ସାଧାରଣ ନିର୍ବାଚନ ପାଇଁ ଅବଗଣନା

ସୌଭାଗ୍ୟ ସୁନ୍ଦରରାୟ

ଲୋକ ସଭା ନିର୍ବାଚନ ପାଇଁ ଆଉ ଅଳ୍ପ କିଛି ମାସ ବାକି ରହିଛି। ରାଜନୈତିକ ଦଳ ପକ୍ଷରୁ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତି ପ୍ରାୟତଃ ଆରମ୍ଭ ହୋଇଗଲାଣି। ଇତିମଧ୍ୟରେ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ଭାରତୀୟ ଜନତା ପାର୍ଟି (ଭାଜପା)କ୍ଷମତା ଦଖଲ କରି କର୍ନାଟକ ବିଫଳତାଜନିତ ନୈରାଶ୍ୟରୁ ବାହାରି ଆସିପାରିଛି। ଦଳର ମନୋବଳ ବୃଦ୍ଧି ପାଇଛି। ୨୦୨୨ରେ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ଚାଲିଥିବା ସମୟରେ ଦୁଇଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଗୁଜରାଟରେ ଭାଜପା ବିପୁଳ ଭୋଟ ପାଇ ପୁନର୍ବାର କ୍ଷମତାସୀନ ହୋଇଥିବାବେଳେ ହିମାଚଳପ୍ରଦେଶ କଂଗ୍ରେସ ଦଖଲକୁ ଆସିଲା। ଚଳିତ ବର୍ଷ ଆରମ୍ଭରେ ମେଘାଳୟ, ନାଗାଲାଣ୍ଡ ଓ ତ୍ରିପୁରାରେ ବିଧାନସଭା ନିର୍ବାଚନରେ କଂଗ୍ରେସ ବିଶେଷ ସଫଳତା ପାଇପାରିଲା ନାହିଁ। ଏହା ପରେ ୨୦୨୩ରେ ଅନୁଷ୍ଠିତ କର୍ନାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ କ୍ଷମତା ଦଖଲ କଲା। କର୍ନାଟକ ଫଳାଫଳ ଭାଜପାକୁ ଚକିତ କରିଥିଲା। ନିକଟରେ ଅନୁଷ୍ଠିତ ରାଜସ୍ଥାନ, ଛତିଶଗଡ଼, ତେଲଙ୍ଗାନା ଓ ମଧ୍ୟପ୍ରଦେଶ ନିର୍ବାଚନରେ କଂଗ୍ରେସ କେବଳ ତେଲଙ୍ଗାନାରେ କ୍ଷମତାସୀନ ହୋଇଥିବାବେଳେ ଅନ୍ୟ ୩ଟି ଯାକ ରାଜ୍ୟ ହାତଛଡ଼ା କରିଛି। ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ଭାଜପା ନୂଆ ଚେହେରା ମୁଖ୍ୟମନ୍ତ୍ରୀ ଅବସ୍ଥାପିତ କରିଛି। ବିଭିନ୍ନ ବର୍ଗଙ୍କୁ ସନ୍ତୁଷ୍ଟ କଲାଭଳି ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଚୟନ କରାଯାଇଛି।
୨୦୨୨ ଶେଷ ଭାଗରୁ ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ଜମ୍ମୁ-କଶ୍ମୀରରେ ଶେଷ ହୋଇଥିଲା। ବିଗତ କିଛିବର୍ଷ ମଧ୍ୟରେ ‘ଭାରତ ଯୋଡ଼ୋ’ କଂଗ୍ରେସର ଏକ ବଡ଼ ରାଜନୈତିକ କାର୍ଯ୍ୟକ୍ରମ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ଯାତ୍ରା ୧୨ଟି ରାଜ୍ୟ ଦେଇ ୩୫୦୦ କିଲୋମିଟର ପଥ ଅତିକ୍ରମ କରିଥିଲା। ‘ଭାରତ ଯୋଡ଼ୋ’ ଯାତ୍ରା ସମୟରେ କଂଗ୍ରେସର ନୂତନ ସଭାପତି ନିର୍ବାଚନ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଦୀର୍ଘ ବର୍ଷ ଧରି କଂଗ୍ରେସ ସଭାପତି ଦାୟିତ୍ୱ ତୁଲାଇବା ପରେ ସୋନିଆ ଅବ୍ୟାହତି ନେଇଥିଲେ। କଂଗ୍ରେସର ଯୁଆଳି ପଡ଼ିଥିଲା ମଲ୍ଲିକାର୍ଜୁନ ଖାର୍ଗେଙ୍କ କାନ୍ଧରେ। ମଲ୍ଲିକାର୍ଜୁନ ଜଣେ ଅଭିଜ୍ଞ ରାଜନେତା। ରାହୁଲ ଆରମ୍ଭ କରିଥିବା ଭାରତ ଯୋଡ଼ୋ ଯାତ୍ରା କର୍ନାଟକରେ କଂଗ୍ରେସ ପାଇଁ ସହାୟକ ହୋଇଥିବା ମନେ ହୋଇଥିଲା। କର୍ନାଟକରେ ବିଜୟ ପରେ ଦଳରେ ଏକପ୍ରକାର ଆତ୍ମବିଶ୍ୱାସ ସୃଷ୍ଟି ହେଲା। କିନ୍ତୁ ନିକଟରେ ଅନୁଷ୍ଠିତ ୩ ରାଜ୍ୟରେ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହେବା ପରେ ଆଗାମୀ ଲୋକ ସଭା ପାଇଁ କଂଗ୍ରେସର ମୂଲଚାଲ ଶକ୍ତି ହ୍ରାସ ପାଇଛି।
ରାଜସ୍ଥାନରେ କଂଗ୍ରେସ ସରକାର ରହିଥିଲା। ଏହି ରାଜ୍ୟର ବିଧାନସଭା ଆସନ ସଂଖ୍ୟା ୨୦୦। କିନ୍ତୁ ଚଳିତ ନିର୍ବାଚନରେ ଭାଜପା ୧୧୫ଟି ଆସନ ପାଇଥିବାବେଳେ କଂଗ୍ରେସ ୬୯ଟି ଆସନ ପାଇଛି। ମଧ୍ୟପ୍ରଦେଶରେ ମଧ୍ୟ ଗତ ନିର୍ବାଚନରେ କଂଗ୍ରେସ ବିଜୟ ଲାଭ କରି ସରକାର ଗଠନ କରିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନେତୃତ୍ୱରେ ଦଳର ୨୨ ଜଣ ବିଧାୟକ ଇସ୍ତଫା ଦେବା ପରେ ସରକାର ଭାଙ୍ଗି ଯାଇଥିଲା। ଏଣୁ ଚଳିତ ଥର କଂଗ୍ରେସ ସେଠାରେ ସଫଳତା ଲାଭ କରିବ ବୋଲି ଆଶା କରାଯାଉଥିଲା। କିନ୍ତୁ ତାହା ହୋଇପାରିଲା ନାହିଁ। ଏହି ବିଧାନସଭା ନିର୍ବାଚନର ଫଳାଫଳ ଦଳର ସର୍ବଭାରତୀୟ ପତିଆରାକୁ କେତେକାଂଶରେ କ୍ଷୁଣ୍ଣ କରିଛି। ଏପରି ସ୍ଥିତିରେ ‘ଇଣ୍ଡିଆ ମେଣ୍ଟ’ ବୈଠକ ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ କିଛି ମାସ ଧରି ଅନୁଷ୍ଠିତ ହୋଇ ନ ଥିଲା। ଲୋକ ସଭା ନିର୍ବାଚନ ନିମନ୍ତେ ଆସନ ବୁଝାମଣା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ଲୋକ ସଭା ନିର୍ବାଚନ ପାଇଁ ଆଉ ୩ ମାସ ସମୟ ରହିଲା କହିଲେ ଚଳେ। ଏହା ମଧ୍ୟରେ ଲେଖାନୁଦାନ ପାଇଁ ପାର୍ଲାମେଣ୍ଟର ବଜେଟ ଅଧିବେଶନ ସ୍ବଳ୍ପ ସମୟ ପାଇଁ ଅନୁଷ୍ଠିତ ହୋଇପାରେ। ତେଣେ ଭାରତୀୟ ଜନତା ପାର୍ଟି ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରିଥିବା ପରିଲକ୍ଷିତ ହେଉଛି। ବିକାଶ ସହ ଧର୍ମୀୟ ଓ ସାଂସ୍କୃତିକ ପ୍ରସଙ୍ଗକୁ ଦଳ ନିର୍ବାଚନ ପ୍ରକ୍ରିୟାରେ ସାମିଲ କରିବା ପାଇଁ ଉଦ୍ୟମରତ। ଜାନୁୟାରୀରେ ଅଯୋଧ୍ୟାରେ ନୂଆ ରାମମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ଇତିମଧ୍ୟରେ କାଶୀ ତାମିଲ ସଙ୍ଗମମ୍‌ କାଶୀରେ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଅଂଶଗ୍ରହଣ କରିଥିଲେ। ଏକ ସାଂସ୍କୃତିକ ଯୋଗସୂତ୍ର ମାଧ୍ୟମରେ ଦଳ ଦକ୍ଷିଣ ଭାରତରେ ପ୍ରବେଶ ପାଇଁ ଚେଷ୍ଟା କରିବ। କାରଣ ନିକଟରେ ଅନୁଷ୍ଠିତ ନିର୍ବାଚନରେ ସନାତନ ଧର୍ମ ବିବାଦ ଦଳକୁ ସହାୟକ ହୋଇଥିବା ମନେହୁଏ। ଏହି ବିବାଦ ତାମିଲନାଡ଼ୁ ରାଜନେତାଙ୍କ ଉଚ୍ଚାରଣରୁ ଆରମ୍ଭ ହୋଇଥିଲା। ହିନ୍ଦୀ ଭାଷାଭାଷୀ ଏକାଧିକ ରାଜ୍ୟରେ ଭାଜପା କ୍ଷମତାସୀନ ହେବା ପରେ ଦଳର ଉତ୍ସାହ ବୃଦ୍ଧି ପାଇବା ସତ୍ତ୍ୱେ ମନରେ କିଛି ଆଶଙ୍କା ରହିଛି। କାରଣ ପଶ୍ଚିମବଙ୍ଗ, କର୍ନାଟକ ଓ ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନରେ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ତେଣେ ଗତ ଉତ୍ତରପ୍ରଦେଶ ବିଧାନସଭାରେ ଭାଜପାର ଆସନ ସଂଖ୍ୟା ହ୍ରାସ ପାଇଛି। ଅର୍ଥାତ ଭାଜପାର ଜନ ସମର୍ଥନ କେତେକାଂଶରେ ହ୍ରାସ ପାଇଛି। ଏହା ଭାଜପା ପାଇଁ ଚିନ୍ତାଜନକ ହୋଇଛି।
ବିଗତ ନିର୍ବାଚନଗୁଡ଼ିକରେ କଂଗ୍ରେସର ଭୋଟ ହାର ହ୍ରାସ ପାଉଥିବା ଓ ନେତାଙ୍କ ଦଳ ତ୍ୟାଗ ପରିପ୍ରେକ୍ଷୀରେ ଦଳ ପକ୍ଷରୁ ଗତବର୍ଷ ଉଦୟପୁରଠାରେ ଅନୁଷ୍ଠିତ ନବ ସଂକଳ୍ପ ଚିନ୍ତନ ବୈଠକକୁ ଘରସଜଡ଼ା ଅଭିଯାନ ଥିଲା ବୋଲି କୁହାଯାଇପାରେ। ଏହି ବୈଠକରେ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ ସହ ଦଳର ପୁନରୁଦ୍ଧାର ପାଇଁ ୬ଟି ଚିଠା ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଉଲ୍ଲେଖନୀୟ ପ୍ରସ୍ତାବ ମଧ୍ୟରେ ପରିବାରବାଦ ଉପରେ ଅଙ୍କୁଶ ଓ ଦଳକୁ ଯୁବ ଚେହେରାଭିମୁଖୀ କରିବା ଅନ୍ତର୍ଭୁକ୍ତ ଥିଲା। ଦଳର ସମସ୍ତ ସ୍ତରରେ ୫୦ ବର୍ଷରୁ କମ୍‌ ବୟସର ବ୍ୟକ୍ତିଙ୍କୁ ୫୦ଭାଗ ପ୍ରତିନିଧିତ୍ୱ ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଥିବାବେଳେ ଗୋଟିଏ ପରିବାରରୁ ଜଣଙ୍କୁ ଟିକେଟ ଦିଆଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ଭାରତ ଯୋଡ଼ୋ ଯାତ୍ରା ପରେ ଦଳ କର୍ନାଟକ ବିଧାନସଭା ନିର୍ବାଚନରେ ସଫଳତା ପାଇଥିଲେ ମଧ୍ୟ ଯୁବ ଚେହେରାଭିମୁଖୀ ହୋଇପାରିଲା ନାହିଁ। ରାଜସ୍ଥାନ ଓ ମଧ୍ୟପ୍ରଦେଶ ଏହାର ଉଦାହରଣ। ଦୁଇ ରାଜ୍ୟରେ ପୁରୁଣା ଚେହେରାଙ୍କ ଦ୍ୱାରା ନିର୍ବାଚନ ଲଢ଼ି କଂଗ୍ରେସ ବିପର୍ଯ୍ୟୟ ସାମନା କଲା। ତେବେ ତେଲଙ୍ଗାନାରେ ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ଭାବେ ଯୁବ ଚେହେରା ଅବସ୍ଥାପିତ କରାଯାଇଛି। ଏହା ଦଳ ପାଇଁ ସୁଫଳ ଆଣିବ ବୋଲି ଆଶା କରାଯାଉଛି।
ଗତ ୧୯ ତାରିଖରେ ଅନୁଷ୍ଠିତ ବିରୋଧୀ ଦଳର ଇଣ୍ଡିଆ ମେଣ୍ଟ ବୈଠକରେ ଆସନ ବୁଝାମଣା ପାଇଁ ନିଷ୍ପତ୍ତି ନିଆଯାଇଛି। ଇଣ୍ଡିଆ ମେଣ୍ଟରେ ଅଧିକାଂଶ ହେଉଛନ୍ତି ଆଞ୍ଚଳିକ ଦଳ। ଏଥିମଧ୍ୟରୁ କଂଗ୍ରେସ ଦଳର ଭଲ ସର୍ବଭାରତୀୟ ଭୋଟ ରହିଛି। କିନ୍ତୁ କଂଗ୍ରେସର ଲଗାତର ବିପର୍ଯ୍ୟୟ ଯୋଗୁ ଆଞ୍ଚଳିକ ଦଳ ନିକଟରୁ କଂଗ୍ରେସକୁ ଯେତେଟା ଗୁରୁତ୍ୱ ମିଳିବା କଥା ତାହା ମିଳିପାରୁ ନାହିଁ। ତେଣେ କଂଗ୍ରେସ ବିନା ମେଣ୍ଟ ଗଠନ ମଧ୍ୟ ଅସମ୍ଭବ। ଏଣୁ କଂଗ୍ରେସ ଓ ଏକାଧିକ ଆଞ୍ଚଳିକ ଦଳ ମଧ୍ୟରେ ଆସନ ବୁଝାମଣା ପାଇଁ ଟଣାଓଟରା ଜାରି ରହିଛି। ଫଳରେ ଆସନ ବୁଝାମଣା ତ୍ୱରିତ ଭାବେ ଚୂଡ଼ାନ୍ତ ହୋଇପାରୁ ନାହିଁ। ଏପରି ସ୍ଥିତିରେ ଭାଜପା ନିଜର ନିର୍ବାଚନୀ ରଣକୌଶଳ ଆଗୁଆ ପ୍ରସ୍ତୁତ କରିଥିବା ଜଣାପଡ଼ୁଛି। କଂଗ୍ରେସ ଦଳ ଦ୍ୱିତୀୟ ପର୍ଯ୍ୟାୟ ଭାରତ ଯୋଡ଼ୋ ଯାତ୍ରା ପାଇଁ ନିଷ୍ପତ୍ତି ନେବା ସହ ‘ଦେଶ ପାଇଁ ଦାନ’ ଅଭିଯାନ ଆରମ୍ଭ କରିଛି। ଏଣୁ କହିବାକୁ ଗଲେ ସମସ୍ତ ରାଜନୈତିକ ଦଳ ସାଧାରଣ ନିର୍ବାଚନ ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ହୋଇସାରିଲେଣି। କିଏ କେଉଁଭଳି ଭାବେ ଭୋଟରଙ୍କୁ ପ୍ରଭାବିତ କରିବେ ତାହା ଆଗକୁ ଦେଖିବାର କଥା।
ମୋ: ୯୪୩୭୨୨୯୨୩୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପେସାରେ ଶିକ୍ଷୟିତ୍ରୀ ହେଲେ ବି ଫୁଲଚାଷ ତାଙ୍କ ପାଇଁ ଆଣିଛି ସ୍ବତନ୍ତ୍ର ପରିଚୟ। କେରଳ ଥ୍ରିଶୂର ଜିଲା ବାସିନ୍ଦା ଲତିକା ସୁତାନ ବଗିଚାରେ ପଦ୍ମ ଓ...

ଅକାଳ ଜାତ ଶିଶୁ ଓ କଙ୍ଗାରୁ ଯତ୍ନ

ଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ୨୦୨୦ ମସିହାରେ କରିଥିବା ଏକ ଆକଳନ ଅନୁସାରେ ପ୍ରତିବର୍ଷ ଗର୍ଭଧାରଣର ସାଧାରଣ ସମୟକାଳ, ଅର୍ଥାତ୍‌ ୩୭ ସପ୍ତାହ ସମ୍ପୂର୍ଣ୍ଣ ହେବା ପୂର୍ବରୁ...

ଆଧୁନିକ ଦାସତ୍ୱ

ଦାସତ୍ୱ କଥା ଆଲୋଚନା ହେଲେ ଆମେରିକା କଥା ମନକୁ ଆସେ। ଏହା ସହ ଆଫ୍ରିକାରେ ଅଭାବ, ଅନଟନରେ ଶଢ଼ୁଥିବା ମଣିଷକୁ କ୍ରୀତଦାସ ରୂପେ କ୍ରୟ, ବିକ୍ରୟ...

ମିଥେନ୍‌ ଚିନ୍ତା

ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଶେଷ ହେବାକୁ ଯାଉଛି। ଏହି ସମୟରେ ଏଠାରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ରେକର୍ଡ କରାଯାଇଛି। ୨୦୨୩କୁ ଟପି ୨୦୨୪ ସବୁଠୁ...

ଏଇ ଭାରତରେ

ମହିଳା ସଶକ୍ତୀକରଣ ଓ ଆମତ୍ନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ବୀଣା ଟମ୍‌। କେରଳର ମାରଙ୍ଗାଟ୍ଟୁପାଲିରେ ରହୁଥିବା ଏହି ୫୬ ବର୍ଷୀୟା ମହିଳା ଜଣକ ନିଜ ବଗିଚାରେ ବିଭିନ୍ନ...

ଯୁଦ୍ଧ ଆଉ କେତେ କାଳ

ରମାଣୁ ବୋମାର ଜନକ ବୋଲି କୁହାଯାଉଥିବା ସୁପ୍ରସିଦ୍ଧ ଆମେରିକୀୟ ବିଜ୍ଞାନୀ କୁଲିଅସ୍‌ ରବର୍ଟ ଓପେନ୍‌ ହେମରଙ୍କ ଜୀବନୀ ଆଧାରିତ ଚଳଚ୍ଚିତ୍ର ‘ଓପେନ୍‌ହେମର’ ମୁକ୍ତିଲାଭ କରିସାରିଛି। ପରମାଣୁ...

ଈଶ୍ୱରଙ୍କ ସହ ବସବାସ

ସୃଷ୍ଟିର ପ୍ରାରମ୍ଭରୁ ମଣିଷ ଈଶ୍ୱରଙ୍କୁ ଅନ୍ବେଷଣ କରିବା ଆରମ୍ଭ କରିଆସିଛି। ସେମାନେ ପ୍ରକୃତିକୁ ଦେବତା ରୂପେ ପ୍ରାର୍ଥନାକଲେ। ବାୟୁଦେବ, ଅଗ୍ନିଦେବ, ବରୁଣଦେବ, ଇନ୍ଦ୍ରଦେବ, ସୂର୍ଯ୍ୟଦେବ ଓ...

ଧର୍ମଶାସ୍ତ୍ର ଓ ମନୁସ୍ମୃତି

ସମସ୍ତେ ଏବେ ମନୁସ୍ମୃତି ବିଷୟରେ ଆଲୋଚନା କରୁଛନ୍ତିି ଏବଂ ଜାତି ପ୍ରଥା ସହ ଏହାର ସମ୍ପର୍କ ରହିଛି ବୋଲି କହନ୍ତି। କିନ୍ତୁ ଏହା ପଛରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri