ସାଙ୍ଘାତିକ ସ୍ଥିତି: ସଲିଳସମାଧି

ଉପେନ୍ଦ୍ର ବିଶ୍ୱାଳ

ପିଲାଟି କେତେ ଆଶା ନେଇ ବ୍ରହ୍ମପୁରରୁ ଆସି ପହଁଚିଥିଲା ନାଚୁଣିସ୍ଥ (ଖୋର୍ଦ୍ଧା) ମାମୁଘରେ, ରଜରେ ଟିକେ ମଉଜ ପାଇଁ। ଏକମାତ୍ର ଭଣଜାକୁ ପାଇ ଖୁସିରେ ବି ଫାଟି ପଡୁଥିଲା ମାମୁଘର। କେତେ ହସଖୁସି, ଦୋଳି, ନାଚଗୀତରେ ଫାଟି ପଡୁଥିଲା ମାମୁଘର ଗାଁ। କିନ୍ତୁ କାଳ ସହିଲା ନାହିଁ ସେ ଖୁସି ଟିକକ। ଗତ ୧୫ ତାରିଖ ମଧ୍ୟାହ୍ନରେ ପୋଖରୀରେ ଗାଧୋଉଥିବା ବେଳେ ଚାଲିଗଲା ୧୫ ବର୍ଷର ପିଲାଟି। ଦଶମ ଶ୍ରେଣୀରେ ପଢ଼ୁଥିବା ଏକମାତ୍ର ପୁଅଟିକୁ ହରାଇ ପାଗଳପ୍ରାୟ ଅବସ୍ଥା ତା’ ମାଆବାପାଙ୍କର। ଅତ୍ୟନ୍ତ ମେଧାବୀ ପିଲାଟିର ଆକସ୍ମିକ ବିୟୋଗରେ ସ୍କୁଲର ଶିକ୍ଷୟିତ୍ରୀ ଶିକ୍ଷକଙ୍କ ଆଖିରେ ବି ଲୁହ। ସେହିଭଳି ଅନ୍ୟ ଏକ ଦୁଃଖଦ ଘଟଣାକ୍ରମରେ କୋଳାହଳପୂର୍ଣ୍ଣ କାଲିର ସେ ଆନନ୍ଦମୟ ପରିବେଶକୁ ଆଚ୍ଛାଦିତ କଲା କାଳର କରାଳଛାୟା। ସ୍ତବ୍ଧ ହୋଇଉଠିଲା ସାରା ଅଞ୍ଚଳ। ଅତ୍ୟନ୍ତ ମେଧାବୀ ପୁଅଟିର ସଫଳତାରେ ଉଲ୍ଲସିତ ମାଆବାପା ମିଠା ବାଣ୍ଟୁଥିଲେ କାଲି। ମାତ୍ର ଆଜି? ମା’କୋଳ ଖାଲିକରି ଅସମୟରେ ଚାଲିଗଲା ପିଲାଟି। ଭଦ୍ରକ ଜିଲାର ଏ-୧ ଗ୍ରେଡରେ ଉତ୍ତୀର୍ଣ୍ଣ ପିଲାଟି ସଲିଳସମାଧି ନେଲା ସାଙ୍ଗମେଳରେ ଗାଧୋଉଥିଲା ବେଳେ। ଏହା ଥିଲା ଗତ ମାଟ୍ରିକ ପରୀକ୍ଷାଫଳ ବାହାରିବା ପରଦିନର ଘଟଣା। ଏକମାତ୍ର ପୁଅଟିକୁ ହରାଇ ବାହୁନୁଥିଲେ ମାଆବାପା। କାନ୍ଦୁଥିଲା ଗଁା, କାନ୍ଦୁଥିଲା ସ୍କୁଲ। ବନ୍ଧୁପରିଜନ, ସାଇପଡ଼ିଶା ସଭିଙ୍କ ମୁହଁରେ ବିଷାଦର ଘନ କଳାବାଦଲ। ସେମିତି ବି ବାହୁନି ବାହୁନି ଅଥୟ ଆଜି ଭଦ୍ରକର