ଭୁବନେଶ୍ୱର, ୧୭।୨(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଚ୍ଏସ୍ଇ) ପକ୍ଷରୁ ପରୀକ୍ଷା କେନ୍ଦ୍ର ଚୟନରେ ଦୁର୍ନୀତି ହୋଇଥିବା ନେଇ ଗତ ୭ତାରିଖରେ ଅନୁଷ୍ଠିତ ପରୀକ୍ଷା ପରିଚାଳନା କମିଟି ବୈଠକରେ ୬ଜଣ ସଦସ୍ୟ ଅଭିଯୋଗ ଆଣିଥିଲେ। ଏହି ଘଟଣାକୁ ନେଇ ନାନା ବାଦ ବିବାଦ ଦେଖାଯିବା ପରେ ରବିବାର ପୂର୍ବରୁ ଚୂଡାନ୍ତ ହୋଇସାରିଥିବା ପରୀକ୍ଷା କେନ୍ଦ୍ର ତାଲିକାରେ ପରିବର୍ତ୍ତନ କରାଯାଇଛି। ସୋମବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏକ ପ୍ରେସ୍ ରିଲିଜ୍ ଜାରି କରାଯାଇଛି। ଏବର୍ଷ ସୂଚାରୁରୂପେ ପରୀକ୍ଷା କେନ୍ଦ୍ର ଚୟନ ହୋଇଛି। ତେଣୁ ଏହାକୁ ନେଇ ଅଭିଭାବକଙ୍କ ମନରେ ଆଶଙ୍କା ନ ଉପୁଜୁ ବୋଲି ପରିଷଦର ଅଧ୍ୟକ୍ଷ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ସେଣ୍ଟର ଫିକ୍ସିଂ ହୋଇଥିବା ଅଭିଯୋଗ ଆସିବା ପରେ ପରୀକ୍ଷା ସ୍ବଚ୍ଛତା ଓ ଛାତ୍ରୀଛାତ୍ରଙ୍କ ସ୍ବାର୍ଥ ଦୃଷ୍ଟିରୁ ରାଜ୍ୟ ଅଭିଭାବକ ମହାସଂଘ ମାନବ ଅଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଥିଲା। କମିଶନ ଫେବୃୟାରୀ ୧୮ ସୁଦ୍ଧା ରିପୋର୍ଟ ଦେବା ଲାଗି ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେବା ସହ ଅଭିଭାବକଙ୍କ ସଂଶୟ ଦୁର ଲାଗି ପରିଷଦ ପ୍ରେସ ନୋଟ ଦେବା ଲାଗି କହିଥିଲେ।