ଘାସିରାମ ପଣ୍ଡା
ସବୁ ସରପଞ୍ଚ ଏବେ ଜଣେ ଜଣେ ଜିଲାପାଳ। ବିପର୍ଯ୍ୟୟ ପରିଚାଳନା ଅଧିନିୟମ, ୨୦୦୫ର ଧାରା ୨୨ (ଛ) ଅନୁଯାୟୀ ବିପର୍ଯ୍ୟୟ ବା ଦୁର୍ବିପାକ ବେଳେ ଯେକୌଣସି ଅନୁଷ୍ଠାନ ଉପରେ ଦାୟିତ୍ୱ ନ୍ୟସ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ କ୍ଷମତା ରହିଛି। କରୋନା ପରିପ୍ରେକ୍ଷୀରେ ଏବେ ହଜାର ହଜାର ସଂଖ୍ୟାରେ ସ୍ଥାନାନ୍ତରିତ ଶ୍ରମିକ ଘରକୁ ଫେରୁଛନ୍ତି। ଏମାନେ ସମସ୍ତେ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରରେ ସଂଗରୋଧରେ ରହିବେ। ଏତେ ସଂଖ୍ୟାରେ ଶ୍ରମିକଙ୍କୁ ସମ୍ଭାଳିବା ପାଇଁ ସରକାର ସରପଞ୍ଚମାନଙ୍କର ସାହାଯ୍ୟ ଲୋଡି ସେମାନଙ୍କୁ କ୍ଷମତା ସମ୍ପନ୍ନ କରିଛନ୍ତି। ଗ୍ରାମପଞ୍ଚାୟତ ସ୍ତରରେ କୋଭିଡ୍-୧୯କୁ ପ୍ରତିରୋଧ ପାଇଁ ସଂଗରୋଧକୁ ସୁନିଶ୍ଚିତ କରିବା ହେତୁ ସରପଞ୍ଚମାନଙ୍କୁ ଜିଲାପାଳ ଭଳି କ୍ଷମତା ଦିଆଯାଇଛି। ଏଥିପାଇଁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏପ୍ରିଲ ୧୯ରେ ସ୍ବତନ୍ତ୍ର ନିର୍ଦ୍ଦେଶ ନାମା ଜାରି କରିଛନ୍ତି।
ସରପଞ୍ଚମାନେ ଜିଲାପାଳ ହେବା ନେଇ ଗାଁ ଗଣ୍ଡାରେ ଅନେକ ଆଲୋଚନା। ଶାସକ ଦଳ ସାବାସୀ ନେବାରେ ବ୍ୟସ୍ତ, ସରପଞ୍ଚମାନେ ଖାଇଯିବେ ବୋଲି ଲୋକେ ମନସ୍ତାପରେ, ଆଉ ଗଣମାଧ୍ୟମ ପାଇଁ ଏହା ଏକ ରୋଚକ ଖବର। ପ୍ରଶାସନିକ ଅଧିକାରୀ ବି କଥା କଥାକେ ସରପଞ୍ଚମାନଙ୍କୁ ତୁମେ ପରା ଏବେ ଜିଲାପାଳ ହୋ କହି ଅସଲ ସମସ୍ୟାକୁ ଆଡେଇ ଯାଉଛନ୍ତି। କଥା କହିବାରେ କ’ଣ ପଇସା ପଡୁଛି? ସରପଞ୍ଚମାନଙ୍କୁ କେବେ ପଞ୍ଚାୟତର ମୁଖ୍ୟମନ୍ତ୍ରୀ ବୋଲି ସମ୍ବୋଧନ କରାଯାଉଛି ତ କେବେ ଜିଲାପାଳ! ହେଲେ ପ୍ରକୃତ କ୍ଷମତା ହସ୍ତାନ୍ତର କଲାବେଳକୁ ଆନ୍ତରିକତା ଦେଖାଯାଉନାହିଁ।
