କେନ୍ଦୁଝର,୧୪।୧୨(ସ୍ବ.ପ୍ର.): ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟରେ ସେମିଷ୍ଟାର ପରୀକ୍ଷା ଘୁଞ୍ଚାଇବା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଶନିବାର ଛାତ୍ରୀମାନେ ଗେଟ୍ରେ ତାଲା ପକାଇ ବିରୋଧ କରିଛନ୍ତି। ମହାବିଦ୍ୟାଳୟ କର୍ତ୍ତୃପକ୍ଷ ବୁଝାସୁଝା କରି ତାଲା ଖୋଲି ଦେଇଥିଲେ। ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହିତ ଛାତ୍ରୀମାନଙ୍କ ବଚସା ହୋଇଥିଲା। ଏହାକୁ ନେଇ ମହାବିଦ୍ୟାଳୟ ପରିସରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଅଧ୍ୟକ୍ଷ ଜଣେ ଛାତ୍ରୀଙ୍କୁ ଗାଳି କରିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଥିଲା । ତେବେ ଏ ନେଇ ଅଧ୍ୟକ୍ଷ ସଦାଶିବ ମହାରଣା କହିଛନ୍ତି, ଛାତ୍ରୀଙ୍କ ଦାବି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଛି। ତେବେ ପିଲାମାନେ ନ ବୁଝି ଆନ୍ଦୋଳନ କରୁଛନ୍ତି। ସେ ବୁଝାଇବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ଗାଳି କରି ନାହାନ୍ତି। ଗତ ବୁଧବାର ଏନେଇ ଛାତ୍ରୀମାନେ ମଧ୍ୟ ରାସ୍ତାରୋକୋ କରିଥିଲେ।