ନୂଆଦିଲ୍ଲୀ,୪।୬: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଏସ୍ବିଆଇ) ସଞ୍ଚୟ ଖାତା ଉପରେ ସୁଧହାର ହାରକୁ ୦.୦୫% ହ୍ରାସ କରିଛି। ଫଳରେ ଏହା ୨.୭୦%କୁ ଖସିଛି। ସେହିଭଳି ଘରୋଇ କ୍ଷେତ୍ରର ଆଇସିଆଇସିଆଇ ବ୍ୟାଙ୍କ ମଧ୍ୟ ସଞ୍ଚୟ ଖାତାର ସୁଧହାରକୁ ୦.୨୫% ଖସାଇଛି। ସଂଶୋଧିତ ସୁଧହାର ୩୧ ମେଠାରୁ ଲାଗୁହେବ ବୋଲି ଏସ୍ବିଆଇ ପକ୍ଷରୁ ସୂଚନା ରହିଛି। ସଞ୍ଚୟ ଖାତା ଲାଗି ବ୍ୟାଙ୍କ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏବଂ ୧ ଲକ୍ଷ ଟଙ୍କାରୁ ତଦୂର୍ଦ୍ଧ୍ୱ ଭଳି ୨ଟି ସ୍ଲାବ୍ ରଖିଛି। ଚଳିତ ଆର୍ଥତ୍କ ବର୍ଷରେ ଦ୍ୱିତୀୟ ଥର ସୁଧହାର ହ୍ରାସ କରିଛି। ଏପ୍ରିଲ ପହିଲାରେ ସଞ୍ଚୟ ଖାତାର ସବୁ ସ୍ଲାବ୍ ଉପରେ ସୁଧହାର ୦.୨୫% କମାଇବା ଫଳରେ ଏହା ୨.୭୫%କୁ ହ୍ରାସ ଘଟିଥିଲା। ସେହିଭଳି ଆଇସିଆଇସିଆଇ ବ୍ୟାଙ୍କ ପୁଞ୍ଜିବଜାରକୁ ଦେଇଥିବା ସୂଚନା ମୁତାବକ ୫୦ ଲକ୍ଷ ଟଙ୍କାରୁ କମ୍ ସବୁ ଜମା ଉପରେ ସୁଧହାର ୦.୨୫% ହ୍ରାସ ଘଟି ୩.୨୫%ରୁ ୩%କୁ ହ୍ରାସ ଘଟିଛି। ୫୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଜମା ଉପରେ ସୁଧହାର ୩.୭୫%ରୁ ହ୍ରାସ ଘଟି ୩.୫୦%କୁ ଖସିଛି। ନୂଆ ନିୟମ ଗୁରୁବାରଠାରୁ ଲାଗୁ ହେବ ବୋଲି ଏହି ବ୍ୟାଙ୍କ ପକ୍ଷରୁ ସୂଚନା ରହିଛି। ଋଣ ଚାହିଦା କମ୍ ହେବାରୁ ବ୍ୟାଙ୍କ ଜମା ଉପରେ ସୁଧହାର ହ୍ରାସ ହେଉଥିବା ଜଣାପଡ଼ିଛି।