ଦୋହା,୧୬।୩: ଜମ୍ମୁ-କଶ୍ମୀରରୁ ଭାରତୀୟ ସେନା ହଟିଯାଉ ବୋଲି ସେଠାକାର ଯୁବପିଢ଼ି ଚାହାନ୍ତି। କଶ୍ମୀରର ୯୦%ରୁ ଊର୍ଦ୍ଧ୍ୱ କଲେଜ ଓ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ର ଉପତ୍ୟକାରୁ ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର ସପକ୍ଷରେ ମତ ଦେଇଛନ୍ତି। ଅନ୍ତର୍ଜାତୀୟ ଗଣମାଧ୍ୟମ ଅଲ୍ ଜଜିରାରେ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, କଶ୍ମୀରର ଏକ ବିଶ୍ୱବିଦ୍ୟାଳୟ ଓ ନ୍ୟୁୟର୍କସ୍ଥିତ ସ୍କିଡ୍ମୋର କଲେଜର କେତେଜଣ ଗବେଷକ ମିଳିତ ଭାବେ ୨୦୧୯ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଏହି ସର୍ବେକ୍ଷଣ କରିଥିଲେ। ଉକ୍ତ ସର୍ଭେରେ ଉପତ୍ୟକାର ୬୦୦ କଲେଜ ଓ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ର ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୯୧% ଛାତ୍ରୀଛାତ୍ର ସମ୍ପୃକ୍ତ ଅଞ୍ଚଳରୁ ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର ଏବଂ ନିଜ ଭାଗ୍ୟ ନିଜେ ନିର୍ଦ୍ଧାରଣ କରିବା ଲାଗି ଗଣଭୋଟ ସପକ୍ଷରେ ଥିବା ସର୍ଭେରେ କୁହାଯାଇଛି।