ଢେଙ୍କାନାଳ ଅଫିସ, ୨୦।୪: କରୋନା ପ୍ରଭାବିତ ଢେଙ୍କାନାଳ ଜିଲାରେ ସୋମବାରଠାରୁ ବଦଳିଯିବ ଲକ୍ଡାଉନ ନିୟମ। ସଂକ୍ରମଣ ଆଶଙ୍କା ସମ୍ପୂର୍ଣ୍ଣ ଟଳି ନ ଥିବାରୁ ସହରାଞ୍ଚଳରେ କଟକଣା କଡ଼ାକଡ଼ି ରହିବ। ହେଲେ ଶ୍ରମଜୀବୀ ଏବଂ ଚାଷୀଙ୍କ ଜୀବନଜୀବିକାକୁ ନଜରରେ ରଖି ଗ୍ରାମାଞ୍ଚଳରେ ନିୟମ କୋହଳ କରାଯିବ। ଜିଲାରୁ କରୋନା ଚେରକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବାକୁ ଜିଲା ପ୍ରଶାସନ ପକ୍ଷରୁ ନୂତନ ନିୟମାବଳୀ ଜାରି କରାଯାଇଛି।
ଏ ନେଇ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଏକ ଭିଡିଓ ବିବୃତିରେ ସୂଚନା ଦେଇ କହିଛନ୍ତି, ନୂଆ ଗାଇଡ୍ ଲାଇନ ଆସିବା ପରେ କଟକଣା ଅତିମାତ୍ରାରେ କୋହଳ ହୋଇଯିବ ବୋଲି ଲୋକମାନଙ୍କ ମନରେ ଧାରଣା ସୃଷ୍ଟି ହୋଇଛି। ହେଲେ ଢେଙ୍କାନାଳ ଜିଲାରେ ଗୋଟିଏ କରୋନା ପଜିଟିଭ୍ ମାମଲା ଆସିଥିବାରୁ ସହରାଞ୍ଚଳରେ ଲାଗୁ ହୋଇଥିବା ନିୟମ ପ୍ରାୟତଃ ବଳବତ୍ତର ରହିବ। ନୂତନ ଗାଇଡ୍ ଲାଇନ ଅନୁଯାୟୀ ପୌରାଞ୍ଚଳ ଏବଂ ଏନ୍ଏସିରେ କୌଣସି ଉନ୍ନୟନମୂଳକ କାମ ହେବନାହିଁ। କେବଳ ପରିମଳ ଏବଂ ପାନୀୟଜଳ ଯୋଗାଣ ସମ୍ପର୍କିତ ଅତ୍ୟାବଶ୍ୟକ କାର୍ଯ୍ୟ ଚାଲିବ। ୨୦ ତାରିଖରୁ ଯାନବାହନ ଚଳାଚଳକୁ ଆହୁରି କଡ଼ାକଡ଼ି କରାଯିବ। ତେବେ ଦିବ୍ୟାଙ୍କ ଏବଂ ବରିଷ୍ଠ ନାଗରିକଙ୍କୁ ଏଥିରୁ ବାଦ୍ ଦିଆଯାଇଛି। ଗ୍ରାମାଞ୍ଚଳରେ ଲୋକମାନଙ୍କ ଜୀବନଜୀବିକାକୁ ପ୍ରୋତ୍ସାହିତ କରିବା ଲାଗି କଟକଣା କୋହଳ କରାଯାଇଛି। ଏଣିକି ରେଲଓ୍ବେ, ଜାତୀୟ ରାଜପଥ, ଏମ୍ଜିଏନ୍ଆରଇଜିଏସ୍, ଆର୍ଡି, ପିଡବ୍ଲ୍ୟୁଡି ପକ୍ଷରୁ କାମ ଆରମ୍ଭ ହେବ। ନିୟୋଜିତ ଶ୍ରମିକଙ୍କ ପାଇଁ କାର୍ଯ୍ୟସ୍ଥଳରେ ପିଇବା ପାଣି, ହାତ ଧୋଇବା ସୁବିଧା ରହିବ। ସେମାନଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏଥିସହ ବିଶ୍ରାମ ସମୟରେ ଗୋଟିଏ ସ୍ଥାନରେ ଏକାଠି ନ ହୋଇ ସାମାଜିକ ଦୂରତା ରକ୍ଷା କରିବାକୁ କୁହାଯାଇଛି।
ଏ ନେଇ ବିଭିନ୍ନ ବ୍ଲକର ବିଡିଓଙ୍କ ସହିତ ଭିଡିଓ କନ୍ଫରେନ୍ସରେ ଆଲୋଚନା କରାଯାଇଛି। ସେହିପରି ସହରାଞ୍ଚଳରେ ଗ୍ରସେରି ଦୋକାନ ସହ କେତେକ ବହି, ଇଲେକ୍ଟ୍ରିକାଲ, ଇଲେକ୍ଟ୍ରୋନିକ୍ସ, ଷ୍ଟେଶନାରି ଦୋକାନ ଖୋଲିବ। ବିହନ, କୀଟନାଶକ, ସାର ଭଳି କୃଷି ଉପକରଣ ଏବଂ ସିମେଣ୍ଟ, ଲୁହାଛଡ଼ ଭଳି ନିର୍ମାଣ ସାମଗ୍ରୀ ବିକ୍ରି କରାଯାଉଥିବା ଦୋକାନ ମଧ୍ୟ ଖୋଲାରହିବ। ତେବେ ପୂର୍ବଭଳି ଦୋକାନ ଖୋଲିବା ସମୟ ୭ଟା ୧୧ଟା ହିଁ ରହିବ। ଅଦ୍ୟାବଧି କୌଣସି ସମସ୍ୟା ଉପୁଜି ନ ଥିବାରୁ ଏହି ସମୟରେ ପରିବର୍ତ୍ତନ ହୋଇନାହିଁ।
ଅପରପକ୍ଷେ କୃଷି ଏବଂ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ଗାଡ଼ି ଚଳାଚଳ କରିବ। ରାସ୍ତା ପାର୍ଶ୍ୱରେ ଢାବା, ଗ୍ୟାରେଜ ଏବଂ ସ୍ପେୟାର ପାଟର୍ସ ଦୋକାନଗୁଡ଼ିକ ଖୋଲା ରହିବ। ପରିବର୍ତ୍ତିନ ନିୟମ ଅନୁପାଳନରେ ଜିଲାବାସୀ ସହଯୋଗ କରିବାକୁ ଜିଲାପାଳ ନିବେଦନ କରିଛନ୍ତି।