ବାହାରୁ ଆସିବାକୁ ଥିବା ଲୋକଙ୍କର ପଞ୍ଜୀକରଣ କରିବା, ବାଧ୍ୟତାମୂଳକ ୧୪ ଦିନିଆ ସଂଗରୋଧ, ଶିବିରରେ ସମସ୍ତ ପ୍ରକାରର ସୁବିଧା, ବିଭିନ୍ନ ବିଭାଗ ସହ ସମନ୍ବୟ ରକ୍ଷା, ଅନୁକମ୍ପା ଓ ପ୍ରୋତ୍ସାହନ ରାଶି ପ୍ରଦାନ, ଉଲ୍ଲଂଘନକାରୀଙ୍କ ବିରୋଧରେ ଅଭିଯୋଗ ସୁନିଶ୍ଚିତ କରିବା ପାଇଁ ସରପଞ୍ଚମାନେ କ୍ଷମତା ପ୍ରାପ୍ତ। ଏକଥା ମଧ୍ୟ କୁହାଯାଇଛି ଯେ, ସଙ୍ଗରୋଧ ସମ୍ପର୍କିତ ବିଧି ନିର୍ଦ୍ଦେଶ ସମ୍ପର୍କରେ ସରପଞ୍ଚ ନେଇଥିବା ନିର୍ଦ୍ଦେଶର ଉଲ୍ଲଂଘନକାରୀ ଦଣ୍ଡିତ ହେବେ। ସରକାର ପଞ୍ଚାୟତ ବ୍ୟବସ୍ଥା ଉପରେ ଆସ୍ଥା ପ୍ରକଟ କରିବା ଏକ ଶୁଭଙ୍କର ଲକ୍ଷଣ। ହେଲେ ଆବଶ୍ୟକ ସହଯୋଗ ଯୋଗାଇଦେଲେ ଯାଇ ହିଁ ଏହା ଫଳପ୍ରସୂ ହେବ।
ଆର୍ଥିକ କ୍ଷମତା ନ ଥାଇ ଜିଲାପାଳ ଭଳି କ୍ଷମତାର କିଛି ମୂଲ୍ୟ ନାହିଁ। ପଞ୍ଚାୟତିରାଜ ବିଭାଗ ଦ୍ୱାରା ୧୭ ଫେବୃୟାରୀରେ ଜାରି ଏକ ପତ୍ର ଅନୁଯାୟୀ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ବିନା ଅନୁମୋଦନରେ ସରପଞ୍ଚ ବା ଗ୍ରାମପଞ୍ଚାୟତ ସାମାନ୍ୟ ତମ ଖର୍ଚ୍ଚ କରିପାରିବେ ନାହିଁ। ଏକଥା ମଧ୍ୟ ସ୍ବୀକାର କରାଯାଇଛି ଯେ, ଆମ ଗ୍ରାମପଞ୍ଚାୟତମାନଙ୍କରେ ଯଥେଷ୍ଟ ମାନବ ସମ୍ବଳ ନାହିିଁ ।
ଏଣୁ ସେମାନେ ପଞ୍ଚାୟତକୁ ଆସୁଥିବା ଅନୁଦାନକୁ ଖର୍ଚ୍ଚ କରିପାରୁ ନାହାନ୍ତି। ପଞ୍ଚାୟତର ଏହି ଅଭାବବୋଧକୁ ପୂରଣ କରିବା ପରିବର୍ତ୍ତେ ସରପଞ୍ଚମାନଙ୍କଠାରୁ କ୍ଷମତା ଅପସାରଣ ଗ୍ରାମପଞ୍ଚାୟତ ଭଳି ତୃଣମୂଳ ସଂଗଠନମାନଙ୍କୁ ସବଳ କରିବାରେ ବାଧକ ହେଉଛି। ଏପରି ସ୍ଥଳେ ଜିଲାପାଳ ଭଳି କ୍ଷମତା ପ୍ରଦାନକୁ ସରପଞ୍ଚମାନେ ବି ଗ୍ରହଣ କରିପାରୁ ନାହାନ୍ତି।
ନିଜ ପଞ୍ଚାୟତ ଅଞ୍ଚଳରେ କିଭଳି ଭାବରେ ସାମାଜିକ ଦୂରତା ଓ ସଂଗରୋଧ ସମ୍ଭବ ହେବ ସେନେଇ ନିଷ୍ପତ୍ତି ଗ୍ରହଣର ସ୍ବାଧୀନତା ଜିଲାପାଳ ଭଳି କ୍ଷମତା ଥିବା ସରପଞ୍ଚମାନଙ୍କର ହେବା କଥା। କିନ୍ତୁ ଏମାନଙ୍କ ଉପରେ ହାକିମାତି ଦେଖେଇବା ପାଇଁ କେତେ ଅଫିସର ଅଛନ୍ତି। ଶିଶୁ, ମହିଳା, ପ୍ରାଥମିକ ଶିକ୍ଷା