ନୂଆପଡା ଅଫିସ,୧୨ା୮ ବିଶ୍ୱର ଆଦ୍ୟ ଜ୍ଞାନର ଉତ୍ସ ଏବଂ ଋଷିଙ୍କ ଦ୍ୱାରା ସାକ୍ଷାତକୃତ ଈଶ୍ୱରୀୟ ବାଣୀ ଚତୁର୍ବେଦ ପ୍ରଚାର, ପ୍ରସାର ଏବଂ ସ୍ବାଧ୍ୟାୟର ଆଲୋଚନା, ପର୍ଯ୍ୟାଲୋଚନା ଉଦ୍ଦେଶ୍ୟରେ ସ୍ଥାନୀୟ ହରିପୁରସ୍ଥିତ ଗୁରୁକୁଳ ଆଶ୍ରମରେ ଶ୍ରାବଣୀ ଉତ୍ସବ ପାଳିତ ହୋଇଯାଇଛି। ରବିବାର ପୂର୍ବାହ୍ନ ୯ଟାରେ ଏହି ପରିସରରେ ଯଜ୍ଞାହୂତି ଦିଆଯାଇଥିବାବେଳେ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ହୋଇଥିଲା। ସ୍ବାଧୀନତା ଦିବସରେ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ପଡୁଥିବାରୁ ଏହାକୁ ଆଗୁଆ ପାଳନ କରାଯାଇଥିବା ପରିଚାଳକଙ୍କ ସୂତ୍ରରୁ ପ୍ରକାଶ। ଏହି କାର୍ଯ୍ୟକ୍ରମରେ ଆଶ୍ରମ ମୁଖ୍ୟ ଡ. ସୁଦର୍ଶନ ଦେବ ଆର୍ଯ୍ୟ ଅଧ୍ୟକ୍ଷତା କରିଥିବାବେଳେ ସ୍ଥାନୀୟ ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆ, ଜିଲା ଓକିଲ ସଂଘ ସଭାପତି ପ୍ରସନ୍ନ କୁମାର ପାଢୀ, ସରୋଜ କୁମାର ସାହୁ, ଯଦୁମଣୀ ପାଣିଗ୍ରାହୀଙ୍କ ସମେତ ବହୁ ମନିଷୀଗଣ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ଦିଲୀପ ସେନା ଆର୍ଯ୍ୟ ମଞ୍ଚ ପରିଚାଳନା କରିଥିବାବେଳେ ଆଶ୍ରମର ସମସ୍ତ ବ୍ରହ୍ମଚାରୀମାନେ ଯୋଗଦେଇ ବିଭିନ୍ନ କାର୍ଯ୍ୟକ୍ରମ କରିଥିଲେ। ଏହି ଅବସରରେ ବ୍ରହ୍ମଚାରୀମାନେ ସଂସ୍କୃତ ଭାଷାରେ ଏକ ନାଟକ ପରିବେଷଣ କରି ଭାରତୀୟ ସଂସ୍କୃତିର ବାର୍ତ୍ତା ଦେଇଥିଲେ। ଏଥିରେ ଅଞ୍ଚଳ ସମେତ ଆଖପାଖ ଜିଲାର ଶତାଧିକ ଗୁରୁକୁଳ ପ୍ରେମୀ ଯୋଗଦେଇଥିଲେ।