ବେଙ୍ଗାଲୁରୁ,୩ା୬(ପି.ଟି.): ଲୋକ ସଭା ଅଧିବେଶନ ସୁରୁଖୁରୁରେ ଚଳାଇବା ଲାଗି ନବନିଯୁକ୍ତ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ ବିରୋଧୀ ଦଳଗୁଡିକର ସହଯୋଗ ଲୋଡିଛନ୍ତି। ସମସ୍ତ ପ୍ରସଙ୍ଗରେ ଆଲୋଚନା ଲାଗି ସରକାର ପ୍ରସ୍ତୁତ ବୋଲି ସେ କହିଛନ୍ତି। ସପ୍ତଦଶ ଲୋକ ସଭାର ପ୍ରଥମ ଅଧିବେଶନ ଜୁନ ୧୭ରୁ ଆରମ୍ଭ ହୋଇ ଜୁଲାଇ ୨୬ ପର୍ଯ୍ୟନ୍ତ ଚାଲିବ। ଜୁଲାଇ ୫ରେ ବଜେଟ ଉପସ୍ଥାପନ କରାଯିବ। ମନ୍ତ୍ରୀ ଭାବେ ଦାୟିତ୍ୱଗ୍ରହଣ ପରେ ବେଙ୍ଗାଲୁରୁ ଗସ୍ତରେ ଯାଇଥିବା ଜୋଷୀ କହିଛନ୍ତି ଲୋକ ସଭାରେ ବିତର୍କ ଓ ଆଲୋଚନା ହେବା ଉଚିତ। ପ୍ରତିରୋଧ କରାଯିବା ଉଚିତ ନୁହେଁ। ଜନାଦେଶ ପରେ ସମସ୍ତ ବିରୋଧୀ ଦଳଙ୍କୁ ଏକାଠି କାମ କରିବା ଲାଗି ସେ ଅନୁରୋଧ କରିଛନ୍ତି।