ପରି ବିଷୟ ପଞ୍ଚାୟତ ପରିସରଭୁକ୍ତ ହୋଇଥିଲେ ବି ଏହି ବିଭାଗର କର୍ମଚାରୀମାନେ ସରପଞ୍ଚକୁ ଖାତିର କରନ୍ତି ନାହିଁ। ଶିବିର ପରିଚାଳନା ପାଇଁ ବିଭିନ୍ନ ଦାୟିତ୍ୱରେ ଥିବା ଏହି ସବୁ କର୍ମଚାରୀ ସାମ୍ପ୍ରତିକ ସ୍ଥିତିରେ ସରପଞ୍ଚଙ୍କ ନିର୍ଦ୍ଦେଶକୁ ସମ୍ମାନ ଦେବା ବହୁତ ବଡ କଥା ହେବ। ଅନ୍ୟଥା ଏଭଳି ସ୍ଥିତିରେ ଅମାନିଆ ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରିବା ହିଁ ସରପଞ୍ଚରୂପୀ ଜିଲାପାଳଙ୍କ ଏକମାତ୍ର କାର୍ଯ୍ୟ ହୋଇ ରହିଯିବ।
ତୃଣମୂଳ ସ୍ତରର ଗଣତାନ୍ତ୍ରିକ ଅନୁଷ୍ଠାନ ସୁଦୃଢ ହେଲେ ଜନସହଭାଗିତା ବଢେ। ୭୩ ତମ ସମ୍ବିଧାନ ସଂଶୋଧନ ମାଧ୍ୟମରେ ଏହା ହିଁ ଆଶା କରାଯାଇଛି। ମହାମାରୀର ସ୍ଥିତିରେ ସକ୍ରିୟ ଜନସହଭାଗିତା ହିଁ ବିଶଲ୍ୟକରଣୀ ସାବ୍ୟସ୍ତ ହେବ। ଏଣୁ ସରପଞ୍ଚ ଓ ଗ୍ରାମପଞ୍ଚାୟତକୁ କ୍ଷମତାସମ୍ପନ୍ନ କରେଇବାର ନିଷ୍ପତ୍ତି ଐତିହାସିକ ନିଶ୍ଚିତ। ହେଲେ ଏହା ତତ୍କାଳ ଓ ସାମୟିକ ହେବା କଥା ନୁହେଁ। ୭୩ ତମ ସମ୍ବିଧାନ ସଂଶୋଧନର ଦଶ ବର୍ଷ ପୂର୍ତ୍ତି ଅବସରରେ ଭାରତ ସରକାର ଏକ କମିଟି ମାଧ୍ୟମରେ ପଞ୍ଚାୟତିରାଜ ଅନୁଷ୍ଠାନ ମାନଙ୍କର ଅନୁଶୀଳନ କରାଇଥିଲେ। ଏହି କମିଟି ପଞ୍ଚାୟତମାନଙ୍କୁ କ୍ଷମତା ହସ୍ତାନ୍ତର କରାଯାଉ ନ ଥିବା ସହ ବିଭିନ୍ନ ଜନହିତକାରୀ ଯୋଜନାରେ ମଧ୍ୟ ସାମିଲ କରାଯାଉ ନ ଥିବା ଦର୍ଶେଇ ଥିଲା। ସରପଞ୍ଚମାନଙ୍କୁ ନିଜ ପଞ୍ଚାୟତର ପ୍ରକୃତ ମୁଖ୍ୟମନ୍ତ୍ରୀ କରାଗଲେ ଯାଇ ହିଁ କ୍ଷମତାର ବିକେନ୍ଦ୍ରୀକରଣ ସମ୍ଭବ ହେବ। ଏକ ନିର୍ଦ୍ଦିଷ୍ଟ ସ୍ଥିତିରେ ଜିଲାପାଳ ଭଳି ସାମୟିକ ଦାୟିତ୍ୱ ଅପେକ୍ଷା ସମ୍ବିଧାନ ପ୍ରଦତ୍ତ ଅଧିକାର ଦିଆଗଲେ ଅଧିକ ଉତ୍ତରଦାୟିତ୍ୱ ନ୍ୟସ୍ତ କରାଯାଇ ପାରିବ।
ଏହା ମହାମାରୀ ଭଳି ଯେକୌଣସି ପରିସ୍ଥିତିର ସମ୍ମୁଖୀନ ହେବାରେ ପ୍ରସ୍ତୁତିକୁ ଚିରସ୍ଥାୟୀ କରିପାରିବ।
ସୁବର୍ଣ୍ଣପୁର
ମୋ-୯୪୩୮୩୪୧୭୯୪