ଭୁବନ, ୨୬ା୫ ରାତି ନ ପାହୁଣୁ ଶାଳ ଘରୁ ତାଲା ଖୋଲାଯାଉଥିଲା। ବରାଦ ଅନୁସାରେ ବାସନ ଗଢ଼ାଯାଉଥିଲା। ସେଥିରେ ପୁଣି ଭଳି କି ଭଳି କାରିଗରି। କେଉଁଥିରେ ଫୁଲ ହେବ ତ ଆଉ କେଉଁଥିରେ ମନ୍ଦିରର ମୁଖଶାଳା। ବିବାହ ଋତୁରେ ତ ବେଳ ମିଳୁ ନ ଥିଲା କାହାକୁ। ବାପଅଜା ଅମଳରୁ ଏମିତି ଏମିତିରେ ବିତିଯାଇଛି ବର୍ଷ ପରେ ବର୍ଷ। ହେଲେ ଗତ ଦୁଇମାସ ଧରି ଶାଳ ଘରୁ ଆଉ ଖୋଲୁନି ତାଲା। କଂସା ବାସନ ଗଢ଼ାର ଶବ୍ଦ ବି ଶୁଣାଯାଉନି ଦୂରକୁ। କଞ୍ଚାମାଲ ନାହିଁ କି ପୂର୍ବ ସାମଗ୍ରୀର ବିକ୍ରିବଟା ନାହିଁ। ଏପରି ଅବସ୍ଥାରେ ପରିବାରର ପେଟ ପୂରାଇବାକୁ ସଂଘର୍ଷ କରିବାକୁ ପଡ଼ୁଛି କଂସା ବାସନ ପାଇଁ ପ୍ରସିଦ୍ଧ ଢେଙ୍କାନାଳ ଜିଲା ଭୁବନ ଅଞ୍ଚଳର କାରୀଗରମାନଙ୍କୁ।
ଭୁବନ ଗ୍ରାମର ୩ ଶହରୁ ଊର୍ଦ୍ଧ୍ୱ କଂସାରି ପରିବାର ବାସନ ତିଆରି କରିନ୍ତି। ପୂର୍ବରୁ କଂସା ପିତଳର ଭଲ ଚାହିଦା ଥିବାରୁ ଅଧିକରୁ ଅଧିକ କାମ ମିଳୁଥିଲା। ଏଥିପାଇଁ ଗଁାରେ ୫୦ଟି ଶାଳଘରେ ସର୍ବଦା ଗହଳିଚହଳି ଥିଲା। ହେଲେ ଷ୍ଟିଲ୍ ଓ ପ୍ଲାଷ୍ଟିକ୍ର ଆଦର କଂସାବାସନ ଶିଳ୍ପକୁ ଡୁବିବାର ଦ୍ୱାରଦେଶରେ ପହଞ୍ଚାଇ ଦେଇଛି। ଫଳରେ ପୂର୍ବପରି କାରିଗରଙ୍କୁ ଆଉ କାମ ମିଳୁ ନ ଥିବା ବେଳେ ଶାଳଘର ସଂଖ୍ୟା ମଧ୍ୟ ଧୀରେ ଧୀରେ ହ୍ରାସ ପାଇ ଏବେ ୧୦ରେ ପହଞ୍ଚିଯାଇଛି। ସେହିପରି ବଜାରରେ ୧୨ଟି କଂସା ବାସନ ଦୋକାନ ବନ୍ଦ ହୋଇଯାଇଥିବାରୁ କଞ୍ଚାମାଲର ଘୋର ଅଭାବ ରହିଛି। ଏହାଛଡ଼ା ଦରଦାମ ବୃଦ୍ଧି, ଚାହିଦା କମିବା, କଞ୍ଚାମାଲ ଆସି ନ ପାରିବା କାରିଗରଙ୍କ ସମସ୍ୟାକୁ ଅଧିକ ବଢାଇ ଦେଇଛି। ସରକାରଙ୍କ ଜିଏସ୍ଟି ଲାଗୁ ବ୍ୟବସାୟକୁ ମାନ୍ଦା କରିଦେଇଥିଲେ ବି ଯାହା ଯେମିତି ସେମାନେ ଚଳିଯାଉଥିଲେ। ହେଲେ କରୋନା କଟକଣା ଏହି ବେପାରକୁ ଧରାଶାୟୀ କରିଦେଇଛି। କାରିଗରୀମାନେ ହାତ ବାନ୍ଧି ବସିଥିବାରୁ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଛି। କାରିଗର ନଟବର ସାହୁ କହିଛନ୍ତି, କଂସା କାରିଗରି ପାଇଁ ଭୁବନକୁ ସ୍ବତନ୍ତ୍ର ପରିଚୟ ମିଳିଥିଲେ ମଧ୍ୟ ସରକାରଙ୍କ ଅଣଦେଖା ଯୋଗୁ ଏହି କୌଳିକ ବୃତ୍ତି ବୁଡ଼ିବାକୁ ବସିଲାଣି। ଲକ୍ଡାଉନ୍ ଯୋଗୁ ୨ ମାସ ହେଲା ଶାଳଘରେ ତାଲା ପଡିଛି। ଏପରି ଅବସ୍ଥାରେ ଦିନକୁ ଦୁଇମୁଠା ଦାନା ଯୋଗାଡ ମଧ୍ୟ ସମ୍ଭବ ହେଉନାହିଁ। କାରିଗର ମାୟାଧର ସାହୁ କହିଛନ୍ତି, ଶାଳ ଚାଲୁ ନ ଥିବାରୁ ରୋଜଗାର ବାଟ ବନ୍ଦ ହୋଇଯାଇଛି। ତେବେ ଯାହା ଯେମିତି ମରାମତି କାମ ହେଉଛି ସିନା ନୂଆ ବାସନ କିନ୍ତୁ ଆଉ ତିଆରି ହେଉନାହିଁ। ସରକାର ଏହି ଦୁର୍ଦ୍ଦିନରେ ସହାୟକ ହେଲେ କାରିଗରମାନେ ବଞ୍ଚିଯାଇପାରନ୍ତେ ବୋଲି ମାୟାଧର ପ୍ରକାଶ କରିଛନ୍ତି।