କୋଲକାତା,୧୯।୧୨: ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ବିଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଏ ନେଇ ଅନେକ ବିରୋଧର ବାର୍ତ୍ତା ମଧ୍ୟ ପୋଷ୍ଟ ହେଉଛି। ଏହାରି ଭିତରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ଝିଅ ସାନା ସିଏଏ ବିରୋଧରେ ମନ୍ତବ୍ୟ ଦେଇ ଫସିଯାଇଛନ୍ତି। ୧୮ ବର୍ଷୀୟ ସାନା ନିଜ ଇନଷ୍ଟାଗ୍ରାମରେ ପ୍ରସିଦ୍ଧ ଲେଖକ ଖୁଶଓ୍ବନ୍ତ ସିଂଙ୍କ ପୁସ୍ତକ ‘ଦ ଏଣ୍ଡ୍ ଅଫ୍ ଇଣ୍ଡିଆ’ର ଏକ ଅଂଶ ପୋଷ୍ଟ କରିଥିଲେ। ସେ ଲେଖିଥିଲେ, ଘୃଣା ଆଧାରରେ ସଂଗଠିତ ଆନ୍ଦୋଳନ ସେ ପର୍ଯ୍ୟନ୍ତ ଚାଲିବ, ଯେଉଁ ପର୍ଯ୍ୟନ୍ତ ଭୟ ଏବଂ ସଂଘର୍ଷର ମାହୋଲ ଲାଗିରହିଥିବ। ଆମ ମଧ୍ୟରୁ ଯିଏ ଏହି ଚିନ୍ତାଧାରାରେ ରହି ନିଜକୁ ସୁରକ୍ଷିତ ମନେକରୁଛେ କି ଆମେ ମୁସଲମାନ ଏବଂ ଇସାଇ ନୁହେଁ, ସେମାନେ ମୁର୍ଖ ଦୁନିଆରେ ବଞ୍ଚୁଛନ୍ତି। ଏହି ପୋଷ୍ଟ ପରେ ହଟାଇ କରିଦିଆଯାଇଥିଲା। କିନ୍ତୁ ସାନାଙ୍କ ଏହି ପୋଷ୍ଟକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହୋଇଥିଲା। ବାଧ୍ୟ ହୋଇ ଗାଙ୍ଗୁଲି ଝିଅ ସପକ୍ଷରେ ସଫେଇ ଦେଇ କହିଛନ୍ତି, ସାନା ଏବେ ଛୋଟ ପିଲା। ତାଙ୍କର କୌଣସି ରାଜନୈତିକ ଚିନ୍ତାଧାରା ବିଷୟରେ ଜ୍ଞାନ ନାହିଁ। ଏହି ପୋଷ୍ଟରେ ସତ୍ୟତା ନାହିଁ। ଦୟାକରି ସାନାଙ୍କୁ ଏସବୁଥିରୁ ବାହାରେ ରଖନ୍ତୁ ବୋଲି ଅପିଲ୍ କରିଛନ୍ତି ଗାଙ୍ଗୁଲି। ସାନା ଏବେ କଲେଜରେ ପଢୁଛନ୍ତି। ସେ ଇନଷ୍ଟାଗ୍ରାମରେ ବେଶ୍ ଆକ୍ଟିଭ୍ ମଧ୍ୟ ଥାନ୍ତି।