ଖଣ୍ଡପଡ଼ା,୯ା୧୧(ସ୍ବ.ପ୍ର.): ପବିତ୍ର କାର୍ତ୍ତିକ ବ୍ରତ ତଥା ମାସର ମାହାମତ୍ୟ ଅବର୍ଣ୍ଣନୀୟ । ହିନ୍ଦୁ ଶାସ୍ତ୍ରରେ ଏହାର ଯଥେଷ୍ଟ ପ୍ରମାଣ ରହିଛି । ବର୍ଷକର ପୁଣ୍ୟ ଏହି ଗୋଟିଏ ମାସରେ ମିଳେ ବୋଲି ବିଶ୍ୱାସ ରହିଛି । ଶୁଦ୍ଧପୂତ ଜୀବନଚର୍ଯ୍ୟା ପାଇଁ କାର୍ତ୍ତିକ ବ୍ରତରୁ ପ୍ରେରଣା ମିଳିଥାଏ । ଏହି ମାସକୁ ଦେବତା, ଋଷି, ମୁନି ଓ ପିତୃଗଣ ସମସ୍ତେ ଆଦର କରିଥାନ୍ତି। କାର୍ତ୍ତିକ ମାସର ଅନ୍ୟ ଏକ ଆକର୍ଷଣ ପଞ୍ଚ ‘କ’ । ଶୁକ୍ଳ ଏକାଦଶୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ପାଳିତ ହୁଏ ଏହି ବିଶେଷ ତିଥି । ଶାସ୍ତ୍ରରେ ଏହାକୁ ଭୀଷ୍ମ ପଞ୍ଚକ ବୋଲି କୁହାଯାଏ । ପଞ୍ଚ ‘କ’ର ଅନ୍ତର୍ନିହିତ ଉଦ୍ଦେଶ୍ୟ ହେଉଛି କାମ, କ୍ରୋଧ, କପଟ, କଳହ ଓ କଳଙ୍କ ଆଦିରୁ ମୁକ୍ତି ପାଇବା। ପ୍ରଥମ ‘କ’ର ମହତ୍ତ୍ୱ ହେଉଛି କାମ ବା ଆଶା । ଏହା ମଣିଷ ମଧ୍ୟରେ ସୁପ୍ତ ଭାବରେ ଥାଏ । କୌଣସି ମୁହୂର୍ତ୍ତରେ ହଠାତ୍ ଉଙ୍କି ମାରେ । ଆଶା ଯଦି ଈଶ୍ୱରାଭିମୁଖୀ ହୁଏ ତେବେ ଅଶୁଭ ଶୁଭରେ ପରିଣତ ହୁଏ। ଏଥିଲାଗି ସଦ୍ଗ୍ରନ୍ଥ ପଠନ ସହ ଧାର୍ମିକ କାର୍ଯ୍ୟରେ ସମୟ ଅତିବାହିତ କରିବା ଉଚିତ । ଦ୍ୱିତୀୟ ‘କ’ ହେଉଛି କ୍ରୋଧ । କାମନା ପୂରଣ ନ ହେଲେ କ୍ରୋଧ ଉତ୍ପନ ହୁଏ । ସାଂପ୍ରତିକ ସମାଜରେ ଘଟୁଥିବା ଯାବତୀୟ ନାରକୀୟ କାଣ୍ଡ ପାଇଁ କ୍ରୋଧ ହିଁ ଦାୟୀ । ଭଜନ, କୀର୍ତ୍ତନ ବା ହରିଙ୍କ କଥାରେ ମଜ୍ଜିଗଲେ କ୍ରୋଧରୁ ରକ୍ଷା ମିଳେ । ସେଥିପାଇଁ କାର୍ତ୍ତିକ ମାସରେ ପ୍ରାତଃ ଭଜନ, କୀର୍ତ୍ତନ ଓ ପ୍ରବଚନ ବ୍ୟବସ୍ଥା ରହିଛି। ତୃତୀୟ ‘କ’ ହେଉଛି କପଟ। ଅନ୍ୟଠାରୁ କାମ ହାସଲ କରିବା ପାଇଁ କୁବୁଦ୍ଧି ପ୍ରୟୋଗର ନାମ କପଟ। ଏହା ଦ୍ୱାରା ମନ କଳୁଷିତ ହେବା ସହିତ ବାତାବରଣ ଅଶାନ୍ତ ହୋଇଥାଏ। ଏହାଠାରୁ ଦୂରେଇ ରହିବାର ମୂଳ ଔଷଧ ହେଲା ନାମ। ସେଥିପାଇଁ ଏହି ମାସରେ ନାମ ସଂକୀର୍ତ୍ତନ କରିବା ପ୍ରଚଳନ ଅଛି। ୪ର୍ଥ ‘କ’ ହେଉଛି କଳହ। ମଣିଷ ନିଜକୁ ଠିକ୍ ଓ ଅନ୍ୟକୁ ଭୁଲ୍ ବୁଝିବା ଦ୍ୱାରା ଆରମ୍ଭ ହୁଏ କଳହ। ଏହା ସମ୍ପର୍କକୁ ଭାଙ୍ଗି ଦିଏ। ଭଗବାନଙ୍କ ନାମ ସ୍ମରଣ ଦ୍ୱାରା ସମସ୍ୟାର ସମାଧାନ ହୋଇପାରେ। ୫ମ ‘କ’ କଳଙ୍କ। କାମ, କ୍ରୋଧ, କପଟ, କଳହ ପରେ ଆସେ କଳଙ୍କ। ଏହି ୪ଟି ପ୍ରବୃତ୍ତି କଳଙ୍କର ଭିତ୍ତି ସ୍ଥାପନ କରନ୍ତି। ଏହା ଦ୍ୱାରା ଚରିତ୍ରବାନ୍ ବ୍ୟକ୍ତିଟିଏ ନିନ୍ଦାର ପାତ୍ର ହୁଏ। ତେଣୁ ସମୂହ ପୂଜାର୍ଚ୍ଚନା ସହ ନାମ କୀର୍ତ୍ତନ ଆଦି ମଧ୍ୟରେ ମଣିଷ ପରସ୍ପର ନିକଟତର ହୁଏ।