ନୂଆଦିଲ୍ଲୀ, ୧୯ା୬ (ପି.ଟି.): ସ୍ବିଡେନ୍ର ସୋଲେନ୍ଟୁନାଠାରେ ଚାଲିଥିବା ଫୋକ୍ସାମ୍ ଗ୍ରାଁ ପ୍ରିରେ ଭାରତର ଏସିଆନ ଚାମ୍ପିୟନ ପି. ୟୁ. ଚିତ୍ରା ମହିଳା ୧୫୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ଏପ୍ରିଲରେ ଦୋହାଠାରେ ଅନୁଷ୍ଠିତ ଏସିଆନ ଚାମ୍ପିୟନଶିପ୍ରେ ସ୍ବର୍ଣ୍ଣ ଜିତିଥିବା ଚିତ୍ରା ୪ ମିନିଟ ୧୨.୬୫ ସେକେଣ୍ଡ ଟାଇମିଂରେ ରେସ୍ ଶେଷ କରି ପ୍ରଥମ ହୋଇଥିଲେ। ଚଳିତ ସିଜନରେ ଚିତ୍ରାଙ୍କର ଏହା ଥିଲା ଶ୍ରେଷ୍ଠ ପ୍ରଦର୍ଶନ।
୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୫୦୦୦ ମିଟର ସ୍ବର୍ଣ୍ଣ ଜିତିଥିବା କେନିଆର ମର୍ସି ଚେରୋନୋ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଅନ୍ୟପକ୍ଷରେ ଏସିଆନ ଗେମ୍ସ ସ୍ବର୍ଣ୍ଣ ବିଜେତା ଜିନସନ ଜନସନ ୩:୩୯.୬୯ ଟାଇମିଂରେ ପୁରୁଷ ୧୫୦୦ ମିଟର ରୌପ୍ୟ ଜିତିଛନ୍ତି। ଜୁନ୍ ୧୫ରେ ନେଦରଲାଣ୍ଡ୍ସର ନିଜ୍ମେଜେନଠାରେ ଅନୁଷ୍ଠିତ ନେକ୍ଟ ଜେନେରେଶନ ଆଥଲେଟିକ୍ସ ମିଟ୍ରେ ଜନସନ ୩:୩୭.୬୨ ଟାଇମିଂରେ ନିଜ ଜାତୀୟ ରେକର୍ଡ ଭଙ୍ଗ କରିଥିଲେ। ଡେନମାର୍କଠାରେ ଅନୁଷ୍ଠିତ ଅନ୍ୟ ଏକ ପ୍ରତିଯୋଗିତା କୋପେନହାଗେନ୍ ଆଥଲେଟିକ୍ସ ଗେମ୍ସ ଲଙ୍ଗ୍ ଜମ୍ପ୍ ଜାତୀୟ ରେକର୍ଡଧାରୀ ମୁରଲୀ ଶ୍ରୀଶଙ୍କର ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ଓପନିଂ ରାଉଣ୍ଡରେ ତାଙ୍କ ଶ୍ରେଷ୍ଠ ପ୍ରଦର୍ଶନ ୭.୯୩ ମିଟର ରହିଥିଲା। ଶ୍ରୀଶଙ୍କର ଅନ୍ୟ ରାଉଣ୍ଡରେ ପ୍ରଦର୍ଶନ ୭.୮୯ ମିଟର, ୭.୮୮ ଏବଂ ୭.୬୧ ମିଟର ରହିଥିଲା।