ଟେକ୍ନୋଲୋଜିର ଅଗ୍ରଗତି ଫଳରେ ଆଜିକାଲି ସବୁକିଛି ଡିଜିଟାଲାଇଜ୍ ହୋଇଯାଇଛି। ଏମିତି କି ପାଠ୍ୟପୁସ୍ତକର ସ୍ଥାନ ନେଇଯାଇଛି ଇ-ବୁକ୍ସ୍। ଆଜିକାଲି ସ୍ମାର୍ଟ ଫୋନ୍ ଏବଂ ଟ୍ୟାବ୍ ମାଧ୍ୟମରେ ଲୋକମାନେ ହାତପାହାନ୍ତାରେ ସମସ୍ତ ପ୍ରକାର ବହି, ମାଗାଜିନ୍ ପଢିବାର ସୁଯୋଗ ପାଇପାରୁଥିବା ବେଳେ ଆଜି ମଧ୍ୟ ପର୍ତ୍ତୁଗାଲର ପର୍ତ୍ତୋ ସହରରେ ଥିବା ଶତାବ୍ଦୀ ପୁରୁଣା ବୁକ୍ଷ୍ଟୋର ସେଠାକାର ଲୋକଙ୍କର ପ୍ରଥମ ପସନ୍ଦ ପାଲଟିଛି। ‘ଲିଭରାରିଆ ଲେଲ୍ଲୋ’ ନାମକ ଏହି ବୁକ୍ ଷ୍ଟୋର ମଧ୍ୟକୁ ପ୍ରବେଶ କରିବା ପାଇଁ ଲୋକଙ୍କ ଲମ୍ବା ଲାଇନ୍ ଲାଗିଥାଏ। ୧୮୮୧ ମସିହାରେ ସ୍ଥାପନ କରାଯାଇଥିବା ଏହି ବୁକ୍ଷ୍ଟୋର ମଧ୍ୟକୁ ପ୍ରବେଶ କରିବା ପାଇଁ ଗ୍ରାହକଙ୍କୁ ପ୍ରବେଶ ଶୁଳ୍କ ଦେବାକୁ ପଡିଥାଏ। ଏଠାରେ ଇଂଲିଶ୍ ପୁସ୍ତକ ବ୍ୟତୀତ ପର୍ତ୍ତୁଗୀଜ୍, ଜର୍ମାନ, ଫ୍ରାନ୍ସିସି, ସ୍ପେନି ଆଦି ଭାଷାର ଅନେକ ପୁସ୍ତକ ଉପଲବ୍ଧ ଅଛି। ଏହି ବୁକ୍ଷ୍ଟୋରର ଅନ୍ୟ ଏକ ବିଶେଷତା ହେଉଛି ଏହାର ଆଭ୍ୟନ୍ତରୀଣ ସାଜସଜ୍ଜା। କାଠର କଳାକୃତିରେ ନିର୍ମିତ ସେଲ୍ଫ ତଥା ରଙ୍ଗ ବେରଙ୍ଗର ଛାତ ଏହି ସ୍ଥାନକୁ ଅଧିକ ଆକର୍ଷଣୀୟ କରିଥାଏ। କୁହାଯାଏ ହ୍ୟାରିପୋର୍ଟର ପୁସ୍ତକର ଲେଖିକା ଜେ.କେ. ରୋଲିଙ୍ଗ ଏହି ପୁସ୍ତକାଳୟର ଇଣ୍ଟେରିୟରରୁ ଅନୁପ୍ରାଣିତ ହୋଇ ହ୍ୟାରିପୋର୍ଟର କାହାଣୀରେ ଯାଦୁ ଶିକ୍ଷା ଦିଆଯାଉଥିବା ସ୍କୁଲ ହୋଗଓ୍ବାର୍ଟସ୍ର ରଚନା କରିଥିଲେ।