ନିୟମିତ ଯୋଗ କଲେ ମନୁଷ୍ୟ ସୁସ୍ଥ ରହିଥାଏ ବୋଲି ସମସ୍ତେ ଜାଣନ୍ତି। କିନ୍ତୁ ବର୍ତ୍ତମାନର ବ୍ୟସ୍ତ ବହୁଳ ଜୀବନଶୈଳୀ ଯୋଗୁ ଅନେକେ ଧୀରେ ଧୀରେ ଯୋଗଠାରୁ ଦୂରେଇ ଯାଉଛନ୍ତିି। ଫଳରେ ମଣିଷ ଅନେକ ରୋଗର ଶିକାର ହେଉଛି। ହେଲେ ଆଜିବି ଯେଉଁମାନେ ନିୟମିତ ଯୋଗ କରୁଛନ୍ତି ସେମାନେ ଦୀର୍ଘାୟୁ ହେବା ସହ ସୁସ୍ଥ ଓ ନିରୋଗ ଜୀବନ ଅତିବାହିତ କରୁଛନ୍ତି ବୋଲି ମତ ଦିଅନ୍ତି ଯୋଗ ବିଶେଷଜ୍ଞ। ଏହି ଯୋଗ ମଧ୍ୟରେ ‘ସୂର୍ଯ୍ୟ ନମସ୍କାର’ ଏକ ସାଧାରଣ ଯୋଗ ହୋଇଥିବା ବେଳେ ଏହା ଶରୀରକୁ ସୁସ୍ଥ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏଥିରେ ଯୋଗ ସହ ସୂର୍ଯ୍ୟଙ୍କର ଭିନ୍ନ ଭିନ୍ନ ୧୨ଟି ମନ୍ତ୍ର ଉଚ୍ଚାରଣ କରାଯାଇଥାଏ। ହେଲେ ଏହାର ଅର୍ଥ ଗୋଟିଏ। ତାହା ହେଲା ସୂର୍ଯ୍ୟଙ୍କୁ ନମସ୍କାର। ପ୍ରାତଃ ସମୟରେ ଏହି ଆସନଟି କଲେ ଶରୀରକୁ ଅନେକ ଲାଭ ମିଳିଥାଏ। ତେବେ ନମସ୍କାର ମୁଦ୍ରାରେ ରହି ଏହାକୁ କରିବାକୁ ପଡିଥାଏ। କିନ୍ତୁ ପ୍ରଥମେ ଜଣେ ଯୋଗଗୁରୁଙ୍କ ଠାରୁ ଏହାର ପ୍ରଣାଳୀ ଜାଣିବା ପରେ ନିୟମିତ ଏହାକୁ ଅଭ୍ୟାସ କରିବା ଭଲ। ନଚେତ୍ ଏହା ଶରୀର ଉପରେ କୁପ୍ରଭାବ ବି ପକାଇଥାଏ।