ମାନବ ଇତିହାସରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ହେଉଛି ଏକ କଳଙ୍କିତ ଅଧ୍ୟାୟ। ଏହା ନେଇଥିଲା ଲକ୍ଷ ଲକ୍ଷ ନିରୀହ ଜୀବନ। ଉଭୟ ନାଜି ଓ ସୋଭିଏଟ ୟୁନିୟନ୍ ନିଷ୍ଠୁର ଗଣହତ୍ୟା ଓ ନୃଶଂସକାଣ୍ଡମାନ ଘଟାଇଥିଲେ। ତାହା ମଧ୍ୟରେ ଗୋଟିଏ ଘଟଣା ଥିଲା ଅତ୍ୟନ୍ତ ହୃଦୟ ବିଦାରକ, ଯାହାକୁ ନାଜିମାନେ ଘଟାଇଥିଲେ। ଚେକୋସ୍ଲୋଭାକିଆ(ବର୍ତ୍ତମାନର ଚେକ୍ ରିପବ୍ଲିକ୍ ଅନ୍ତର୍ଗତ)ର ଲିଡିସ୍ ଗ୍ରାମର କୁନି କୁନି ପିଲା ଏହି ଯୁଦ୍ଧରେ ବଳି ପଡିଯାଇଥିଲେ। ସେତେବେଳେ ନାଜିମାନେ ପୋଲାଣ୍ଡର ଏହି ଗ୍ରାମରେ କ୍ୟାମ୍ପ କରି ମାନବୀୟ ସଫେଇ ନାମରେ ମାସ୍ କିଲିଂ କରୁଥିଲେ। ନାଜିର ଜଣେ ଅଫିସର ରିନ୍ହାର୍ଡ ହେଡ୍ରିଚ୍ଙ୍କ ହତ୍ୟା ପରେ ହିଟଲର୍ ଚେକୋସ୍ଲୋଭାକିଆରେ ଗଣହତ୍ୟା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଗାଁଗୁଡିକୁ ପୁରୁଷ ଶୂନ୍ୟ କରିବା ସହ ମହିଳା ଓ ପିଲାଙ୍କୁ ଅଲଗା ଅଲଗା କ୍ୟାମ୍ପରେ ରଖାଯାଇଥିଲା। ୧୯୪୨ରେ ତ ନାଜିମାନେ ଲିଡିସ୍ ଗ୍ରାମର ପ୍ରାୟ ଅଧିବାସୀଙ୍କୁ ହତ୍ୟା କରିଥିଲେ। ସେଥିରେ ୧୭୩ ପୁରୁଷ ଥିଲେ। ୧୮୪ ମହିଳା ଓ ୮୮ ପିଲାଙ୍କୁ ନେଇ ଯାଇଥିଲେ। କିଛି ପିଲାଙ୍କୁ ଜର୍ମାନ କରିଦିଆଯାଇଥିଲା। ଆଉ ବାକି ୮୨ ପିଲାଙ୍କୁ ଅତି ନିଷ୍ଠୁରଭାବେ ବିଷାକ୍ତ ଗ୍ୟାସ୍ ଦେଇ ହତ୍ୟା କରାଯାଇଥିଲା। ଗୋଟିଏ ଥରରେ ଏତେ ସଂଖ୍ୟକ ପିଲାଙ୍କୁ ଏତେ ନିର୍ମମଭାବେ କରାଯାଇଥିବା ଏହି ହତ୍ୟାକୁ ଇତିହାସରେ ଏକ କଳା ଅଧ୍ୟାୟଭାବେ ବିବେଚନା କରାଯାଏ। ୧୯୮୦ରେ ଏହି ମର୍ମନ୍ତୁଦ ଘଟଣାକୁ ମ୍ୟାରୀ ଉଚିତୋଲୋଭା ନାମ୍ନୀ ସ୍ଥପତି ସ୍ଥାପତ୍ୟର ରୂପ ଦେବାକୁ ଚାହିଁଥିଲେ। ଏହାକୁ ସେ ଯୁଦ୍ଧରେ ମୃତ୍ୟୁବରଣ କରିଥିବା ୧୩ ମିଲିୟନ ପିଲାଙ୍କ ସ୍ମାରକୀଭାବେ ଗଢିବା ଆରମ୍ଭ କରିଥିଲେ। ତେବେ ଆରମ୍ଭ କରିବା ପୂର୍ବରୁ ମୃତ୍ୟୁବରଣ କରିଥିବା ପିଲାଙ୍କ ମା’, ଯେଉଁମାନେ କି ସେ ସମୟରେ ବଞ୍ଚିଯାଇଥିଲେ, ତାଙ୍କଠାରୁ ଗଣହତ୍ୟାରେ ଶିକାର ସେମାନଙ୍କ ପିଲା ଦେଖିବାକୁ କିଭଳି ଥିଲେ ବୁଝିଥିଲେ। ହେଲେ ସେ କେବଳ ପ୍ଲାଷ୍ଟରର ମୂର୍ତ୍ତି ଗଢିଥିବାବେଳେ ୧୯୮୯ରେ ମୃତ୍ୟୁବରଣ କଲେ। ପରେ ତାଙ୍କ ସ୍ବାମୀ ଜିରି ହାମ୍ପେଲ ବ୍ରୋଞ୍ଜ ଢଳେଇ କରି ସ୍ଥାପତ୍ୟକୁ ସମ୍ପୂର୍ଣ୍ଣ କରିଥିଲେ। ଏହା ଶେଷ ହେବାକୁ ୨୦ ବର୍ଷ ଲାଗିଗଲା। ୨୦୦୦ ମସିହାରେ ସମ୍ପୂର୍ଣ୍ଣ ହେଲା। ତେବେ ଆଜି ବି ଏହି ସ୍ଥାପତ୍ୟକୁ ଦେଖିଲେ କୁନି କୁନି ପିଲାଙ୍କ ଯନ୍ତ୍ରଣାର କାହାଣୀ ତାଜା ହୋଇଉଠେ।