ସୁସ୍ବାସ୍ଥ୍ୟ ପାଇଁ ପରିଷ୍କାର ପରିଚ୍ଛନ୍ନତା ଅପରିହାର୍ଯ୍ୟ। ଏହା ସହିତ ଘର ଏବଂ ବାହ୍ୟ ପରିବେଶରେ ପରିମଳ ବ୍ୟବସ୍ଥା ଆପଣେଇବା ମଧ୍ୟ ଆବଶ୍ୟକ। ବାହାରେ ଶୌଚ ହେବା ଦ୍ୱାରା ବିଭିନ୍ନ ପ୍ରକାର ଶାରୀରିକ ସମସ୍ୟା ଉପୁଜିବାର ଆଶଙ୍କା ରହିଥାଏ। ପରିମଳ ବ୍ୟବସ୍ଥା ରୋଗ ବ୍ୟାପିବାକୁ ଦିଏ ନାହିଁ। ବାହାରେ ଶୌଚ ହେବା ଦ୍ୱାରା ମହିଳାଙ୍କ ସ୍ବାସ୍ଥ୍ୟ ଉପରେ ଅଧିକ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ମିଳିତ ଜାତିସଂଘର ଏକ ରିପୋର୍ଟ ଅନୁସାରେ ବିଶ୍ୱର ପ୍ରାୟ ୪୫୦ କୋଟି ଲୋକଙ୍କ ପାଇଁ ଏବେ ବି ପର୍ଯ୍ୟାପ୍ତ ସ୍ବଚ୍ଛତା ଉପଲବ୍ଧ ନାହିଁ। ଖାଲି ସେତିକି ନୁହେଁ, ସାରା ବିଶ୍ୱର ଯେତେ ଲୋକ ଖୋଲାରେ ଶୌଚ କରନ୍ତି, ତାର ପ୍ରାୟ ଅର୍ଦ୍ଧାଂଶ ଲୋକ ହେଉଛନ୍ତି ଭାରତର। ଫଳସ୍ବରୂପ, ପର୍ଯ୍ୟାବରଣ ଦୂଷିତ ହେବା ସହ ଲୋକ ବିଭିନ୍ନ ଶାରୀରିକ ସମସ୍ୟାଗ୍ରସ୍ତ ହୋଇଥାନ୍ତି ।
ସେଥିମଧ୍ୟରୁ ୬୭୩ ନିୟୁତ ଲୋକ ବାହାରେ ମଳତ୍ୟାଗ କରିଥାନ୍ତି। ତେବେ ଏହାକୁ ରୋକିବା ଲାଗି ୨୦୨୦ରେ ମିଳିତ ଜାତିସଂଘ ପକ୍ଷରୁ ସ୍ଥାୟୀ ବିକାଶ ଲକ୍ଷ୍ୟ ରିପୋର୍ଟ ପ୍ରକାଶିତ ହୋଇଥିଲା। ୨୦୩୦ ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟ ପୂରଣ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି।
ଲୋକଙ୍କୁ ଶୌଚାଳୟ ବ୍ୟବହାର କରିବା ସମ୍ପର୍କରେ ସଚେତନ କରାଇବା ଲାଗି ପ୍ରତିବର୍ଷ ନଭେମ୍ବର ୧୯ରେ ବିଶ୍ୱ ଶୌଚାଳୟ ଦିବସ ପାଳନ କରାଯାଇଥାଏ। ୨୦୦୧ ନଭେମ୍ବର ୧୯ରେ ପ୍ରଥମେ କୌଣସି ସ୍ବୀକୃତି ବିନା ସିଙ୍ଗାପୁରର ଏକ ସ୍ବେଚ୍ଛାସେବୀ ସଂସ୍ଥା ପକ୍ଷରୁ ଏହି ଦିବସ ପାଳନ କରାଯାଇଥିଲା। ତେବେ ପରବର୍ତ୍ତୀ ସମୟରେ ଜାତିସଂଘ ପକ୍ଷରୁ ୨୦୧୨ ନଭେମ୍ବର ୧୯ରେ ଏହି ଦିବସ ପାଳନ ଲାଗି ସ୍ବୀକୃତି ପ୍ରଦାନ କରାଯାଇଥିଲା।ଭାରତର ୨୦୧୧ ଜନଗଣନା ଅନୁସାରେ ଗାଁ ଗହଳିରେ ୬୭ ପ୍ରତିଶତ ଏବଂ ସହରାଞ୍ଚଳରେ ୧୩ ପ୍ରତିଶତ ଲୋକ ଖୋଲାରେ ଶୌଚ କରନ୍ତି । ଏକ ତଥ୍ୟ ଅନୁସାରେ ଦୁନିଆରେ ବର୍ତ୍ତମାନ ପ୍ରତି ୩ ଜଣ ମହିଳା ମଧ୍ୟରେ ଅନ୍ତତଃ ଜଣେ ସୁରକ୍ଷିତ ଶୌଚାଳୟର ସୁବିଧା ପାଇବାରୁ ବଞ୍ଚିତ । ଖୋଲାରେ ଶୌଚ କରିବାକୁ ବାଧ୍ୟ ହେଉଥିବା ମହିଳା କିମ୍ବା ବାଳିକାମାନେ ନିଜର ସମ୍ମାନ ହାନୀ ତଥା ଯୌନ ଅପରାଧର ଶୀକାର ହେବାର ଭୟ ରହିଥାଏ । ଏହିସବୁ ସମସ୍ୟାକୁ ଦୃଷ୍ଟିରେ ରଖି ୨୦୧୩ ମସିହାରେ ମିଳିତ ଜାତିସଂଘ ପକ୍ଷରୁ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ବିଶ୍ୱ ଶୌଚାଳୟ ଦିବସ ପାଳନ କରିବାକୁ ଘୋଷଣା କରାଯାଇଥିଲା।
ଶୌଚାଳୟ ସଚେତନତା ଦିବସ ପାଳନ ଅବସରରେ ବିଶ୍ୱର ବିଭିନ୍ନ ଦେଶରେ ଏ ସମ୍ପର୍କିତ କର୍ମଶାଳା, ସଚେତନତା ପଦଯାତ୍ରା, ସଫେଇ କାର୍ଯ୍ୟକ୍ରମ ତଥା ଗଣଦୌଡର ଆୟୋଜନ ହୋଇଥାଏ । ଏଭଳି କାର୍ଯ୍ୟକ୍ରମ ସବୁ ସରକାରୀ ସଂସ୍ଥା ସହ ବେସରକାରୀ ସଂସ୍ଥା ତଥା ସ୍ବେଚ୍ଛସେବୀ ସଂଗଠନମାନଙ୍କ ମାଧ୍ୟମରେ ହୋଇଥାଏ ।