରେ ରବର୍ଟୋ ଫିର୍ମିନୋଙ୍କ ଗୋଲ ଯୋଗୁ ଲିଭରପୁଲ ୧-୦ ଗୋଲରେ ବ୍ରାଜିଲର ଫ୍ଲାମେଙ୍ଗୋଙ୍କୁ ହରାଇ କ୍ଲବ ବିଶ୍ୱକପ୍ ଜିତିଛି। ସ୍ଥାନୀୟ ଖଲିଫା ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ୧୩ ହଜାର ଦର୍ଶକଙ୍କ ସାମ୍ନାରେ ଲିଭରପୁଲ ତା’ର ପ୍ରଥମ କ୍ଲବ ବିଶ୍ୱକପ୍ ଟାଇଟଲ ହାତେଇଛି। ଇଂଲଣ୍ଡର ଦ୍ୱିତୀୟ କ୍ଲବ ଭାବେ ଲିଭରପୁଲ ଦଳ ଏହି ସଫଳତା ହାସଲ କରିଛି। ଏଥିପୂର୍ବରୁ ମାଞ୍ଚେଷ୍ଟର ୟୁନାଇଟେଡ୍ ୨୦୦୮ରେ ଟ୍ରଫି ଜିତିଥିଲା। ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ର ପ୍ରଥମ ୯୦ ମିନିଟ୍ରେ କୌଣସି ଦଳ ଗୋଲ ସ୍କୋର କରିପାରି ନ ଥିଲେ। ଅତିରିକ୍ତ ସମୟର ପ୍ରଥମାର୍ଦ୍ଧରେ ଫିର୍ମିନୋ (୯୯ତମ ମିନିଟ୍) ଗୋଲ ଦେଇଥିଲେ। ଏହି ଗୋଲ ପରିଶୋଧ କରିବା ପାଇଁ ଫ୍ଲାମେଙ୍ଗୋ ନିକଟରେ ୨୦ ମିନିଟ୍ରୁ ଊର୍ଦ୍ଧ୍ୱ ସମୟ ଥିଲା। ଦଳ ପକ୍ଷରୁ ଖେଳାଳିମାନେ ବହୁ ପ୍ରୟାସ କରି ବିଫଳ ହୋଇଥିଲେ।