ଅନୁଗୋଳ ଅଫିସ, ୧୧।୫: ସକାଳେ ରିପୋର୍ଟ ଆସିଥିବା ୧୩ ପଜିଟିଭଙ୍କ ମଧ୍ୟରୁ ଜଣେ ଅନୁଗୋଳ ସହରର ଯୁବକ ବୋଲି ଜଣାପଡ଼ିବା ପରେ ପ୍ରଶାସନ, ପୋଲିସ ଓ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ତାଙ୍କ ଘର ସମ୍ମୁଖରେ ପହଞ୍ଚତ୍ଥିଲେ। ଯୁବକ ଜଣଙ୍କ କିପରି ସଂକ୍ରମିତ ହେଲେ ସେ ନେଇ ଖୋଳତାଡ଼ ଆରମ୍ଭ ହୋଇଥିଲା। ପ୍ରଶାସନ କହିଛି, ଯୁବକ ଜଣଙ୍କ ଭୁବନେଶ୍ୱରରେ ରହୁଥିଲେ। ସେ ଜୀବନବୀମା ଏଜେଣ୍ଟ ଭାବେ କାର୍ଯ୍ୟ କରନ୍ତି। ସ୍ତ୍ରୀଙ୍କ ମେଡିସିନ୍ ନେବାକୁ ସେ ଅନୁଗୋଳସ୍ଥିତ ଘରକୁ ଗତ ୫ ତାରିଖରେ ଆସିଥିଲେ। ସାହିଲୋକ ହୋହଲ୍ଲା କରିବାରୁ ପ୍ରଶାସନ ଓ ପୋଲିସ ପକ୍ଷରୁ ତାଙ୍କୁ ହୋମ୍ କ୍ବାରାଣ୍ଟାଇନ୍ରେ ରହିବାକୁ କୁହାଯାଉଥିଲା। ୬ ତାରିଖରେ ତାଙ୍କ ସ୍ବାବ୍ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ପଜିଟିଭ୍ ରିପୋର୍ଟ ଆସିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି। ସେ କାହା ସହ ମିଶିଛନ୍ତି, କେଉଁ କେଉଁ ଅଞ୍ଚଳରେ ଯାତାୟାତ କରିଛନ୍ତି ତାହାର ଅନୁଧ୍ୟାନ କରାଯାଉଛି।