ଆହୁରି ତିନିଜଣ ମାଆ। ପୁତ୍ରହରା ଜନନୀଙ୍କର ଲୁହରେ ଭାସୁଛି ସେ ଅଞ୍ଚଳ। ଗତ ଅପ୍ରେଲ ୪ରେ ଗାଧୋଉଥିବାବେଳେ ବୁଡ଼ିଗଲେ ୩ଜଣ କଲେଜ ପିଲା। ସୌଭାଗ୍ୟବଶତଃ ବର୍ତ୍ତିଗଲେ ଆଉ ଦୁଇଜଣ, ଗାଁ ଲୋକଙ୍କ ଯୋଗୁ। ଏହାର ଠିକ୍‌ ୭ଦିନ ପୂର୍ବରୁ ଜଗତ୍‌ସିଂହପୁରର ଦେବୀ ନଦୀରେ ବୁଡ଼ିଯାଇ ଅକାଳରେ ଚାଲିଗଲେ ୩ଜଣ ସ୍କୁଲଛାତ୍ର। ଗତ ମାର୍ଚ୍ଚ ୧୯ରେ ହୋଲିର ମଜା ନେଇ ଗାଧୋଉଥିବାବେଳେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ୯ଜଣ ପିଲା ବୁଡ଼ି ମରିଗଲେ। କୋଭିଡ୍‌ ଯୋଗୁ ଦୁଇବର୍ଷ ପରେ ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସର ସହିତ ହୋଲିପର୍ବ ପାଳନ ପରେ ପରେ ୨୦୨୨ରେ ବି ୧୭ଜଣ ଛାତ୍ରଙ୍କ ଅକାଳ ବିୟୋଗ ଘଟିଥିଲା ନଦୀ ପୋଖରୀରେ ସ୍ନାନ କରୁକରୁ। ଏହିଭଳି କେବେ ସ୍କୁଲ ପିଲା ତ ଆଉ କେବେ କଲେଜ ପିଲାଙ୍କ ସଲିଳସମାଧି। ପୁଣି ଅତ୍ୟନ୍ତ ମେଧାବୀ ଛାତ୍ରୀଛାତ୍ର, ଆଇଆଇଟି ଏବଂ ଡାକ୍ତରୀ ପଢ଼ୁଥିବା ପିଲାଙ୍କ ଅକାଳ ବିୟୋଗ। କେଇବର୍ଷ ତଳେ ଗୋଟେ ସପ୍ତାହରେ ଘାଟିକିଆସ୍ଥ ସିଇଟି (ଭୁବନେଶ୍ୱର)ର ୨ଜଣଙ୍କ ସମେତ ରେଭେନ୍ସାର ୪ଜଣ ଅତି ମେଧାବୀ ଛାତ୍ରଙ୍କ ଜୀବନ ଚାଲିଗଲା ନଦୀସୁଅରେ। ସେମିତି ବି ହାଇଦ୍ରାବାଦସ୍ଥ ଏକ ଇଂଜିନିୟରିଂ କଲେଜର ୨୪ଜଣ ଛାତ୍ରଙ୍କ ଅକାଳ ବିୟୋଗ ଘଟିଲା ନଦୀଧାରରେ ଫଟୋ ଉଠାଉଥିଲାବେଳେ। ଜୀବନ ଆରମ୍ଭରୁ ମଧ୍ୟାହ୍ନରେ ସୂର୍ଯ୍ୟାସ୍ତ ହେଲା ପରି ଆଲୋକବର୍ତ୍ତିକା ସଦୃଶ ଅନେକ ମେଧାବୀ ଛାତ୍ରୀଛାତ୍ରଙ୍କ ଜୀବନଦୀପ ନିର୍ବାପିତ ହୋଇଯିବା, ଦେଶ ଓ ଦୁନିଆ ପାଇଁ ଅପୂରଣୀୟ କ୍ଷତି ନୁହେଁ କି?
