ଭାଲଚନ୍ଦ୍ର ଷଡ଼ଙ୍ଗୀ
ଦେଶରେ ସାଧାରଣ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଚାଲିଥିବା ବେଳେ ସମ୍ବିଧାନକୁ ନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାଜପା ତୃତୀୟଥର କ୍ଷମତାସୀନ ହେଲେ ଦେଶରେ ଗଣତନ୍ତ୍ର ବିପନ୍ନ ହେବା ସହ ସମ୍ବିଧାନକୁ ବଦଳାଇଦେବ ବୋଲି ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଆଶଙ୍କା ପ୍ରକାଶ ପାଉଛି। ଭାଜପା ନେତାମାନେ କିନ୍ତୁ ଏନେଇ ସମ୍ପୂର୍ଣ୍ଣ ରକ୍ଷାତ୍ମକ ସ୍ଥିତିରେ ରହିଥିବା ଦେଖିବାକୁ ମିଳିଛି। ଅବସ୍ଥା ଏପରି ହୋଇଛି ଯେ ପ୍ରଧାନମନ୍ତ୍ରୀ ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହା, ଉଭୟଙ୍କୁ ଏନେଇ ବାରମ୍ବାର ସଫେଇ ଦେବାକୁ ପଡ଼ିଛି। ରାଜସ୍ଥାନର ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇ ମୋଦି ସମ୍ବିଧାନ ନିର୍ମାତା ଡ.ବି.ଆର୍ ଆମ୍ବେଡକର ଆସିଲେ ବି ସମ୍ବିଧାନକୁ ବଦଳାଇ ପାରିବେନି ବୋଲି ଦମ୍ଭୋକ୍ତି ପ୍ରକାଶ କରିବା ଦେଖାଯାଇଛି। ଆଶ୍ଚର୍ଯ୍ୟର କଥା , ଏଯାଏ ‘ଧର୍ମନିରପେକ୍ଷ’ ଶବ୍ଦଟିକୁ ନିଜର ରାଜନୈତିକ ଚର୍ଚ୍ଚାରେ ତାତ୍ସଲ୍ୟ ଓ ଗାଳିର ପର୍ଯ୍ୟାୟବାଚୀ କରିଆସିଥିବା ଶାହାଙ୍କୁ ନିକଟରେ ସମ୍ବିଧାନର ମୁଖବନ୍ଧରେ ରହିଥିବା ‘ସମାଜବାଦୀ’ ଓ ଧର୍ମନିରପେକ୍ଷ’ ଶବ୍ଦକୁ ବଦଳାଯିବନି ବୋଲି ସଫେଇ ଦେବାକୁ ପଡ଼ିଛି। କ୍ଷମତାକୁ ଆସିଲେ ସମ୍ବିଧାନରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ପଛୁଆବର୍ଗଙ୍କ ପାଇଁ ରହିଥିବା ସଂରକ୍ଷଣ ବ୍ୟବସ୍ଥାକୁ ଆଦୌ ହଟାଯିବନି କହି ସେ ଭୋଟରମାନଙ୍କୁ ଏନେଇ ଆଶ୍ୱସ୍ତ କରିବାକୁ ଚେଷ୍ଟା କରିଛନ୍ତି।
