(ଅମିତ କୁମାର ସାମଲ) ଅନୁଗୋଳ ଅଫିସ, ୨୭।୫: ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରୁ ୪ର୍ଥ ଥର ପାଇଁ ନିର୍ବାଚିତ ହୋଇଛନ୍ତି ବିଧାୟକ ରଜନୀକାନ୍ତ ସିଂ। ପୂର୍ବରୁ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ସେ ଥରଟିଏ ମନ୍ତ୍ରୀ ମଧ୍ୟ ରହି ସାରିଛନ୍ତି। ପୂର୍ବରୁ ୧୫ବର୍ଷ କ୍ଷମତାରେ ଥିଲେ ବି ଅନୁଗୋଳର ଅନେକ ସମସ୍ୟାର ସମାଧାନ ହୋଇପାରି ନାହିଁ। ଏବେ ବି ସହରବାସୀ ପରିମଳ ସମସ୍ୟାକୁ ନେଇ କଷ୍ଟ ଭୋଗୁଛନ୍ତି। ନାଲ୍କୋ ହଟିଂବାସିନ୍ଦା ବିଶୁଦ୍ଧ ପାନୀୟ ଜଳ ପାଇଁ ବଡ଼ ଦହଗଞ୍ଜ ହେଉଛନ୍ତି। ବଅଁରପାଳରୁ ଅନୁଗୋଳ ସହର ପର୍ଯ୍ୟନ୍ତ ବର୍ଷାଦିନେ କଦର୍ଯ୍ୟ ହୋଇପଡ଼ୁଥିବା ୫୫ନଂ. ଜାତୀୟ ରାଜପଥରେ ଘଣ୍ଟା ଘଣ୍ଟା ଧରି ଗାଡ଼ି ଅଟକି ରହୁଛି। ଦୁର୍ଘଟଣାରେ ବହୁ ଜୀବନ ଯାଉଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ପଦବୀ ଖାଲି ପଡ଼ୁଥିବା ବେଳେ ରୋଗୀ ସେବା ବାଧାପ୍ରାପ୍ତ ହେଉଛି। ଏସବୁ ସମସ୍ୟାର ସମାଧାନ କରିବା ପାଇଁ ଅଞ୍ଚଳବାସୀ ପୁଣିଥରେ ରଜନୀକାନ୍ତଙ୍କୁ ସେମାନଙ୍କ ନେତା ନିର୍ବାଚିତ କରିଛନ୍ତି। ତେଣୁ ଲୋକେ ଭୋଗୁଥିବା ଅସୁବିଧା ଦୂର ନିମନ୍ତେ ବିଧାୟକ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ସହରବାସିନ୍ଦାଙ୍କ ସମେତ ଆଖପାଖ ଅଞ୍ଚଳବାସୀ ଦାବି କରିଛନ୍ତି।