ଆମ ଦେଶରେ ସଡ଼କ ଦୁର୍ଘଟଣା ପରେ ସଲିଳସମାଧି ହେଉଛି ଦ୍ୱିତୀୟ ସର୍ବାଧିକ ମୃତ୍ୟୁଫାଶ। ଏପରିକି ମ୍ୟାଲେରିଆ ମୃତ୍ୟୁଯନ୍ତାଠାରୁ ଅଧିକ ଭୟାବହ। ଭାରତରେ କେବଳ ୩୦ ହଜାର ପିଲା ୨୦୨୧ରେ ସଲିଳ ସମାଧି ନେଇଥିବାର ଜଣାଯାଏ। ଓଡ଼ିଶାରେ ୨୦୧୬ରୁ ୨୦୨୧ ମଧ୍ୟରେ ୮୫୦୬ ଜଣ ପିଲାଙ୍କ ମୃତ୍ୟୁ ହୋଇଛି ପାଣିରେ ବୁଡ଼ିଯିବା କାରଣରୁ। କେବଳ ୨୦୨୨ରେ ୧୪୭୬ ଜଣ ପିଲାଙ୍କ ଯାଇଛି ଜୀବନ। ସରକାରଙ୍କ ଏହି ତଥ୍ୟଠାରୁ ବାସ୍ତବ ସଂଖ୍ୟା ଆହୁରି ଢେର ବେଶି। ମ୍ୟାଲେରିଆଜନିତ ମୃତ୍ୟୁ ଘଟଣା ତୁଳନାରେ ସଲିଳସମାଧି ଆହୁରି ସାଙ୍ଘାତିକ। ସ୍କୁଲ କଲେଜରେ ପଢ଼ୁଥିବାବେଳେ କଅଁଳ ବୟସରେ ଦେଶରୁ ହଜିଯାଆନ୍ତି ଦିନକୁ ହାରାହାରି ୮୦ଜଣ, ଓଡ଼ିଶାରୁ ୪ଜଣ। ବେଖାତିର ଓ ବେପରବାୟ ମନୋଭାବ ଅନେକାଂଶରେ ଡାକିଆଣେ ବିପର୍ଯ୍ୟୟକୁ। ଦୈବୀଦୁର୍ବିପାକ ବ୍ୟତୀତ ଦୁନିଆରେ ଯେତେସବୁ ଦୁର୍ଘଟଣା ଘଟେ, ତାହା ପ୍ରାୟତଃ ଘଟିଥାଏ ଅସାବଧାନତା ଓ ସତର୍କପଣିଆ ଅଭାବରୁ।
ଅନ୍ୟପକ୍ଷରେ ପିଲାଙ୍କୁ ଟିକେ ସନ୍ତରଣ ବି ଶିଖାଇଲୁ ନାହିଁ। ଖାଲି ପାଠ ପଢ଼, କ୍ୟାରିଅର ଗଢ଼। ଛୋଟ ପିଲାଟିଏ (ଲାଲ ବାହାଦୂର ଶାସ୍ତ୍ରୀ) ତ ସେଦିନ ମଥାରେ ବସ୍ତାନି ବାନ୍ଧି ପହଁରି ପହଁରି ସ୍କୁଲ ଯିବାଆସିବା କରୁଥିଲେ। ଜୀବନ ଜିଣିବାକୁ ପିଲାଙ୍କୁ ଯେଉଁମାତ୍ରାରେ ପ୍ରେରିତ କରୁଛୁ, ସେହି ମାତ୍ରାରେ ଜୋର ଦେଲୁନାହିଁ ଜୀବନ ଜିଇବା ଉପରେ। ଜୀବନ ଜିଇବା ଆଗ ନା ଜୀବନରେ ଜିତାପଟ ଆଗ? ପୁନଶ୍ଚ ସ୍କୁଲ କଲେଜରେ ସନ୍ତରଣ ଶିକ୍ଷାର ବ୍ୟବସ୍ଥା ନାହିଁ। ସ୍କୁଲଗୁଡ଼ିକ ଆଜି ରୂପାନ୍ତରିତ ୫-ଟି ଯୋଜନାରେ। ପ୍ରାୟ ସବୁ ସ୍କୁଲରେ ଆଜି ପାଇପ୍‌ ପାଣିର ବ୍ୟବସ୍ଥା ରହିଛି। ଏପରିସ୍ଥଳେ ସ୍କୁଲମାନଙ୍କରେ ‘ସୁଇମିଂ ପୁଲ’ ତିଆରି କରି ୬ଷ୍ଠ, ୭ମ, ୮ମ ଛାତ୍ରୀଛାତ୍ରଙ୍କୁ ବାଧ୍ୟତାମୂଳକ ଭାବେ ସନ୍ତରଣ ଶିକ୍ଷା ଦେବାରେ ଅସୁବିଧା କେଉଁଠି? ଆତ୍ମହତ୍ୟା ପ୍ରବଣତାରୁ ପିଲାଙ୍କୁ ଦୂରେଇ ରଖିବାକୁ ଗଣଶିକ୍ଷା ବିଭାଗ ଯେମିତି ସ୍ବତନ୍ତ୍ର ଶିକ୍ଷାର ବ୍ୟବସ୍ଥା କରିଛି, ଠିକ୍‌ ସେହିଭଳି ଓଡ଼ିଶା ଓ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅତ୍ୟନ୍ତ ଗମ୍ଭୀରତା ସହକାରେ ଏ ବିଷୟ ବିଚାରକୁ ନେବା ଉଚିତ। ଏଭଳି ସ୍ପର୍ଶକାତର, ସମ୍ବେଦନଶୀଳ ପ୍ରସଙ୍ଗକୁ ଅଣଦେଖା କରିବା ଅର୍ଥ ପିଲାଙ୍କୁ ମରଣମୁହଁକୁ ଠେଲିଦେବ।
ବିଶେଷଜ୍ଞମାନଙ୍କ ମତରେ ସନ୍ତରଣ ଏକ ଉତ୍କୃଷ୍ଟ କ୍ରୀଡ଼ା। ଏହାଦ୍ବାରା ମନ ଓ ଶରୀର ଖୁବ୍‌ ଫୂର୍ତ୍ତି ରହେ। ହୃତ୍‌ପିଣ୍ଡ ଓ ଫୁସ୍‌ଫୁସ୍‌ଜନିତ ରୋଗରୁ ରକ୍ଷା ମିଳେ। ଶରୀରରେ ଶର୍କରା ସ୍ତର ସନ୍ତୁଳିତ ଓ ରକ୍ତ ସଞ୍ଚାଳନ ଠିକ୍‌ ଭାବେ ହୋଇଥାଏ। ଫଳରେ ମେଦବହୁଳତା, ହୃଦ୍‌ଘାତ ଓ ବହୁମୂତ୍ର ରୋଗ ଆଦିର ଆଶଙ୍କା ହ୍ରାସ ପାଏ। ପୁନଶ୍ଚ ଏହାଦ୍ବାରା ମାଂଶପେଶୀ ଦୃଢ଼ ହୁଏ, ଶରୀର ବେଶ୍‌ ହୃଷ୍ଟପୁଷ୍ଟ ଓ ସୁଠାମ ହୋଇଥାଏ। ଅନ୍ୟପକ୍ଷରେ ସନ୍ତରଣ ମଧ୍ୟ କଷ୍ଟକର ନୁହେଁ। ବରଂ ଏକ ସହଜ ଓ ସରଳ ବ୍ୟାୟାମ। ଅତଏବ, ପିଲାମାନେ ଯଦି ସନ୍ତରଣ ଶିଖନ୍ତି, ତେବେ ହଜାର ହଜାର ପିଲାଙ୍କ ଜୀବନ ରକ୍ଷା ସହିତ ସୁସ୍ଥ, ନୀରୋଗ ଜୀବନଯାପନ କରିପାରନ୍ତେ। କୋଳଶୂନ୍ୟ ବା ବଂଶଶୂନ୍ୟର ବିପତ୍ତିରୁ ବି ବର୍ତ୍ତିଯାଆନ୍ତେ ଅନେକ ମାଆବାପାମାନେ।
ଗୋଡ଼ିଶୂଳ, ସଜନାଗଡ଼, ବାଲେଶ୍ୱର
ମୋ: ୯୪୩୭୪୩୬୦୭୩


Enter your email to get our daily news in your inbox.

All Right Reserved By Dharitri.Com

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri