ମୁମ୍ବାଇ: ରାଜସ୍ଥାନର ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଛାତ୍ରୀ ସୁମନ ରାଓ ମିସ୍ ଇଣ୍ଡିଆ ଓ୍ବାର୍ଲଡ-୨୦୧୯ ମୁକୁଟ ବିଜୟିନୀ ହୋଇଛନ୍ତି। ଶନିବାର ସନ୍ଧ୍ୟାରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଇନ୍ଡୋର ଷ୍ଟାଡିୟମ୍ରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ୨୦୧୮ର ମିସ୍ ଇଣ୍ଡିଆ ଅନୁକୃତି ତାଙ୍କୁ ଏହି ମୁକୁଟ ପିନ୍ଧାଇଛନ୍ତି। ରାତି ପ୍ରାୟ ୮ଟାରେ ଆରମ୍ଭ ହୋଇଥିବା ଏହି ଉତ୍ସବରେ ବଲିଉଡ୍ର ବହୁ ନାମୀଦାମୀ କଳାକାର ଯୋଗ ଦେଇଥିଲେ। ଛତିଶଗଡର ଶିବାନୀ ଯାଦବ(ଯୋଗ୍ୟତାରେ ଇଞ୍ଜିନିୟର) ମିସ୍ ଗ୍ରାଣ୍ଡ ଇଣ୍ଡିଆ ମୁକୁଟ ପରିଧାନ କରିଥିବାବେଳେ ବିହାରର ମ୍ୟାନେଜମେଣ୍ଟ ଛାତ୍ରୀ ଶ୍ରେୟା ଶଙ୍କର ମିସ୍ ଇଣ୍ଡିଆ ୟୁନାଇଟେଡ୍ କଣ୍ଟିନେଣ୍ଟ୍ସ ଟାଇଟଲ୍ ହାସଲ କରିଛନ୍ତି। ତେଲେଙ୍ଗାନାର ସଞ୍ଜନା ଭିଜ୍ଙ୍କୁ ମିସ୍ ଇଣ୍ଡିଆ ରନର୍ସ ଅପ୍-୨୦୧୯ ଟାଇଟଲ୍ ପ୍ରଦାନ କରାଯାଇଛି। ୨୦ ବର୍ଷୀୟା ସୁମନ ଥାଇଲାଣ୍ଡରେ ମିସ୍ ଓ୍ବାର୍ଲଡ ୨୦୧୯ରେ ଭାରତର ପ୍ରତିନିଧିତ୍ୱ କରିବେ। ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟପଥରେ ପ୍ରତିଜ୍ଞାବଦ୍ଧ ହୋଇ ଆଗେଇ ଚାଲିଲେ ଦେହର ପ୍ରତିଟି ସ୍ନାୟୁ ଓ ତନ୍ତୁ ବିଜୟ ପାଇଁ ସେଇ ଦିଗରେ ଆଗେଇ ଯାଆନ୍ତି ବୋଲି ସୁମନ ଏକ ସାକ୍ଷାତ୍କାରରେ ପ୍ରକାଶ କରିଛନ୍ତି। ବିଜେତାମାନଙ୍କୁ ଏକ ବିଚାରକ ମଣ୍ଡଳୀ ଚୟନ କରିଥିଲା। ଏଥିରେ ସାମିଲ ଥିଲେ ପ୍ରସିଦ୍ଧ ଡିଜାଇନର ଫାଲ୍ଗୁନୀ ଶାନେ ପିକକ୍, ମିସ୍ ଓ୍ବାର୍ଲଡ-୨୦୧୮ ବିଜୟିନୀ ଭାନେସା ପୋନ୍କା ଡି’ ଲିଓନ, ଅଭିନେତ୍ରୀ ହୁମା କୁରେଶୀ, ଚିତ୍ରାଙ୍ଗଦା ସିଂ, ଆୟୁଷ ଶର୍ମା, କୋରିଓଗ୍ରାଫର-ଫିଲ୍ମ ନିର୍ମାତା ରେମୋ ଡି’ସୁଜା, ଧାବିକା ଦୂତୀ ଚାନ୍ଦ ଏବଂ ଫୁଟବଲ୍ କ୍ୟାପଟେନ୍ ସୁନୀଲ ଛେତ୍ରୀ। ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ କାଟ୍ରିନା କୈଫ୍, ଭିକି କୌଶଲ, ନୋରା ଫତେ ଏବଂ ମୌନୀ ରଏ। ବଲିଉଡ ଫିଲ୍ମ ନିର୍ମାତା କରନ୍ ଜୋହର, ଅଭିନେତା ତଥା ଆଙ୍କର ମନୀଷ୍ ପଲ୍ ଏବଂ ମିସ୍ ଓ୍ବାର୍ଲଡ ୨୦୧୭ ବିଜୟିନୀ ମାନୁଷୀ ଛିଲ୍ଲାର ଯୋଗଦେଇଥିଲେ।