ରାଞ୍ଚି,୨୦।୧୨: ଝାଡ଼ଖଣ୍ଡ ବିଧାନସଭାର ଶେଷ ତଥା ପଞ୍ଚମ ପର୍ଯ୍ୟାୟ ମତଦାନ ଶୁକ୍ରବାର ଶେଷ ହୋଇଛି। ଏହି ମତଦାନ ପ୍ରକ୍ରିୟାରେ ସନ୍ଧ୍ୟା ୫ଟା ସୁଦ୍ଧା ୬୮.୯୯ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଥିଲା। ସମସ୍ତ ଆସନର ଫଳାଫଳ ଆସନ୍ତା ୨୩ ତାରିଖରେ ଆସିବ। ହେଲେ ତା’ପୂର୍ବରୁ ଏବେ ସମସ୍ତଙ୍କ ନଜର ଏକ୍ଜିଟ୍ ପୋଲ୍ ଉପରେ। ଯାହା ଖୁବ୍ଶୀଘ୍ର ବିଭିନ୍ନ ଟେଲିଭିଜନ ଚ୍ୟାନେଲରେ ଦେଖିବାକୁ ମିଳିବ। ଏଥିରେ କିଏ ହେବ ରାଜ୍ୟର ମୁଖ୍ୟମନ୍ତ୍ରୀ ବା କେଉଁ ଦଳ ହାତକୁ ଯିବ ଶାସନ କ୍ଷମତା ତାକୁ ନେଇ ହେବ ଆଲୋଚନା ପର୍ଯ୍ୟାଲୋଚନା। ଅନେକ ସମୟରେ ଏହି ଏକ୍ଜିଟ୍ ପୋଲ୍ର ଆକଳନ ଭୁଲ୍ ପ୍ରମାଣିତ ହୋଇଥିଲେ ମଧ୍ୟ ଏହାକୁ ଦେଖିବାକୁ ଏବେବି ଲୋକଙ୍କ ମଧ୍ୟରେ ଆଗ୍ରହ ଦେଖାଯାଉଛି। କାରଣ ଅନେକ ଥର ଏକ୍ଜିଟ୍ ପୋଲ୍ର ଆକଳନ ଅନୁଯାୟୀ ସରକାର ବି ଗଠନ ହୋଇଛି। ଏକ୍ଜିଟ୍ ପୋଲ୍ ଯାହାବି କହୁ ଚୁଡାନ୍ତ ଫଳଫଳ କିନ୍ତୁ ୨୩ ତାରିଖରେ ଜଣାପଡିଯିବ।