ଲକ୍ଷ୍ନୌ,୨୦ା୨: ଉତ୍ତରପ୍ରଦେଶରେ ଗତ ଡିସେମ୍ବର ମାସରେ ସିଏଏ ବିରୋଧୀ ହିଂସାରେ ପ୍ରାୟ ୨୦ ଜଣଙ୍କ ମୃତ୍ୟୁ ଘଟିଥିଲା। ତେବେ ବୁଧବାର ରାଜ୍ୟ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କର ଏ ସମ୍ପର୍କିତ ମନ୍ତବ୍ୟକୁ ନେଇ ବିବାଦ ମୁଣ୍ଡ ଟେକିଛି। ଯଦି କେହି ମରିବା ଉଦ୍ଦେଶ୍ୟ ନେଇ ରାସ୍ତାକୁ ଓହ୍ଲାଏ ତେବେ ତାଙ୍କୁ କିପରି ଜୀବିତ ରଖାଯାଇପାରିବ ବୋଲି ଆଦିତ୍ୟନାଥ କହିଥିଲେ। କୌଣସି ବିକ୍ଷୋଭକାରୀ ପୋଲିସ ଗୁଳିରେ ମରିନାହାନ୍ତି। ଯେଉଁମାନେ ମରିଛନ୍ତି, ସେମାନେ ଦଙ୍ଗାକାରୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି ବୋଲି ୟୁପି ମୁଖ୍ୟମନ୍ତ୍ରୀ ଗୃହରେ କହିଥିଲେ। ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧରେ ଦୀର୍ଘଦିନ ଧରି ଚାଲିଥିବା ଆନ୍ଦୋଳନକୁ ଆଦିତ୍ୟନାଥ ସମାଲୋଚନା କରିଥିଲେ।