ନୂଆଦିଲ୍ଲୀ,୩୧।୫: ବର୍ତ୍ତମାନର ଚ୍ୟାଲେଞ୍ଜିଂ ସମୟରେ କମ୍ପାନୀଗୁଡିକର ଶେୟାର ମୂଲ୍ୟ ହ୍ରାସ ହେଉଥିବା ଦେଖାଯାଉଛି। ଏହାର ସୁଯୋଗ ନେଇ ଆକ୍ରମକ ଭାବେ କମ୍ପାନୀଗୁଡ଼ିକରେ ଅଂଶଧନ ହାସଲ ହେଉଥିବା ଘଟଣା ସାମ୍ନାକୁ ଆସିଛି। ଏହା ଏକ ଚିନ୍ତାଜନକ ପ୍ରସଙ୍ଗ ଭାବେ ଉଭା ହୋଇଛି। ଏହି ପ୍ରସଙ୍ଗକୁ ନେଇ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଶସ୍ତା ମୂଲ୍ୟରେ କମ୍ପାନୀଗୁଡିକର ଅଧିଗ୍ରହଣକୁ ଅନୁମତି ମିଳିବ ନାହିଁ। ବ୍ରାଣ୍ଡଗୁଡିକର ଉଚିତ ମୂଲ୍ୟ ମିଳିଲେ ହିଁ ତେବେ ଯାଇ ଡିଲ୍ କରିବାର ସୁଯୋଗ ମିଳିବ। ଭାରତୀୟମାନେ ଯେଉଁ କମ୍ପାନୀଗୁଡିକୁ ନିଜର ଝାଳ ବୁହାଇ ଛିଡ଼ା କରିଛନ୍ତି ସେଗୁଡିକୁ ଶସ୍ତାରେ ଏମିତି ବିକ୍ରି ହେବା ଲାଗି ସରକାର ଅନୁମତି ଦେବେ ନାହିଁ। କମ୍ପାନୀଗୁଡିକ କିଭଳି ଉଚିତ ମୂଲ୍ୟରେ ଅଧିଗ୍ରହଣ ହେବ ସେ ନେଇ ଅପେକ୍ଷା କରିବାକୁ ହେବ। ସ୍ଥିତି ଠିକ୍ ହେଲେ ଯାଇ ଡିଲ୍ ସମ୍ଭବ ହୋଇପାରିବ। ସୂଚନାଯୋଗ୍ୟ ଚଳିତ ଆର୍ଥତ୍କ ବର୍ଷରେ ସରକାର ୨.୧ ଲକ୍ଷ କୋଟି ଟଙ୍କାର ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟ ରଖିଛନ୍ତି।