ପରନ୍ତୁ, ଭାରତର ସମ୍ବିଧାନକୁ ବଦଳାଇବା ନେଇ ପ୍ରଧାନମନ୍ତ୍ରୀ ଓ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ସମସ୍ତ ସଫେଇ ସତ୍ତ୍ୱେ ଦେଶରେ ଜନଗଣଙ୍କ ମଧ୍ୟରେ କିନ୍ତୁ ଏନେଇ ସୃଷ୍ଟି ହୋଇଥିବା ଆଶଙ୍କା ସମାପ୍ତ ହେଉନି। ବିରୋଧୀ ଦଳର ପ୍ରାୟ ସମସ୍ତ ନେତା ନିଜ ନିଜର ନିର୍ବାଚନୀ ଭାଷଣରେ ଦରବୃଦ୍ଧି, ବେକାରି ଆଦି ପ୍ରସଙ୍ଗ ସହିତ ସମ୍ବିଧାନ ପରିବର୍ତ୍ତନ କଥା ଉଠାଇ ତାକୁ ଏକ ନିର୍ବାଚନୀ ପ୍ରସଙ୍ଗ କରିବାକୁ ଚେଷ୍ଟା କରିଛନ୍ତି। ଅନ୍ୟପଟେ ଦେଶର ସମ୍ବିଧାନ ଓ ଗଣତନ୍ତ୍ରକୁ ରକ୍ଷା କରିବାକୁ ଚାହୁଁଥିବା ମଧ୍ୟବିତ୍ତ ଶ୍ରେଣୀର ଗଣତନ୍ତ୍ରବାଦୀ, ବାମପନ୍ଥୀ ଓ ଆମ୍ବେଡକରବାଦୀ ଶକ୍ତିମାନେ ମଧ୍ୟ ଏଥର ଭାଜପା କ୍ଷମତାକୁ ଆସିଲେ ସମ୍ବିଧାନକୁ ବଦଳାଇଦେବ ବୋଲି ଆଶଙ୍କାକରି ସୋସିଆଲ ମିଡିଆରେ ଲଗାତର ପ୍ରଚାର କରୁଛନ୍ତି। ଏଭଳି ପ୍ରଚାର ଫଳରେ ଦେଶର ଦଳିତ, ଆଦିବାସୀ ଓ ପଛୁଆବର୍ଗର ଭୋଟରଙ୍କ ମଧ୍ୟରେ ଭାଜପା ସମର୍ଥନ ହରାଇବାର ଆଶଙ୍କା ଥିବାରୁ ପରିସ୍ଥିତିକୁ ସମ୍ଭାଳିବା ପାଇଁ ଶେଷରେ ପ୍ରଧାନମନ୍ତ୍ରୀ ଓ ସ୍ବରାଷ୍ଟ୍ରମନ୍ତ୍ରୀଙ୍କୁ ସାମ୍ନାକୁ ଆସିବାକୁ ପଡ଼ିଛି।
ଗତବର୍ଷ ଅଗଷ୍ଟ ୧୫ରେ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ ବିବେକ ଦେବରାୟ ଏକ ଜାତୀୟ ଖବରକାଗଜରେ ନିଜର ଏକ ଲେଖାରେ ଭାରତର ସମ୍ବିଧାନକୁ ଔପନିବେଶିକ ପରମ୍ପରାର ପ୍ରତୀକ ବୋଲି କହିଥିଲେ। ସେ ସମ୍ବିଧାନରେ ରହିଥିବା ଧର୍ମନିରପେକ୍ଷତା, ସମାଜବାଦ, ସମାନତା, ନ୍ୟାୟ, ଭାଇଚାରା ଆଦି ଶବ୍ଦର କୌଣସି ଆବଶ୍ୟକତା ନାହିଁ ବୋଲି ଯୁକ୍ତି ଉପସ୍ଥାପନ କରିବା ସହ ତା’ର ଆମୂଳଚୂଳ ପରିବର୍ତ୍ତନ ପାଇଁ ଆହ୍ବାନ ଦେଇଥିଲେ। ଗତବର୍ଷ ନୂତନ ସଂସଦ ଭବନର ଉଦ୍ଘାଟନ ସମୟରେ ସରକାରଙ୍କ ପକ୍ଷରୁ ସାଂସଦମାନଙ୍କୁ ଉପହାର ଭାବେ ଯେଉଁ ସମ୍ବିଧାନର ପୁସ୍ତକଟି ଦିଆଯାଇଥିଲା ତା’ର ମୁଖବନ୍ଧରୁ ଧର୍ମନିରପେକ୍ଷ ଓ ସମାଜବାଦୀ ଶବ୍ଦକୁ ହଟେଇ ଦିଆଯାଇଥିଲା। ପରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀଙ୍କ ପ୍ରତିବାଦ ପରେ ସରକାରଙ୍କ ପକ୍ଷରୁ ଯଦିଓ ଏହା ଉପରେ ସ୍ପଷ୍ଟୀକରଣ ଦିଆଯାଇ ତାହା ୧୯୫୦ ମସିହାର ଲିଖିତ ସମ୍ବିଧାନର ପ୍ରତିଲିପି ବୋଲି କୁହାଯାଇଥିଲା, କିନ୍ତୁ ତାହା ସରକାରଙ୍କ ମାନସିକତାକୁ ପୁଣିଥରେ ଉଜାଗର କରିଥିଲା। ୨୦୧୫ର ବିହାର ବିଧାନସଭା ନିର୍ବାଚନର ଠିକ୍ ପୂର୍ବରୁ ଆର୍ଏସ୍ଏସ୍ର ମୁଖ୍ୟ ମୋହନ ଭାଗବତ ସମ୍ବିଧାନରେ ରହିଥିବା ସ୍ଥାନ ସଂରକ୍ଷଣ ବ୍ୟବସ୍ଥାର ସମୀକ୍ଷା କରାଯିବା ଦରକାର ବୋଲି ଯେଉଁ ବିବୃତି ଦେଇଥିଲେ; ତାହା ଦେଶର ଦଳିତ, ଆଦିବାସୀ ଓ ପଛୁଆବର୍ଗ ଲୋକଙ୍କ ମଧ୍ୟରେ ଭୟଙ୍କର ପ୍ରତିକ୍ରିୟା ସୃଷ୍ଟି କରିଥିଲା। ସେତେବେଳେ ତାଙ୍କର ଏହି ବିବାଦୀୟ ବିବୃତି ବିହାରର ଦଳିତ, ଆଦିବାସୀ ଓ ପଛୁଆ ଜାତିଙ୍କୁ ଏକାଠି କରିବା ସହିତ ନିର୍ବାଚନରେ ଭାଜପାର ପରାଜୟର ଏକ ପ୍ରମୁଖ କାରଣ ହୋଇଥିଲା।
ଏମାନଙ୍କ ବ୍ୟତୀତ କର୍ନାଟକର ଭାଜପା ସାଂସଦ ଅନନ୍ତ କୁମାର ହେଗେଡେ ଦେଶର ସମ୍ବିଧାନକୁ ବଦଳାଇ ଭାରତକୁ ହିନ୍ଦୁ ରାଷ୍ଟ୍ରରେ ପରିଣତ କରିବାକୁ ବାରମ୍ବାର ବିବୃତି ଦେବା ଦେଖାଯାଇଛି। ନିକଟରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ୍ ଏକ ଗଣମାଧ୍ୟମକୁ ନିଜର ସାକ୍ଷାତ୍କାରରେ ‘ସମ୍ବିଧାନ କୌଣସି ପବିତ୍ର ଗୀତା ନୁହେଁ ଯେ ତାକୁ ବଦଳାଯାଇ ପାରିବନି’ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ଯେମିତି ସମ୍ବିଧାନରୁ ଧାରା ୩୭୦ ଉଚ୍ଛେଦ ହେଲା, ଆବଶ୍ୟକ ପଡ଼ିଲେ ସମ୍ବିଧାନରେ ଯେକୌଣସି ପ୍ରକାର ସଂଶୋଧନ କରାଯାଇପାରିବ ବୋଲି ସେ କହିଛନ୍ତି। କେବଳ ସେ ନୁହନ୍ତି, ନିର୍ବାଚନ ପ୍ରକ୍ରିୟା ଚାଲିଥିବା ସମୟରେ ଗତ କିଛିଦିନ ମଧ୍ୟରେ ଅଯୋଧ୍ୟାରୁ ଭାଜପାର ସାଂସଦ ଥିବା ଲଲ୍ଲୁ ସିଂ, ରାଜସ୍ଥାନରୁ ସାଂସଦ ପ୍ରାର୍ଥୀ ଜ୍ୟୋତି ମିର୍ଦ୍ଧା ପ୍ରମୁଖ ଆଗାମୀ ନିର୍ବାଚନରେ ପାର୍ଟି ୩୭୦ ବା ଦୁଇ ତୃତୀୟାଂଶରୁ ଅଧିକ ଆସନ ଜିତିବା ନେଇ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସମ୍ବିଧାନ ସଂଶୋଧନ ପାଇଁ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ଜରୁରୀ ହୋଇଥିବାରୁ ସେତିକି ଆସନ ହାସଲ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କହିବା ଦେଖାଯାଇଛି। ମିରଟ୍ରୁ ଭାଜପାର ପ୍ରାର୍ଥୀ ରହିଥିବା ଅରୁଣ ଗୋଭିଲ ମଧ୍ୟ ନିକଟରେ ଏକ ସାକ୍ଷାତ୍କାରରେ ବର୍ତ୍ତମାନର ସମ୍ବିଧାନକୁ ଧାର୍ମିକ ଆସ୍ଥାର ବିରୋଧୀ ଅତଏବ ତାକୁ ବଦଳାଇବାକୁ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତାର ଆବଶ୍ୟକ ଥିବାରୁ ପ୍ରଧାନମନ୍ତ୍ରୀ ‘ଏଥର ୪୦୦ ପାର୍’ର ସ୍ଲୋଗାନ୍ ଦେଇଛନ୍ତି ବୋଲି କହଛନ୍ତିି।
ସମ୍ବିଧାନ ବଦଳାଇବା ସମ୍ପର୍କରେ ସ୍ପଷ୍ଟୀକରଣ ଦେବାକୁ ଯାଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ବକ୍ତବ୍ୟ, ‘ସମ୍ବିଧାନ ସଭାରେ ନବେଭାଗ ସଦସ୍ୟ ସନାତନୀ ଥିଲେ ଏବଂ ଖୋଦ୍ ଆମ୍ବେଦକର ଆସିଲେ ବି ସମ୍ବିଧାନକୁ ବଦଳାଇ ପାରିବେନି’ ତାଙ୍କ ଅହଂକାରକୁ ପ୍ରଦର୍ଶନ କରିବା ସହ ଡ. ଆମ୍ବେଦକରଙ୍କୁ ଅପମାନିତ କରୁଛି। ଏହା ସତ ଯେ ଏକ ହିନ୍ଦୁବହୁଳ ରାଷ୍ଟ୍ର ଭାବେ ଭାରତର ସମ୍ବିଧାନ ସଭାର ଅଧିକାଂଶ ସଦସ୍ୟ ହିନ୍ଦୁ ଥିଲେ। କିନ୍ତୁ ସେମାନେ ହିନ୍ଦୁତ୍ୱବାଦୀ ବିଚାରର କଦାପି ପକ୍ଷପାତୀ ନ ଥିଲେ। ସେମାନେ ଦେଶକୁ ଏକ ଧର୍ମଭିତ୍ତିକ ରାଷ୍ଟ୍ର ବଦଳରେ ଧର୍ମନିରପେକ୍ଷ ଦେଶ ଭାବେ ଦେଖିବାକୁ ଚାହିଁଥିଲେ। ବିଳମ୍ବରେ ହେଲେ ବି ସମ୍ବିଧାନ ସମ୍ପର୍କରେ ଦେଶର ପ୍ରଧାନମନ୍ତ୍ରୀ ଓ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ଯେଉଁ ବିବୃତି ଆସିଛି, ତାହା ସ୍ବାଗତଯୋଗ୍ୟ ହେଲେ ବି ଜନଗଣଙ୍କ ମନରେ ସୃଷ୍ଟି ହୋଇଥିବା ସନ୍ଦେହକୁ ଦୂର କରିପାରିନି। ସମ୍ବିଧାନ ବଦଳାଇବା ନେଇ ହେଉଥିବା ଯେକୌଣସି ଆଲୋଚନା ଗଣତନ୍ତ୍ରକୁ ଭଲ ପାଉଥିବା ଦେଶର ନାଗରିକଙ୍କୁ ଆଶଙ୍କିତ କରିବା ସହିତ ସେମାନଙ୍କ ମନରେ ନିଜର ଅଧିକାର ହରାଇବା ଭୟ ସୃଷ୍ଟି କରୁଛି।
ମୋ:୯୪୩୭୧୬୬୩୯୧