ନୂଆଦିଲ୍ଲୀ,୨୯-୭: ପ୍ରତ୍ୟର୍ପଣ ମାମଲାର ସାମ୍ନା କରୁଥିବା ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟା ଶନିବାର ସୁପ୍ରିମକୋର୍ଟରେ ସମ୍ପତ୍ତି ବାଜ୍ୟାପ୍ତ ରୋକିବାକୁ ନେଇ ମାମଲା ଦାଏର କରିଛନ୍ତି। ତାଙ୍କର ତଥା ତାଙ୍କ ପରିବାରର ସମ୍ପତ୍ତି ବାଜ୍ୟାପ୍ତ ଉପରେ ରହିତାଦେଶ ଜାରି କରିବାକୁ ମାଲ୍ୟା ତାଙ୍କ ଆବେଦନରେ ଦର୍ଶାଇଛନ୍ତି। ବନ୍ଦ ହୋଇଯାଇଥିବା କିଙ୍ଗଫିଶର ଏୟାରଲାଇନ୍ସ ସମେତ ତାଙ୍କର ଅନ୍ୟ ସମ୍ପତ୍ତିଗୁଡ଼ିକୁ ବାଜ୍ୟାପ୍ତ କରିନେବା ଲାଗି ହେଉଥିବା ଉଦ୍ୟମକୁ ରୋକାଯାଉ ବୋଲି ସେ କହିଛନ୍ତି। ସୂଚନାଥାଉ କି, ସ୍ବତନ୍ତ୍ର ଅଦାଲତ ମାଲ୍ୟାଙ୍କୁ ପଳାତକ ଆର୍ଥିକ ଅପରାଧି ଭାବେ ଘୋଷଣା କରି ତାଙ୍କର ସମସ୍ତ ସମ୍ପତ୍ତି ବାଜ୍ୟାପ୍ତ କରିବା ଲାଗି ନିର୍ଦ୍ଦେଶ ଦେବା ପରେ ସେ ଏହାକୁ ବିରୋଧ କରି ବମ୍ବେ ହାଇକୋର୍ଟରେ ମାମଲା ଦାଏର କରିଥିଲେ, ଯାହା ଖାରଜ ହୋଇଯାଇଛି। ହାଇକୋର୍ଟ ସମ୍ପତ୍ତି ବାଜ୍ୟାପ୍ତ କାର୍ଯ୍ୟାନୁଷ୍ଠାନ ଉପରେ ରହିତାଦେଶ ଦେବାକୁ ମନା କରିଥିଲେ। ମାଲ୍ୟା ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି।