ନୂଆଦିଲ୍ଲୀ,୨୧ା୧୨(ଆଇଏଏନ୍ଏସ୍): ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ)କୁ ବିରୋଧ କରି ଦେଶବ୍ୟାପୀ ଆନ୍ଦୋଳନ ଜାରି ରହିଥିବାବେଳେ ଶୁକ୍ରବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଭାରତୀୟ ନାଗରିକତ୍ୱ ପାଇଁ ୫ଟି ସର୍ତ୍ତ ଜାରି କରିଛି।
ନାଗରିକତ୍ୱ ଆଇନ,୧୯୫୫ ପ୍ରଥମ ପରିଚ୍ଛେଦ ଅନୁଯାୟୀ ଯେଉଁମାନେ ୧୯୫୦ ଜାନୁୟାରୀ ୨୬ରେ ଭାରତର ଅଧିବାସୀ ହୋଇଥିବେ କିମ୍ବା ଭାରତରେ ଜନ୍ମ ହୋଇଥିବେ ସେମାନେ ଭାରତୀୟ ନାଗରିକ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ଯେଉଁମାନେ ୧୯୫୦ ଜାନୁୟାରୀ ୨୬ ପରେ ଏବଂ ୧୯୮୭ ଜୁଲାଇ ୧ ପୂର୍ବରୁ ଭାରତରେ ଜନ୍ମ ହୋଇଥିବେ କିମ୍ବା ସେମାନଙ୍କ ମାତାପିତା ଜନ୍ମ ହୋଇଥିବେ ସେମାନେ ନାଗରିକତ୍ୱ ପାଇବାକୁ ହକ୍ଦାର। ତେଣୁ ସେମାନେ ସିଏଏକୁ ନେଇ ଚିନ୍ତା କରିବାର କିଛି ନାହିଁ। ନାଗରିକତ୍ୱ ଆଇନର ୨୦୦୪ ସଂଶୋଧନ ଅନୁଯାୟୀ ଆସାମ ବ୍ୟତୀତ ଦେଶର ଅନ୍ୟ ଭାଗରେ ରହୁଥିବା ବ୍ୟକ୍ତି ଯାହାଙ୍କ ମାତା କିମ୍ବା ପିତା ଭାରତୀୟ ଏବଂ ବେଆଇନ ଶରଣାର୍ଥୀ ହୋଇ ନ ଥିଲେ ତାଙ୍କୁ ଭାରତୀୟ ନାଗରିକ ବିବେଚନା କରାଯିବ।
ବିଜ୍ଞପ୍ତି ଅନୁଯାୟୀ ଯେଉଁମାନେ ୨୦୦୪ ଡିସେମ୍ବର ୩ ପରେ ଜନ୍ମ ହୋଇଥିବେ, ସେମାନଙ୍କ ମାଆବାପା ଉଭୟ ଭାରତୀୟ ନାଗରିକ ଏବଂ କେହି ବେଆଇନ ଶରଣାର୍ଥୀ ହୋଇ ନ ଥିବେ ତେବେ ସେ ମଧ୍ୟ ଜନ୍ମରୁ ଭାରତର ନାଗରିକ ଭାବେ ଗଣ୍ୟ ହେବେ। ବଂଶଗତ ନାଗରିକତାର ଦ୍ୱିତୀୟରେ ଜଣେ ୧୯୫୦ ଜାନୁୟାରୀ ୨୬ ପରେ ଏବଂ ୧୯୯୨ ଡିସେମ୍ବର ୧୦ ପୂର୍ବରୁ ଭାରତ ବାହାରେ ଜନ୍ମ ହୋଇଥିଲେ ମଧ୍ୟ ସେ ଭାରତୀୟ ନାଗରିକ ଭାବେ ଗଣାଯାଇପାରିବେ, ଯଦି ତାଙ୍କ ଜନ୍ମ ସମୟରେ ତାଙ୍କ ବାପା ଭାରତୀୟ ନାଗରିକ ହୋଇଥିବେ। ପଞ୍ଜୀକରଣ ଦ୍ୱାରା ନାଗରିକ ନିୟମାବଳୀ ଅନୁଯାୟୀ ଜଣେ ଭାରତୀୟ ମୂଳ ବାସିନ୍ଦା ପଞ୍ଜୀକରଣ ପାଇଁ ଆବେଦନ କରିବା ପୂର୍ବରୁ ୭ ବର୍ଷ ଭାରତରେ ରହିଥିଲେ ନାଗରିକତ୍ୱ ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ। ସେହିପରି ଭାରତୀୟ ନାଗରିକଙ୍କ ନାବାଳକ ପିଲା ନାଗରିକ ଭାବେ ପଞ୍ଜୀକୃତ ହେବା ପାଇଁ ଯୋଗ୍ୟ। ସେହିପରି ଜଣେ ପୂର୍ଣ୍ଣ ବୟସ୍କ ବ୍ୟକ୍ତି, ଯାହାଙ୍କ ମାତାପିତା ଭାରତୀୟ ନାଗରିକ ଭାବେ ପଞ୍ଜୀକୃତ ହୋଇଥିବେ, ସେ ମଧ୍ୟ ନାଗରିକ ଭାବେ ପଞ୍ଜୀକୃତ ହେବା ଲାଗି ଯୋଗ୍ୟ ବିବେଚିତ ହେବେ।
ପୂର୍ଣ୍ଣ ବୟସ ଓ ସାମର୍ଥ୍ୟର ବ୍ୟକ୍ତି ୧୨ ବର୍ଷ ଭାରତରେ ବସବାସ କରିଥିଲେ ନାଗରିକତ୍ୱ ପାଇଁ ସ୍ବୀକୃତି ପ୍ରମାଣପତ୍ର ପାଇବାକୁ ଯୋଗ୍ୟ ହେବେ। ଶେଷରେ ଯଦି କୌଣସି ନୂଆ ଅଞ୍ଚଳ ଭାରତର ଅଂଶବିଶେଷ ହୁଏ, ଉକ୍ତ ଅଞ୍ଚଳର ଅଧିବାସୀଙ୍କୁ ଭାରତର ଅଧିବାସୀ ଭାବେ ସରକାର ପରିଚିତ କରାଇବେ। ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠାରୁ ସେମାନେ ଭାରତୀୟ ନାଗରିକ ବିବେଚିତ ହେବେ। ଗୋଆ, ଡାମନ ଓ ଡିଉ, ସିକିମ ଏବଂ ବାଂଲାଦେଶର କିଛି ଅଞ୍ଚଳ ଯାହା ୨୦୧୪ରେ ଭାରତର ଅନ୍ତର୍ଭୁକ୍ତ ହୋଇଛି, ସେଠାରୁ ଅଧିବାସୀଙ୍କୁ ଉକ୍ତ ନିୟମରେ ନାଗରିକତ୍ୱ ପ୍ରଦାନ କରାଯାଇଛି।