ଆଜିକାଲି ଅନେକେ ନିଦ୍ରାଜନିତ ସମସ୍ୟା ସହ ଜଡ଼ିତ। ଆମେ ଆବଶ୍ୟକ ସମୟ ମୁତାବକ ନିଦ୍ରା ନ ଗଲେ ବିଭିନ୍ନ ପ୍ରକାର ଶାରୀରିକ ଅସୁବିଧାର ସମ୍ମୁଖୀନ ହୋଇଥାଉ। ସୁନିଦ୍ରାର ଏକ ସହଜ ଉପାୟ ବିଷୟରେ ନିକଟରେ ଆମେରିକାସ୍ଥିତ ୟୁନିଭର୍ସିଟି ଅଫ୍ ମାସାଚ୍ୟୁଟ୍ସ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି। ଏହି ବିଶ୍ୱବିଦ୍ୟାଳୟର ଗବେଷକ ତ୍ରିଶା ଆଣ୍ଡ୍ର୍ୟୁ ଓ ତାଙ୍କ ସାଥୀ ଗବେଷକମାନେ ସ୍ମାର୍ଟ ପାଇଜାମା ଓ ଶାର୍ଟ ପ୍ରସ୍ତୁତ କରିଛନ୍ତି, ଯାହାକୁ ପିନ୍ଧିଲେ ଭଲ ନିଦ ହୋଇଥାଏ। ଏଥିରେ ସ୍ବୟଂଚାଳିତ ୫ଟି ସେନ୍ସର ଲଗାଯାଇଛି ଯାହା ହୃତ୍ସ୍ପନ୍ଦନ,ଶ୍ୱାସକ୍ରିୟା ଓ ଶୋଇବାର ଶୈଳୀକୁ ନିରୀକ୍ଷଣ କରିବା ସହ ମାନସିକ ଶାନ୍ତି ଆଣିଥାଏ। ଏହାଫଳରେ ସମ୍ପୃକ୍ତ ବ୍ୟକ୍ତି ଆରାମରେ ଶୋଇପାରିଥାଏ। ତେବେ ଏହି ସ୍ମାର୍ଟ ପାଇଜାମା ଏବଂ ଶାର୍ଟକୁ କିପରି ଆହୁରି ଉନ୍ନତ ଜ୍ଞାନକୌଶଳ ବିଶିଷ୍ଟ କରାଯାଇପାରିବ ସେ ନେଇ ଉକ୍ତ ବିଶ୍ୱବିଦ୍ୟାଳୟର ଗବେଷକମାନେ ଚେଷ୍ଟା ଜାରି ରଖିଛନ୍ତି ବୋଲି ପ୍ରକାଶିତ ସଦ୍ୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି।