ଶାନ୍ତି, ସନ୍ତୋଷ ଓ ସହିଷ୍ଣୁତା

ଡ. ଶରତ ଚନ୍ଦ୍ର ରଥ
ଶାନ୍ତି, ସନ୍ତୋଷ ଓ ସହିଷ୍ଣୁତା- ପ୍ରତ୍ୟେକର ବ୍ୟାବହାରିକ ଉପଯୋଗିତା ରହିଛି। ମନରେ ଶାନ୍ତି ଥିଲେ ପରିବେଶରେ ଶାନ୍ତି ଥିବା ପରି ଲାଗେ, ମନରେ ଅଶାନ୍ତି ନ ଥିଲେ ଚାରିଆଡ଼ ବିଷାକ୍ତ ଲାଗେ। ଏହି ଶାନ୍ତି ବସ୍ତୁର ପରିମାଣ, କ୍ଷମତାର ପ୍ରାବଲ୍ୟ, ଯଶର ବହୁଳତା ଉପରେ ନିର୍ଭର କରେନାହିଁ। ଏହା ନିର୍ଭର କରେ ମନର ସ୍ଥିତି ଉପରେ। ମନର ନିରୁଦ୍‌ବିଗ୍ନ ଅବସ୍ଥା ହିଁ ଶାନ୍ତି। ମନର ତିନିଗୋଟି ସ୍ତର ରହିଛି। ଗୋଟିଏ ହେଉଛି ଇନ୍ଦ୍ରିୟଗତ ମନ ଯାହା ଇନ୍ଦ୍ରିୟମାନଙ୍କର ଅନୁଭବ ସହିତ ବାକ୍ସବନ୍ଦୀ ହୋଇ ରହିଥାଏ। ଅହରହ ସୁଖଦୁଃଖରେ ଭ୍ରମିତ ଓ ବିଚଳିତ ସେଇ ମନ। ସେ ମନରେ ଶାନ୍ତି ନ ଥାଏ। କାରଣ ଦୁଃଖରେ ସେ ମନ ଭାଙ୍ଗିପଡ଼େ ଓ ସୁଖରେ ଆତ୍ମହରା ହୋଇପଡ଼େ, ତେଣୁ ଶାନ୍ତ ରହିପାରେ ନାହିଁ। ଆଉ ଗୋଟିଏ ହେଉଛି ବୁଦ୍ଧିଗତ ମନର ସ୍ତର, ଯହିଁରେ କିଛି ସ୍ଥିରତା, ବିଚାର ତଥା ବିବେକବୋଧ ଥାଏ। ଆମେ ଏଇ ସ୍ତରକୁ ନୈତିକତାର ସ୍ତର ବୋଲି କହିପାରିବା। ଏହି ମନରେ କିଛି ଅଂଶରେ ଶାନ୍ତିର ପ୍ରଭାବ ଥାଏ।
ଆଉ ଗୋଟିଏ ମନ ହେଉଛି ଆଦର୍ଶପ୍ରାଣ ଉଚ୍ଚମନ, ଯାହାର ପ୍ରଭାବରେ ମନରେ ଦିବ୍ୟଭାବନା ଆସିଥାଏ। ସେବା, ତ୍ୟାଗ, ଦୟା, କ୍ଷମା, ମମତ୍ୱବୋଧ, ଆନ୍ତରିକତା ପ୍ରଭୃତି ଦିବ୍ୟଭାବର ପ୍ରଭାବ ଏଇ ମନରେ ଥାଏ। ଏଇସବୁ ଦିବ୍ୟଜ୍ଞାନ ମନୁଷ୍ୟ ଦେହରେ ଦେଖି ଭଗବାନ ସନ୍ତୋଷଲାଭ କରନ୍ତି ବୋଲି ଶାସ୍ତ୍ରରେ କୁହାଯାଇଛି। ଉଚ୍ଚମନରେ ଅଧିକ ଶାନ୍ତି ଥାଏ, କାରଣ ଏଥିରେ ମାରିନେବାର, ଝାମ୍ପିନେବାର ମନୋବୃତ୍ତି ନ ଥାଏ, ବରଂ ଥାଏ ଦେଇଦେବାର ମନୋଭାବ। ନିଃସ୍ବାର୍ଥ ଭାବରେ ଅନ୍ୟ ପାଇଁ, ଜାତି ପାଇଁ, ଦେଶ ପାଇଁ ତଥା ସମଗ୍ର ବିଶ୍ୱ ପାଇଁ କିଛି ଦେଇଦେବାର ମାନସିକତା ଏଥିରେ ଥାଏ। ‘ତେନ ତ୍ୟକ୍ତେନ ଭୁଞ୍ଜିଥାଃ’-ଏହାର ମହତ୍ତ୍ୱ ଏହି ମନରେ ଉପଲବ୍ଧି କରିହୁଏ। ଏ ମନ ହେଉଛି ମହୁମାଛିର ମନ, ଯିଏ ମହୁ ସଂଗ୍ରହ କରେ, ମଇଳା ନୁହେଁ, ଯିଏ ସୌନ୍ଦର୍ଯ୍ୟକୁ ଅନୁଭବ କରେ, କଦର୍ଯ୍ୟକୁ ନୁହେଁ। ଇନ୍ଦ୍ରିୟଗତ ମନ ହେଉଛି ମାଛିର ମନ, ଯିଏ ମଇଳାକୁ ସୁଖ ପାଏ, ପର ନିନ୍ଦା, ପର ଚର୍ଚ୍ଚା, ପର ଚୁଗୁଲିରେ ସମୟ କାଟେ।
ଶାନ୍ତି କେବଳ ମଣିଷ ମନ ପାଇଁ ଉଦ୍ଦିଷ୍ଟ ନୁହେଁ, ପରିବେଶ ପାଇଁ ମଧ୍ୟ ଅଭିପ୍ରେତ। ଦିଗଦିଗନ୍ତରେ ଶାନ୍ତି, ଜଳରେ ଶାନ୍ତି, ଆକାଶରେ ଶାନ୍ତି, ବୃକ୍ଷଲତାରେ ଶାନ୍ତି ତଥା ସର୍ବତ୍ର ଶାନ୍ତିର ପ୍ରତିଷ୍ଠିତ ହେଉ-ଏହି ଇଚ୍ଛା ଆର୍ଯ୍ୟ ଋଷିମାନେ କରିଛନ୍ତି। ଏହା ହିଁ ଦିବ୍ୟ ମନର କ୍ରିୟା ଓ ପ୍ରକ୍ରିୟା।
ସନ୍ତୋଷ ଏକ ଅନୁଭବ, ଯାହା ଧନ, ଜନ, ଯଶ, ଗୌରବ, ପ୍ରତିପତ୍ତି, କ୍ଷମତାର ପରିମାଣ ଉପରେ ନିର୍ଭର କରେ ନାହିଁ। ଯାହା ଯାହା ମିଳିଛି ଓ ମିଳୁଛି ତହିଁରେ ଖୁସିରହିବା ହେଉଛି ଆତ୍ମସନ୍ତୋଷର ମୂଳକଥା। ଯାହା ମିଳିନାହିଁ ଓ ମିଳୁ ନାହିଁ- ସେଥିପାଇଁ ହାଁ ହାଁ ହେବା ଅସନ୍ତୋଷର ମୂଳକଥା। ଅସନ୍ତୋଷ ଥରେ ମନକୁ ଆସିଗଲେ ତାହା ଆଉ ସହଜରେ ଯାଏ ନାହିଁ। ଅସନ୍ତୋଷ ସର୍ବଦା ନାହିଁ ନାହିଁର ତାଲିକା କରେ, ସେ ତାଲିକା ଶେଷ ହୁଏନାହିଁ, ତେଣୁ ଅସନ୍ତୋଷ ସରେ ନାହିଁ।
ସହିଷ୍ଣୁତା ଏକ ବାସ୍ତବତା, ଜୀବନକୁ ବୁଝିବାର ଏକ ମାର୍ଜିତ ବ୍ୟବସ୍ଥା। ଆଜିକାଲି ଅସହିଷ୍ଣୁତାର ଅଖଣ୍ଡ ରାଜତ୍ୱ। କଥାକଥାକେ କଳି, କ୍ରୋଧ, ଆକ୍ରମଣ। କଥାକୁ ଅକଥା କରେ ଅସହିଷ୍ଣୁତା, କ୍ରୋଧରେ ଏହା ପ୍ରକାଶିତ ହୁଏ। କ୍ରୋଧର କରାମତି ପ୍ରବଳ ଯାହା ଅକଥା କୁହାଏ, ଅକାର୍ଯ୍ୟ କରାଏ। ପରିବେଶକୁ ଅସଜଡା କରେ। କ୍ରୋଧ ଅନ୍ୟର ଯେତେ କ୍ଷତି ଘଟାଏ, ନିଜର ତାହାଠାରୁ ଅଧିକ କ୍ଷତି ଘଟାଏ। କ୍ରୋଧ ଦେହକୁ ଥରାଏ, ପ୍ରାଣକୁ ଆଲୋଡ଼ିତ କରେ, ମନକୁ ଭ୍ରମିତ କରେ। ମନେପଡ଼େ ପୁରାଣର ସେଇ କାହାଣୀ- ଯହିଁରେ କ୍ରୋଧ ଯୋଗୁ ଦୁର୍ବାସା ଋଷି କିପରି ବିଚଳିତ ହୋଇ ପଡ଼ିଥିଲେ। ରାଜା ଅମ୍ବରୀଶଙ୍କ ଦରବାରକୁ ଋଷି ଆସି ଦ୍ୱାଦଶୀ ପାରଣା କରିବେ ବୋଲି କହିଲେ। ଋଷି ତାଙ୍କ ଶିଷ୍ୟମାନଙ୍କ ସହ ସ୍ନାନ କରିବାକୁ ଗଲେ ଏବଂ ସ୍ନାନ ସାରି ଆସିଲେ ଖାଦ୍ୟ ଗ୍ରହଣ କରିବେ। ରାଜାଙ୍କୁ ପରୀକ୍ଷା କରିବା ପାଇଁ ଋଷି ଜାଣିଶୁଣି ବିଳମ୍ବ କଲେ। ଋଷିଙ୍କର ବିଳମ୍ବ ଦେଖି ରାଜା ପାରଣା ମୁହୂର୍ତ୍ତ ଗଡ଼ିଯାଉଥିବାରୁ ଧର୍ମସଙ୍କଟରେ ପଡ଼ିଗଲେ। ତ୍ରୟୋଦଶୀ ଲାଗିଯିବାର ଠିକ୍‌ ପୂର୍ବରୁ ଜଳ ଟିକିଏ ରାଜା ଗ୍ରହଣ କରି ଋଷିଙ୍କ ଆସିବା ବାଟକୁ ଚାହିଁ ରହିଲେ। ଋଷି ବିଳମ୍ବରେ ଆସି ରାଜା ତାଙ୍କୁ ଅପେକ୍ଷା ନ କରି କାହିଁକି ଜଳରେ ପାରଣା କଲେ ବୋଲି କ୍ରୋଧରେ ଜର୍ଜରିତ ହୋଇ ରାଜାଙ୍କୁ ଅଭିଶାପ ଦିଅନ୍ତେ, ରାଜା ବିଷ୍ଣୁଙ୍କୁ ପ୍ରାର୍ଥନା କଲେ। ପ୍ରାର୍ଥନାର ଉତ୍ତର ସ୍ବରୂପ ବିଷ୍ଣୁଙ୍କର ସୁଦର୍ଶନ ଚକ୍ର ଦୁର୍ବାସାଙ୍କ ପଛେ ପଛେ ଧାଇଁବାକୁ ଲାଗିଲା। ଅସହାୟ ହୋଇ ଦୁର୍ବାସା ଶେଷରେ ଅମ୍ବରୀଶଙ୍କୁ କ୍ଷମାଭିକ୍ଷା କଲେ। ନିଜ କ୍ରୋଧର ପରିଣାମ ବୁଝିପାରିଲେ। ଶ୍ରୀମା କହିଛନ୍ତି-‘ଯେତେବେଳେ କ୍ରୋଧ ଅନୁଭବ କରୁଛ, ସେତେବେଳେ ପଦଟିଏ ବି ଉଚ୍ଚାରଣ କର ନାହିଁ।’
ବାସ୍ତବରେ ଅଶିକ୍ଷା ହିଁ ଅଶାନ୍ତି, ଅସନ୍ତୋଷ ଓ ଅସହିଷ୍ଣୁତାର ମୂଳ କାରଣ। ଅହଂକାର ହେଉଛି ମୂଳ ମଞ୍ଜି। ସେହି ମଞ୍ଜିକୁ ଗଛ କରିବାରେ ଗର୍ବ, ଦମ୍ଭ, ଅଭିମାନ ସାହାଯ୍ୟ କରନ୍ତି। ଜନବଳ, ବାହୁବଳ, ଧନବଳ, ମଦବଳ ଏହି ଗଛକୁ ବଢ଼ାନ୍ତି। ସେଇ ଗଛରେ ଯେଉଁ ଫୁଲ ଫୁଟେ, ତାହାର ଦୁର୍ଗନ୍ଧରେ ବାତାବରଣ ନଷ୍ଟ ହୋଇଯାଏ। ଶାନ୍ତି, ସନ୍ତୋଷ ଓ ସହିଷ୍ଣୁତାର ଫୁଲ ଫୁଟିଲେ ପରିବେଶ ସୁଗନ୍ଧଯୁକ୍ତ ଓ ସୁଶୋଭିତ ହୁଏ, ଏଥିରେ ସନ୍ଦେହ ନାହିଁ।
ଭୁବନେଶ୍ୱର, ମୋ- ୯୪୩୭୭୫୬୨୪୦


Enter your email to get our daily news in your inbox.

All Right Reserved By Dharitri.Com

୭୫ ବର୍ଷରେ ଭାରତୀୟ ସମ୍ବିଧାନ

ଚଳିତ ବର୍ଷ ନଭେମ୍ବର ୨୬ରେ ଭାରତର ସମ୍ବିଧାନ ଗୃହୀତ ଓ ପ୍ରଣୟନ ହେବାର ୭୫ତମ ବାର୍ଷିକୀ ପାଳନ କରାଯାଉଛି। ଏହା ଏକ ମହତ୍ତ୍ୱପୂର୍ଣ୍ଣ ଉତ୍ସବ ଭାବେ...

ଝିଅ ପାଇଁ ଯୋଗ୍ୟପାତ୍ର

ଦୁଇବର୍ଷ ତଳେ ବଜାରରୁ ଫେରିଲା ବେଳେ ହଠାତ୍‌ ଦେଖା ହୋଇଗଲେ ପୁରୁଣା ଭଡ଼ାଘର ସାମ୍ନା ମହାନ୍ତି ଘର ଆଣ୍ଟି। ଏମିତି କିଛି ସମୟ ସୁଖଦୁଃଖ ପଚାରି...

ନିଜ ମଧ୍ୟରେ ବାଛବିଚାର

ଭାରତର ଉତ୍ତର ପୂର୍ବାଞ୍ଚଳରୁ ଯାଇ ତେଲଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ବାସ କରୁଥିବା ବ୍ୟକ୍ତିମାନେ ବର୍ଣ୍ଣବିଦ୍ୱେଷର ଘୋର ସମ୍ମୁଖୀନ ହେଉଥିବା ସଂକ୍ରାନ୍ତ ଏକ ରିପୋର୍ଟ ନିକଟରେ ଅନ୍‌ଲାଇନ...

ଏଇ ଭାରତରେ

ଅକୁଲ ବିଶ୍ୱାସ ଦିବ୍ୟାଙ୍ଗ ହେଲେ ବି ପାରଙ୍ଗମ। ସେ ପରିବେଶ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟକରି ଦକ୍ଷତାର ପରିଚୟ ଦେଇଛନ୍ତି। ମୁଖ୍ୟତଃ ସେ ହେନ୍ତାଳ ବଣ ସୁରକ୍ଷା...

ଶ୍ରେଷ୍ଠ ବନ୍ଧୁ

ସମାଜରେ ଆମ ସମସ୍ତଙ୍କର ନିହାତି ଅନ୍ତରଙ୍ଗ ବନ୍ଧୁଟିଏ ଥିବ। ଯେଉଁ ବନ୍ଧୁ ପାଖରେ ମନର ଅକୁହା କଥା ଯେତେ ପ୍ରକାଶ କରିଦେଲେ ନିଜକୁ ହାଲକା ଲାଗେ।...

ନିଃସଙ୍ଗତାର ରୂପ

ବର୍ତ୍ତମାନ ସମାଜ ଏକ ସଙ୍କଟମୟ ପରିସ୍ଥିତି ଦେଇ ଗତିକରୁଛି। ଜନସଂଖ୍ୟା ବଢ଼ିବା ଦରକାର ବା କମିବା ଦରକାର -ଏହା ଏକ ବିରାଟ ବିତର୍କ ଠିଆ କରାଇଛି।...

ବୁଝିବାରେ ଅସଫଳ

ଭାରତର ଅନ୍ୟତମ ପ୍ରମୁଖ ରାଜ୍ୟ ମହାରାଷ୍ଟ୍ର ଓ ପୂର୍ବ ଭାଗରେ ଥିବା ଝାଡ଼ଖଣ୍ଡ ବିଧାନସଭା ଲାଗି ଅନୁଷ୍ଠିତ ନିର୍ବାଚନ ଫଳ ୧-୧ରେ ଶେଷ ହୋଇଛି। ଅର୍ଥାତ୍‌...

ସୁଖର ଗାଣିତିକ ପରିପ୍ରକାଶ

ଅନେକ ଖୁସିର ସମାହାର ହିଁ ସୁଖ। ତେବେ ଖୁସି କେବେ ବି ବାହାରୁ ମିଳେ ନାହିଁ। ଉପଲବ୍ଧ ନ ଥାଏ କେଉଁଠି ବାହାରେ। ଖୁସି କେଉଁଠି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri